ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ନିର୍ବାଚନ ବଣ୍ଡ ପ୍ରସଙ୍ଗରେ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । କେବଳ ସେତିକି ନୁହେଁ ଦେଶରେ ୭ଟି ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି ।
ସେ କହିଛନ୍ତି ଯେ, ‘ନିର୍ବାଚନ ବଣ୍ଡ ନାମରେ ଏକ ବଡ ଘୋଟାଲା ହୋଇଛି, ଏହାର ଲାଭ ସିଧାସଳଖ ବିଜେପିକୁ ହିଁ ହୋଇଛି । ଏହି ଦୁର୍ନୀତି ଉପରେ ଆରଏସଏସ ଏବଂ ବିଜେପି କ’ଣ କହିବେ? ସେମାନେ ଏହାର ଉତ୍ତର ଦେବା ଉଚିତ୍ । ଇଡି କେବଳ ବିରୋଧୀ ଦଳର ନେତାଙ୍କ ଉପରେ ଆକ୍ରମଣ କରଛି’ ।
ସେ ଆହୁରି କହିଛନ୍ତି ଯେ, ‘ଅରବିନ୍ଦ କେଜ୍ରିୱାଲଙ୍କୁ ଶୀଘ୍ର ଗିରଫ କରାଯିବ । ନିର୍ବାଚନ ଆୟୋଗ ସରକାରଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଛି । ୭ଟି ପର୍ଯ୍ୟାୟରେ ନିର୍ବାଚନ କରି ଆୟୋଗ ଏହା ପ୍ରମାଣ କରିବାକୁ ଚାହୁଁଛନ୍ତି।’
ଏହାପୂର୍ବରୁ, ନିର୍ବାଚନ ବଣ୍ଡ ବିଷୟରେ ସୂଚନା ସାର୍ବଜନୀନ ହେବା ପରେ ସିବଲ ପ୍ରଧାନମନ୍ତ୍ରୀ ମୋଦfଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ ଯେ, ‘ନିର୍ବାଚନ ବଣ୍ଡର ସବିଶେଷ ତଥ୍ୟ ଦର୍ଶାଉଛି ଯେ କେଉଁଠି ନା କେଉଁଠି ଲାଭ ବଦଳରେ ଲାଭ କରିବାର କାମ କରାଯାଇଛି ।
ପିଏମ ମୋଦିଙ୍କୁ ଟାର୍ଗେଟ୍ କରି ସେ କହିଥିଲେ ଯେ, ‘କେହି ଜଣେ କହିଥିଲେ- ‘ନା ମୁଁ ଖାଇବି ନା କାହାକୁ ଖାଇବାକୁ ଦେବି’ ୨୦୧୪ ପୂର୍ବରୁ ଦୁର୍ନୀତି ଶେଷ କରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ମୋଦି ଏହି କଥା କହିଥିଲେ’ ।
ସୂଚନାଯୋଗ୍ୟ, ମାର୍ଚ୍ଚ ୧୪ ରେ ନିର୍ବାଚନ ଆୟୋଗ ନିର୍ବାଚନ ବଣ୍ଡର ବିବରଣୀ ସାର୍ବଜନୀନ କରିଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ମାର୍ଚ୍ଚ ୧୨ରେ ନିର୍ବାଚନ ଆୟୋଗଙ୍କୁ ବଣ୍ଡର ବିବରଣୀ ପ୍ରଦାନ କରିଥିଲା । ଯାହା ପରେ ଏହା ସାର୍ବଜନୀନ କରାଯାଇଥିଲା । ଏହା ସାମ୍ନାକୁ ଆସିବା ମାତ୍ରେ ବିରୋଧୀ ଦଳ କେନ୍ଦ୍ରସରକାରଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି ।
Comments are closed.