ଭୁବନେଶ୍ୱର: ଆସନ୍ତାକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ହିନ୍ଦୁମାନଙ୍କ ପାଇଁ ଏହି ପୂର୍ଣ୍ଣିମାର ମହତ୍ୱ ସର୍ବାଧିକ । ଏହି ଦିନ ଚନ୍ଦ୍ର କିରଣରେ ପ୍ରଚୁର ପରିମାଣର ସକାରାତ୍ମକ ଶକ୍ତି ରହିଥାଏ । ଏହି ପୂର୍ଣ୍ଣମୀରେ ଉପବାସ ବ୍ରତ ରଖିଲେ ହଜାରେ ଅଶ୍ୱମେଧ ଯଜ୍ଞ ଓ ରାଜସ୍ବୟ ଯଜ୍ଞର ଫଳପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି ।
ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ କାର୍ତ୍ତିକ ମାସ ଶୁକ୍ଲପକ୍ଷ ପୂର୍ଣ୍ଣିମା ତିଥିକୁ କାର୍ତ୍ତିକ ପୂର୍ଣ୍ଣିମା କୁହାଯାଏ । ପୌରାଣିକ କଥାବସ୍ତୁ ଅନୁସାରେ ଏହି ଦିନ ଦେବଦେବ ମହାଦେବ ଶିବ ତ୍ରିପୁରାସୁର ନାମକ ଏକ ଅସୁରକୁ ବଧ କରିଥିଲେ । ଏହି କାରଣରୁ କାର୍ତ୍ତିକ ପୂର୍ଣ୍ଣିମାକୁ ତ୍ରିପୁରା ପୂର୍ଣ୍ଣମୀ ବୋଲି ମଧ୍ୟ କୁହାଯାଇଥାଏ ।ଏହା ବ୍ୟତୀତ କାର୍ତ୍ତିକ ପୂର୍ଣ୍ଣମୀରେ ହିଁ ଭଗବାନ ବିଷ୍ଣୁ ମତ୍ସ୍ୟ ଅବତାର ଧାରଣ କରିଥିଲେ ବୋଲି ପୁରାଣରେ ବର୍ଣିତ ରହିଛି ।
କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମା ଲକ୍ଷ୍ମୀଙ୍କୁ ଆରାଧନା କଲେ ଜୀବନରେ ସୁଖ, ସମୃଦ୍ଧି କମ ହୁଏନାହିଁ ବୋଲି ବିଶ୍ୱାସ ରହିଛି । ଅଶ୍ୱସ୍ଥ ବୃକ୍ଷ ମା ଲକ୍ଷ୍ମୀଙ୍କର ବାସସ୍ଥାନ ବୋଲି ବିବେଚନା କରାଯାଏ । ତେଣୁ ଏହି ଦିନ ଅଶ୍ୱସ୍ଥ ବୃକ୍ଷକୁ ଆରାଧନା କରିବା ସହ ଏଠି ଦୀପଦାନ କଲେ ବିଶେଷ ଫଳ ପ୍ରାପ୍ତି ହୋଇଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ।
କିଭଳି ପାଳନ କରାଯାଏ କାର୍ତ୍ତିକ ପୂର୍ଣ୍ଣିମା :
୧. ବ୍ରହ୍ମ ମୁହୂର୍ତ୍ତରେ ଶଯ୍ୟା ତ୍ୟାଗ କରି ବ୍ରତ ନିମନ୍ତେ ସଂକଳ୍ପ କରନ୍ତୁ ।
୨. ଏହିଦିନ ବିଭିନ୍ନ ପବିତ୍ର ଜଳାଶ୍ରୟ, ତୀର୍ଥ ସ୍ଥାନରେ ଥିବା ଜଳାଶ୍ରୟରେ ସ୍ନାନ କରିବାର ପରମ୍ପରା ରହିଛି ।
୩. ସ୍ନାନ କରିବା ସମୟରେ ଆର୍ଯ୍ୟ ଭୂମିରେ ଥିବା ସମସ୍ତ ତୀର୍ଥ ସ୍ଥାନକୁ ଧ୍ୟାନ କରିବାକୁ ହେବ ।
୪. ସ୍ନାନ ସରିବାପରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବେ ।
୫. ଭଗବାନ ବିଷ୍ଣୁଙ୍କ ପାଇଁ ସତ୍ୟ ନାରାୟଣ କଥା ଆୟୋଜନ କରିବେ ।
୬. ଏହି ଦିନ ଗରିବଙ୍କ ମଧ୍ୟରେ ଫଳ, ଧାନ, ଚାଉଳ, ଦଳି, ଶୀତବସ୍ତ୍ର ଆଦି ଦ୍ରବ୍ୟ ବିତରଣ କରିବେ ।
୭. ଶିବଲିଙ୍ଗରେ ଜଳ ଅର୍ପଣ କରି ଶିବ ପଞ୍ଚାକ୍ଷର ମନ୍ତ୍ର ଓଁ ନମଃ ଶିବାୟ ଜପ କରିବେ।
Comments are closed.