ଯାଜପୁର : ସର୍ବସମ୍ମୁଖରେ ପୂର୍ବତନ ସରପଞ୍ଚଙ୍କ ଉପରେ ମରଣାନ୍ତକ ଆକ୍ରମଣ କଲେ ଯୁବକ । ପ୍ରଥମେ ଗାଳି ତା’ ପରେ ବେଲ୍ଟରେ ମାଡ଼। । ଜଣେ ନୁହେଁ ଏକାଧିକ ବ୍ୟକ୍ତିଙ୍କ ଦ୍ଵାରା ଚାଲିଛି ଆକ୍ରମଣ । ମନ ଇଚ୍ଛା ପିଟିଦେଇଗଲେ ସୋଶିଆଲ ମିଡିଆରେ ଭିଡିଓ ହେଲା ଭାଇରାଲ । ଭିଡିଓଟି ଯାଜପୁରର ହୋଇଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି କସପା ପଞ୍ଚୟାତର ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ସାହୁ । ଦିନ ଦ୍ଵି ପ୍ରହରରେ ବରିଷ୍ଠ ପୂର୍ବତନ ସରପଞ୍ଚଙ୍କ ଉପରେ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି ସ୍ଥାନୀୟ ଅଞ୍ଚଳର ୮ରୁ ଉର୍ଦ୍ଧ୍ୱ ଯୁବକ । ଭିଡିଓ ଭାଇରାଲ ପରେ ପୋଲିସ ୩ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବଢ଼ିବାରେ ଲାଗିଛି ଅସନ୍ତୋଷ ।
ସୂଚନା ଅନୁଯାୟୀ, ପାଞ୍ଚ ପାଞ୍ଚ ଥର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ ଲକ୍ଷ୍ମୀଧର । ସେ ମଧ୍ୟ କ୍ଷମତାସୀନ ବିଜୁ ଜନତା ଦଳର ଜଣେ ବରିଷ୍ଠ କର୍ମୀ । ତେବେ ପରିଣତ ବୟସରେ ସେ କିଛି ଯୁବଗୋଷ୍ଠୀଙ୍କ ଦ୍ବାରା ଆକ୍ରମଣର ଶୀକାର ହୋଇଛନ୍ତି । ରାଜନିତିକ ଆକ୍ରୋଶ ରଖି ଯୁବକମାନେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଲକ୍ଷ୍ମୀଧର । ଆକ୍ରମଣରେ ଆହତ ହୋଇ ସେ ଜିଲ୍ଲା ହେଡକ୍ୱାଟର ହସପିଟାଲ ଓ ପରେ କଟକ ବଡ ମେଡିକାଲରେ ଚିକିତ୍ସିତ ହୋଇଥିବା ଜଣାପଡିଛି ।
ତେବେ ଆକ୍ରମଣ ସମୟର ଭିଡିଓ ଭାଇରାଲ ପରେ ପୋଲିସ ଭିଡିଓଟିକୁ ଯାଞ୍ଚ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ଅଛି । ଗିରଫ ଅଭିଯୁକ୍ତ ୩ ଜଣ ହେଲେ ଦେବଦତ୍ତ ଦାସ, ସନ୍ତୋଷ ମହାନ୍ତି ଓ ମାନସ ମହାନ୍ତି । ସେମାନଙ୍କ ଜାମିନ ନାମଞ୍ଜୁର ଯୋଗୁଁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଯାଇଛି । ଅନ୍ୟ ଅଭିଯୁକ୍ତ ମାନେ ଫେରାର ରହିଥିବା ପୋଲିସ୍ ପକ୍ଷରୁ କୁହାଯାଇଛି । ତେବେ ଏ ସମ୍ପର୍କରେ କ୍ୟାମେରା ଆଗରେ ପୋଲିସ୍ ତାର ପ୍ରତିକ୍ରିୟା ରଖିବାକୁ ମନାକରିଛି ।
Comments are closed.