Latest Odisha News

ଶ୍ରାବଣ ପ୍ରଥମ ସୋମବାର: ଏପଟେ ଶୁଭୁଛି ହରହର ବମ…ସେପଟେ ମନ୍ଦିର ଭିତରେ ଆଖି ବୁଜିଦେଲେ କାଉଡ଼ିଆ

ଭୁବନେଶ୍ୱର:  ଶ୍ରାବଣ ମାସ ପ୍ରଥମ ସୋମବାରରେ ଶୈବପୀଠରେ ଭକ୍ତଙ୍କ ଭିଡ । ମହାଦେବଙ୍କ ପାଖରେ ଜଳଲାଗି କରିବା ପାଇଁ କାଉଡିଆଙ୍କର ଲାଗିଥିଲା ଲମ୍ବାଧାଡି । ସାରା ଏକାମ୍ର କ୍ଷେତ୍ରରେ ଗୁଞ୍ଜରି ଉଠୁଥିଲା ହର ହର ମହାଦେବ ସ୍ୱର  ।   କାନ୍ଧରେ କାଉଡ଼ି ଧରି କାଉଡ଼ିଆମାନେ ଲିଙ୍ଗରାଜ ମନ୍ଦିର, ଭାସ୍କରେଶ୍ୱର, ମେଘେଶ୍ୱର ଆଦି ଶୈବପୀଠରେ ସକାଳୁ ସକାଳୁ ଧାଡି ଲଗାଇଥିଲେ ।  ଭକ୍ତମାନେ ପାଣି ଢାଳି ଖୁସିରେ ଫେରି ଯାଉଥିବାବେଳେ ସେପଟେ  ଦେବଗଡ ଜିଲ୍ଲାରେ ଘଟିଛି ଦୁଃଖଦ ଘଟଣା । ଦେବଗଡରେ ପ୍ରସିଦ୍ଧ ଶୈବପୀଠ ଝାଡେଶ୍ୱର ମନ୍ଦିରରେ ଜଣେ କାଉଡିଆଙ୍କର ଶୋଇଥିବାବେଳେ ମୃତ୍ୟୁ ଘଟିଛି ।

ପ୍ରଥମ ସୋମବାରରେ  ଭକ୍ତଙ୍କ ଭିଡ ଦେଖି ରାଜଧାନୀରେ ବଡି ଭୋରରୁ ମନ୍ଦିରସବୁ  ଖୋଲି ଯାଇଥିଲା ।   ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ   ଭୋର ୩ଟାରୁ ମନ୍ଦିର ଦ୍ୱାର ଫିଟା, ସାଢ଼େ ୩ଟାରେ ଆଳତି, ଅବକାଶ ନୀତି ପରେ ଭୋର ୪ଟା ସୁଦ୍ଧା ସାହାଣ ମେଳା ଦର୍ଶନ ବ୍ୟବସ୍ଥା କରାଯାଇଥିଲା ।  ଅନ୍ୟ ମନ୍ଦିରମାନଙ୍କରେ ମଧ୍ୟ ଅନୁରୂପ ବ୍ୟବସ୍ଥା କରାଯାଇଥିଲା ।

କମିଶନରେଟ୍ ପୁଲିସ ପକ୍ଷରୁ କାଉଡିଆଙ୍କର ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା ସହ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । କାଉଡ଼ିଆଙ୍କ ଯିବା ଆସିବା ବାଟରେ ୧୨ଟି ମୋବାଇଲ ପେଟ୍ରୋଲିଂ ଟିମ୍ ଓ ୧୩ଟି ପିସିଆର ରହିବାର ବ୍ୟବସ୍ଥା କରାଯାଇଛି ।

ଅନ୍ୟପକ୍ଷେ  ଦେବଗଡରେ ପ୍ରସିଦ୍ଧ ଶୈବପୀଠ ଝାଡେଶ୍ୱର ମନ୍ଦିରରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ।  ମନ୍ଦିରରେ ଶୋଇଥିବାବେଳେ ଜଣେ କାଉଡିଆଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଦେଓଝରଣ ଗାଁର ବିଭୂତି ବେହେରା ।

ରାତିରେ ମନ୍ଦିର ମଣ୍ଡପରେ ଅନ୍ୟମାନଙ୍କ ସହ ବିଭୂତି ଶୋଇଥିଲେ । ରାତି ୩ଟାରେ ଜଳାଭିଷେକ ପାଇଁ ତାଙ୍କୁ ସାଥୀ କାଉଡିଆ ଉଠାଇଥିଲେ । ହେଲେ ସେ  ଉଠିନଥିଲେ । ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଦେବଗଡ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଢେଙ୍କାନାଳ ଜିଲ୍ଲାର ଏକ ଡିପ୍ଲୋମା ଇଞ୍ଜିନିୟରିଂ କଲେଜରେ ପିଅନ ଭାବେ କାର୍ଯ୍ୟରତ ଥିଲେ ବିଭୂତି ।

Comments are closed.