Latest Odisha News

BREAKING NEWS

କାର୍ଗିଲ ବିଜୟ ଦିବସ: ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଦେଶ ଆଜି ୨୪ ତମ କାର୍ଗିଲ ବିଜୟ ଦିବସ ପାଳନ କରୁଛି । ଏହି ଅବସରରେ ଦେଶର ବୀର ଯବାନଙ୍କୁ ମନେ ପକାଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। କାରଗିଲ୍ ୱାର ମେମୋରିଆଲରେ ବିଜୟ ଦିବସ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଳନ କରାଯାଉଛି। ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ କାର୍ଗିଲ ବିଜୟ ଦିବସ ଭାବେ ପାଳନ କରାଯାଉଛି । ୧୯୯୯ରେ କାର୍ଗିଲର ଶିଖରରେ ଦେଶର ସୈନିକମାନଙ୍କ ଦ୍ୱାରା ପ୍ରଦର୍ଶିତ ସାହସିକତା ଇତିହାସରେ ସର୍ବଦା ସୁବର୍ଣ୍ଣ ଅକ୍ଷରରେ ଲେଖାଯିବ। ଆଜି ସେହି ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି। ଆଉ ରାଜନାଥ ସିଂ ମଧ୍ୟ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

୧୯୯୯ରେ ଲାହୋର ରାଜିନାମାକୁ ଅମାନ୍ୟ କରି ପାକିସ୍ତାନ ସେନା କଶ୍ମୀରର କାର୍ଗିଲ ଅଞ୍ଚଳରେ ପ୍ରବେଶ କରିଥିଲେ । ଭାରତ ଓ ପାକିସ୍ତାନ ମଧ୍ୟରେ ୨ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିବା ପରେ ପାକିସ୍ତାନକୁ ପରାସ୍ତ କରିଥିଲା ଭାରତ। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ବୀର ସୈନିକମାନଙ୍କ ଶକ୍ତିରେ ଏହି ଦେଶ ବାରମ୍ବାର ଉଠିଛି। କାର୍ଗିଲ ଯୁଦ୍ଧ ସମୟରେ ଅଟଳ ଜୀ ନିଜେ ପାକିସ୍ତାନ ଗସ୍ତ କରି କାଶ୍ମୀର ସମେତ ଅନ୍ୟାନ୍ୟ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପାକିସ୍ତାନ ତାଙ୍କ ପିଠିରେ ଛୁରୀ ଭୁସିଥିଲା।

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ସାମ୍ପ୍ରତିକ ସମୟରେ ଯେଉଁଭଳି ଭାବରେ ଯୁଦ୍ଧ କରିବାର ଯୋଜନା ବଢିଚାଲିଛି, ଆଗାମୀ ଦିନରେ ଜନସାଧାରଣ କେବଳ ପରୋକ୍ଷରେ ନୁହେଁ ବରଂ ପ୍ରତ୍ୟକ୍ଷ ଭାବରେ ମଧ୍ୟ ଏହି ଯୁଦ୍ଧରେ ଭାଗ ନେବାକୁ ପ୍ରସ୍ତୁତ ହେବା ଉଚିତ୍। ଜନସାଧାରଣ ମାନସିକ ସ୍ତରରେ ପ୍ରସ୍ତୁତ ହେବା ଆବଶ୍ୟକ ଯେ ଯେତେବେଳେ ବି ଦେଶ ସେମାନଙ୍କୁ ଆବଶ୍ୟକ କରିପାରେ। ତେଣୁ ଦେଶବାସୀ ସେନାଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ହେବା ଉଚିତ୍।

ସୂଚନା ଥାଉକି ମେ’ ୨୬ରେ ଭାରତୀୟ ବାୟୁସେନା ଏହାର ଅପରେସନ୍‌ ‘ସଫେଦ ସାଗର’ ଆରମ୍ଭ କରିଥିଲା। ସେହି ସମୟରେ ତତ୍କାଳୀନ ଅଟଳବିହାରୀ ବାଜପେୟୀଙ୍କ ଏନ୍‌ଡିଏ ସରକାର କୌଣସି ପରିସ୍ଥିତିରେ ବି ଭାରତୀୟ ବିମାନଗୁଡ଼ିକ ନିୟନ୍ତ୍ରଣ ରେଖା ନଡେଇଁବା ପାଇଁ ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ ଏ ବାଇ ଟିପନିସ୍‌ଙ୍କୁ ପରାମର୍ଶ କରିଥିଲେ। ଏଥିସହିତ ଯୁଦ୍ଧ ବେଳେ ନିୟନ୍ତ୍ରଣ ରେଖା ଡେଇଁବାକୁ ବାୟୁସେନା ଚାହିଁଥିଲା ବେଳେ ତାହାକୁ ମଧ୍ୟ ସରକାର ପ୍ରତ୍ୟାଖ୍ୟାନ କରିଥିଲେ।

ଏପରିକି ନୌସେନାର ପୂର୍ବତଟ ଓ ପଶ୍ଚିମତଟ ବାହିନୀ ଆରବ ସାଗରରେ ପଇଁତରା ମାରି ପାକିସ୍ତାନର ଯାବତୀୟ ବାଣିଜ୍ୟପଥ ବନ୍ଦ କରିଦେବାକୁ ଧମକାଇଥିଲା। କିନ୍ତୁ ଜୁଲାଇ ୨୬ରେ ଭାରତୀୟ ସେନା କାର୍ଗିଲ୍‌ରେ ପାକିସ୍ତାନ ନିର୍ମିତ ଘାଟିଗୁଡ଼ିକ ଧ୍ବଂସ କରି ବିଜୟ ହାସଲ କରିଥିଲେ। ଏହି ଯୁଦ୍ଧରେ ୫୨୭ ଜଣ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ପାକିସ୍ତାନର ୩୫୭ରୁ ୪୫୩ ଭିତରେ ସୈନିକଙ୍କର ମୃତ୍ୟୁ ହୋଇଥିବା କୁହାଯାଇଥିଲା।

Comments are closed.