ବେଙ୍ଗାଲୁରୁ: କଣ୍ଣାଟକରେ କୁର୍ସି ବଦଳ
ସିଦ୍ଧରମୈୟା ଉଠିଲେ
ବସିବେ ଶିବକୁମାର!
କର୍ଣ୍ଣାଟକ ରାଜନୀତିରେ ବଡ ପରିବର୍ତ୍ତନ । ଏବେ ଶେଷ ହୋଇଛି ସବୁ ଧାଁ ଦୌଡ । ଗୁରୁବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ସିଦ୍ଧରମୈୟା । ଯାହାକୁ ଏବେ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ୍ ଗ୍ରହଣ କରିଛନ୍ତି। ସିଦ୍ଧରମୈୟା ଇସ୍ତଫାପତ୍ର ଦାଖଲ କରିବା ସମୟରେ ରାଜ୍ୟପାଳ ଉପସ୍ଥିତ ନଥିବା ବେଳେ ସେ ସଚିବଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଥିଲେ। ତଥାପି, ବେଙ୍ଗାଲୁରୁରେ ପହଞ୍ଚିବା ପରେ, ରାଜ୍ୟପାଳ ସିଦ୍ଧରମୈୟାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଯାହା ବର୍ତ୍ତମାନ ଉପମୁଖ୍ୟମନ୍ତ୍ରୀ ଥିବା ଡିକେ ଶିବକୁମାରଙ୍କ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାର ପଥ ପରିଷ୍କାର କରିଛି। କୁହାଯାଉଛି, ଡିକେ ଶିବକୁମାର ଜୁନ୍ ୧ କିମ୍ବା ଜୁନ୍ ୩ ରେ ଶପଥ ଗ୍ରହଣ କରିବେ।
ଗୋଟିଏ କି ୨ଟି ନୁହେଁ, ରହିବେ ୪ ଉପମୁଖ୍ୟମନ୍ତ୍ରୀ!
ବିଜେପି ଶସିତ ରାଜ୍ୟମାନଙ୍କରେ ଏବେ ଡବଲ ଉପମୁଖ୍ୟମନ୍ତ୍ରୀର ଟ୍ରେଣ୍ଡ୍ ଚାଲିଥିବା ବେଳେ କର୍ଣ୍ଣାଟକର ନୂଆ ସରକାର ଏବେ ନିଜର ୪ଜଣ ଉପମୁଖ୍ୟମନ୍ତ୍ରୀ ରଖିପାରନ୍ତି ବୋଲି ଚର୍ଚ୍ଚା ହେଉଛି । କୁହାଯାଇଛି, ସିଦ୍ଧରମୈୟା, ଡିକେ ଶିବକୁମାର ଏବଂ ରଣଦୀପ ସୁରଜେୱାଲା ଦଳର ଶୀର୍ଷ ନେତୃତ୍ୱ ସହିତ ଆଲୋଚନା କରିବେ। ଏହି ବୈଠକରେ ରାଜ୍ୟସଭା ପ୍ରାର୍ଥୀ, ଏମଏଲସି ପ୍ରାର୍ଥୀ ଏବଂ କ୍ୟାବିନେଟ୍ ପୁନର୍ଗଠନ ଉପରେ ଧ୍ୟାନ ଦିଆଯିବ। ସିଦ୍ଧରମୈୟା କ୍ୟାବିନେଟର ଅନେକ ମନ୍ତ୍ରୀଙ୍କୁ ଡିକେ ଶିବକୁମାରଙ୍କ ନେତୃତ୍ୱାଧୀନ କ୍ୟାବିନେଟରେ ସ୍ଥାନ ମିଳିବାର ସମ୍ଭାବନା କମ୍। ସରକାରରେ ସାମାଜିକ ଏବଂ ଆଞ୍ଚଳିକ ସନ୍ତୁଳନ ବଜାୟ ରଖିବା ପାଇଁ ଚାରି ଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତ କରାଯାଇପାରେ। ଆହୁରି ମଧ୍ୟ ସିଦ୍ଧରମୈୟା କ୍ୟାବିନେଟରେ ପିଡବ୍ଲୁଡି ମନ୍ତ୍ରୀ ସତୀଶ ଜାରକିହୋଲିଙ୍କୁ କେପିସିସି ସଭାପତି ପଦ ପ୍ରଦାନ କରାଯାଇଛି। ତାଙ୍କୁ କୁହାଯାଇଛି ଯେ ସେ କ୍ୟାବିନେଟ ଏବଂ କେପିସିସି ପଦବୀ ମଧ୍ୟରୁ ବାଛିପାରିବେ। ଏଥିସହିତ ଦାବି ଏହା ବି ହେଉଛି ଯେ, ଶିବକୁମାର କ୍ୟାବିନେଟରେ ସିଦ୍ଧରମୈୟାଙ୍କ ପୁଅ ୟଥିନ୍ଦ୍ର ସିଦ୍ଧରମୈୟା ମନ୍ତ୍ରୀ ପଦ ପାଇପାରନ୍ତି ।
ତେବେ କହିରଖୁଛୁ, କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ କିଛି ମାସ ଧରି ଲାଗି ରହିଥିଲା। ତଥାପି, ଏହି ବିବାଦର ସମାଧାନ ପାଇଁ କଂଗ୍ରେସ ଦଳ ଦିଲ୍ଲୀରେ ଏକ ବଡ଼ ବୈଠକ ଡାକିଥିଲା। ସିଦ୍ଧରମୈୟା ଏବଂ ଡିକେ ଶିବକୁମାର ଉଭୟ ବୈଠକରେ ଯୋଗ ଦେଇଥିଲେ। କୁହାଯାଇଥିଲା ଯେ ରାହୁଲ ଗାନ୍ଧୀ ଯାହା ନିଷ୍ପତ୍ତି ନେବେ ତାହା ଫାଇନାଲ ନିଷ୍ପତ୍ତି ହେବ। ଆଉ ଶେଷରେ ଏହା ସିଦ୍ଧରମୈୟାଙ୍କ ଇସ୍ତଫାର କାରଣ ହୋଇଥିଲା। ଏବେ, ଡିକେ ଶିବକୁମାର ଆସନ୍ତା ସପ୍ତାହରେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଡିକେ ଶିବକୁମାର ପୂର୍ବରୁ ଅନେକ ଥର ମୁଖ୍ୟମନ୍ତ୍ରୀ ପଦ ପାଇଁ ନିଜର ଦାବି ଉପସ୍ଥାପନ କରିଥିଲେ।
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ, ସିଦ୍ଧରମୈୟା ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, “ହାଇକମାଣ୍ଡ ମୋତେ ଇସ୍ତଫା ଦେବାକୁ କହିବା ପରେ ମୁଁ ଆଜି ମୋର ଇସ୍ତଫା ପ୍ରଦାନ କରିଛି । ଏଥିସହିତ ସିଦ୍ଧରମୈୟା ରାଜ୍ୟସଭା ଯିବା ନେଇ ସିଧା ସିଧା ମନା କରିଦେଇଥିଲେ । ସେ କହିଛନ୍ତି ଯେ ରାଜ୍ୟର ସ୍ୱାର୍ଥ ତାଙ୍କ ପାଇଁ ସର୍ବୋପରି। ସେ କହିଛନ୍ତି, ‘ମୁଁ କେବେ ଅଧିକାରୀ କିମ୍ବା ଟଙ୍କା ପଛରେ ଗୋଡ଼ାଇ ନାହିଁ, କିମ୍ବା କୌଣସି ସମ୍ପତ୍ତି ନିର୍ମାଣ କରିନାହିଁ। ଭୋଟରଙ୍କ ସେବା କରିବା ମୋର ପ୍ରାଥମିକତା। ମୁଁ ୫୦ ବର୍ଷ ଧରି ରାଜନୀତିରେ ଅଛି। ମୋର ରାଜନୈତିକ ଜୀବନ ଏକ ଖୋଲା ପୁସ୍ତକ’ ବୋଲି ମୁଖ୍ୟମନ୍ତ୍ରୀ ଭାବରେ ନିଜର ଶେଷ ବୟାନ ରଖିଥିଲେ ସିଦ୍ଧରମୈୟା ।