ବେଙ୍ଗାଲୁରୁ: କର୍ଣ୍ଣାଟକରେ ବଦଳିବେ ମୁଖ୍ୟମନ୍ତ୍ରୀ ? ରାଜ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନକୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା। ଏମିତିକି ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ହେବା ନେଇ ଇଚ୍ଛା ପ୍ରକାଶ ବି କଲେଣି। ଆଉ ଏହି ବୟାନ ଏମିତି ସୟମରେ ଆସିଛି ଯେତେବେଳେ କି ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ତାଙ୍କ ଅଧା କାର୍ଯ୍ୟକାଳ ପୂରା କରିସାରିଛନ୍ତି। 2023 ନିର୍ବାଚନରେ ରାଜ୍ୟରେ କଂଗ୍ରେସ ଜିତିବା ପରେ ଅଢ଼େଇ ବର୍ଷ ପରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନକୁ ନେଇ ଭିତିରି ନିଷ୍ପତ୍ତି ହୋଇଥିଲା। ଏବେ ଏନେଇ ଆରମ୍ଭ ହୋଇଛି ଆଲୋଚନା।
ମନ୍ତ୍ରୀ ଟିମ୍ମାପୁର କହିଛନ୍ତି, ଦଳିତଙ୍କୁ କାହିଁକି ମୁଖ୍ୟମନ୍ତ୍ରୀ ପଦ ଦିଆଯାଉ ନାହିଁ ? ମୋତେ କାହିଁକି ମୁଖ୍ୟମନ୍ତ୍ରୀ କରାଯାଉ ନାହିଁ ? ବଡ଼ କଥା ହେଉଛି କର୍ଣ୍ଣାଟକ ସରକାରରେ କୌଣସି ଦଳିତ ନେତା ଉଚ୍ଚ ପଦରେ ନାହାନ୍ତି। ବର୍ତ୍ତମାନ ଯାଏ କେହି ଦଳିତ ନେତା ରାଜ୍ୟରେ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇ ନାହାନ୍ତି। କୁହାଯାଉଛି ମୁଖ୍ୟମନ୍ତ୍ରୀ ପଦ ରେସରେ ପଉମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମଜବୁତ ଦାବିଦାର ରହିଛନ୍ତି। 2023 ବିଧାନସଭା ନିର୍ବାଚନରେ କୁହାଯାଉଥିଲା ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ହେଲେ ପରବର୍ତ୍ତୀ ସମୟରେ ସିଦ୍ଧରମେୟାଙ୍କୁ କଂଗ୍ରେସ ମୁଖ୍ୟମନ୍ତ୍ରୀ କରିଥିଲା। ସେ ସମୟରେ ସିଦ୍ଧରମେୟା ଓ ଶିବକୁମାରଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦ ନେଇ ବିବାଦ ଦେଖାଯାଇଥିଲା।
ସୂଚନା ଥାଉକି କର୍ଣ୍ଣାଟକରେ କଂଗ୍ରେସ ସରକାର ଗଠନ କରିବା ପରେ ଶିବ କୁମାର ନା ସିଦ୍ଧରମେୟା ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ବିବାଦ ଲାଗିଥିଲା। ତେବେ ହାଇକମାଣ୍ଡଙ୍କ ହସ୍ତକ୍ଷେପରେ ସିଦ୍ଧରମେୟାଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରାଯାଇଥିଲା। ତେବେ ଅଢ଼େଇ ବର୍ଷରେ ବଦଳ ଫର୍ମୁଲାରେ ଦୁଇ ଜଣ ସହମତି ପ୍ରକାଶ କରିବାରୁ ସିଦ୍ଧରମେୟା ମୁଖ୍ୟମନ୍ତ୍ରୀ ହୋଇଥିଲେ ବୋଲି କୁହାଯାଉଥିଲା। ହେଲେ କଂଗ୍ରେସ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନଥିାଲା। ବର୍ତ୍ତମାନ ସିଦ୍ଧରମେୟାଙ୍କ ଅଢ଼େଇ ବର୍ଷ ପୂର୍ତ୍ତି ହୋଇଛି। ଏବେ ତାଙ୍କର ଅଢ଼େଇ ବର୍ଷର କାର୍ଯ୍ୟକାଳ ସରୁଥିବାରୁ ମୁଖ୍ୟମନ୍ତ୍ରୀ ରେସକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।