Latest Odisha News

କର୍ଣ୍ଣାଟକ ମନ୍ତ୍ରୀଙ୍କ ବିବାଦୀୟ ବୟାନ: ‘ମୋଦୀ ନାଁ ଜପୁଥିବା ଯୁବକ ମାନଙ୍କୁ ମାଡ଼ ମରାଯିବା ଦରକାର’

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ କର୍ଣ୍ଣାଟକ ମନ୍ତ୍ରୀଙ୍କ ବିବାଦୀୟ ବୟାନ। କର୍ଣ୍ଣାଟକ କୋପାଲ ଜିଲ୍ଲାରେ କଂଗ୍ରେସ ପକ୍ଷରୁ ଆୟୋଜିତ କର୍ମୀ ସମ୍ମିଳନୀରେ ମୋଦୀ ମୋଦୀ ନାରା ଦେଉଥିବା ଯୁବକ ମାନଙ୍କୁ ମାଡ଼ ମରାଯିବା ଦରକାର ବୋଲି କହି ବିବାଦରେ ମନ୍ତ୍ରୀ ଶିବରାଜ ଟାଙ୍ଗାଗୀ। ମୋଦୀ ବେରୋଜଗାରଙ୍କୁ ଚାକିରି ଦେବା ନେଇ ପ୍ରତିଶୃତି ଦେଇଥିଲେ। କିନ୍ତୁ ତାହା ପୂରଣ କରିନାହାଁନ୍ତି। ଏହା ପରେ ବି ଯେଉଁ ଛାତ୍ର ମୋଦି ମୋଦି ମାଳା ଜପୁଛନ୍ତି ସେମାନଙ୍କୁ ଚାପୁଡ଼ା ମାରିବା ଦରକାର ବୋଲି କହିଛନ୍ତି ଶିବରାଜ ଟାଙ୍ଗାଗୀ ।

ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରି ଶିବରାଜ କହିଛନ୍ତି, ଏବେ ମୋଦୀ ନିଜ ନିର୍ବାଚନୀ ଇସ୍ତାହାର ସାଙ୍ଗରେ ଆସୁଥିବା ବେଳେ ଲାଜ ଲାଗିବା ଉଚିତ। ବିକାଶ କ୍ଷେତ୍ରରେ ବିଫଳ ହେବା ସହିତ କେନ୍ଦ୍ରର ବିଜେପି ସରକାର ଯୁବକ ମାନଙ୍କୁ ନିଯୁକ୍ତି ଦେବାରେ ବିଫଳ ହୋଇଛି। କାରଣ ନିଜ ପୂର୍ବ ଇସ୍ତାହାରରେ ସେ ଦେଶର ୨ କୋଟି ଯୁବକଙ୍କୁ ଚାକିରି ଦେବାର ପ୍ରତିଶ୍ରୁତି ଦେଇଥିଲେ। ହେଲେ ବାସ୍ତବତା କ’ଣ ତାହା ତାଙ୍କୁ ହିଁ ଜଣା। ଏବେ ଚାକିରି କଥା ପଚାରିବା ବେଳକୁ ପକୁଡ଼ି ବିକ ବୋଲି କହୁଛନ୍ତି। ଏସବୁ ବିଫଳତାକୁ ନେଇ ବିଜେପି ଲୋକସଭା ନିର୍ବାଚନରେ ଭୋଟ ମାଗିବାକୁ ଆସିଲେ ସେମାନଙ୍କୁ ବିରୋଧ କରିବା ଉଚିତ।

କଂଗ୍ରେସ ନେତାଙ୍କ ଏପରି ଟିପ୍ପଣୀ ଉପରେ କଡ଼ା ପ୍ରତିକ୍ରିୟା ରଖିଛି ବିଜେପି। ବିଜେପି ନେତା ଅମିତ ମାଲବୀୟ କହିଛନ୍ତି, କଂଗ୍ରେସ ଏପରି ଏକ ରାଜନୈତିକ ଦଳ ତାହା ଯୁବବର୍ଗଙ୍କୁ ଟାର୍ଗେଟ କରିବାକୁ ପଛାଉ ନାହିଁ। ଯୁବକଙ୍କ ସ୍ୱରକୁ ସମ୍ମାନ ଦିଆଯିବା ଉଚିତ୍ ।

Comments are closed.