Latest Odisha News

BREAKING NEWS

ଓଡ଼ିଶାର ଚାଷୀଙ୍କ ଉପରେ କେସିଆରଙ୍କ ନଜର

ଭୁବନେଶ୍ୱର: ଭାରତ ରାଷ୍ଚ୍ର ସମିତି (ବିଆରଏସ) ଓଡ଼ିଶାରେ ପ୍ରବେଶ କରିବା ନେଇ ଜୋରଦାର ପ୍ରସ୍ତୁତି ଚଳାଇଛି। ଦକ୍ଷିଣ ଓଡ଼ିଶାର ନେତାଙ୍କୁ ବିଆରଏସ ସଭାପତି ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଭେଟିବା ପରେ ଏବେ ସାମ୍ନାକୁ ଆସିଛି ଆଉ ରାଜ୍ୟରେ ନବ ନିର୍ମାଣ ସଂଗଠନର ବିଆରଏସ ଲିଙ୍କ୍। ଆଉ ହାଇଦ୍ରାବାଦରୁ ଓଡ଼ିଶାର ଏହି ଚାଷୀ ସଂଗଠନ ପରିଚାଳିତ ହେଉଛି ବୋଲି ପରୋକ୍ଷାରେ ସୂଚନା ଦେଇଛନ୍ତି ସଂଗଠନର ନେତୃତ୍ବ ନେଉଥିବା ଚାଷୀ ନେତା ଅକ୍ଷୟ କୁମାର। ଏପିରିକି ନିଜେ ମଧ୍ୟ କେସିଆରଙ୍କୁ ଭେଟିଥିବା ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ଓଡିଶାର ଚାଷୀ ନେତା ଅକ୍ଷୟ କୁମାର କେସିଆରଙ୍କୁ ଭେଟି ରାଜନୈତିକ ସ୍ତରରେ ଭାଗିଦାରୀ ନେଇ ଆଲୋଚନା କରିବା ସହ ବିଆରଏସ କିଭଳି ଓଡିଶାରେ ପ୍ରବେଶ  କରିବ ସେ ନେଇ ଆଲୋଚନା ହୋଇଥିବା ସୂଚନା ରହିଛି। ଏମିତିକି, ନିକଟରେ ଓଡ଼ିଶାରେ ହୋଇଥିବା ଚାଷୀ ଆନ୍ଦୋଳନକୁ ବିଆରଏସ ମଧ୍ୟ ସମର୍ଥନ କରୁଥିବା କୁହାଯାଉଛି।

ଅକ୍ଷୟ କୁମାର କହିଛନ୍ତି, ବିଆରଏସ୍ ସହ ଆମର ସମ୍ପୃକ୍ତିର କାରଣ ହେଉଛି ସେମାନଙ୍କର ସ୍ଲୋଗାନ୍ ‘ଅବ କି ବାର କିଷାନ ସରକାର’ କୃଷକଙ୍କ ସ୍ୱାର୍ଥକୁ ଆଗକୁ ନେବା ଆମର ମୂଳ ଲକ୍ଷ୍ୟ। ଓଡ଼ିଶା ସରକାର ଆମ ଦାବି ପ୍ରତି କର୍ଣ୍ଣପାତ କରୁନାହାନ୍ତି। ଯେତେବେଳେ କେସିଆର ଆମ ଚାଷୀଙ୍କ ପାଇଁ ସହାୟତାର ହାତ ବଢ଼ାଇଲେ, ଆମେ ଏହାକୁ ଗ୍ରହଣ କରିଛୁ। ଓଡିଶାରେ ବିଜେଡି ଓ ବିଜେପିକୁ ହରାଇବା ପାଇଁ ଆମେ ଏକ ଅଲଗା ସଙ୍ଗଠନ ଗଠନ କରିବୁ ବୋଲି ନବ ନିର୍ମାଣ ସଂଗଠନର ସଂଯୋଜକ ଶେଷଦେବ ନନ୍ଦ ଦାବି କରିଛନ୍ତି।

ଏପରିକି କେସିଆରଙ୍କୁ ଭେଟିବା ପାଇଁ ହାଇଦ୍ରାବାଦ ଯାଇଥିବା ବିଜେପି ନେତା ଶିଶିର ଗମାଙ୍ଗ କହିଛନ୍ତି, ତେଲେଙ୍ଗାନାରେ ଚାଷୀଙ୍କୁ ମିଳୁଥିବା ସୁବିଧା ଓଡ଼ିଶାରେ ମିଳୁଥିବା ସୁବିଧାଠାରୁ ବହୁତ ଅଧିକ। ସେପଟେ ବିଆରଏସ୍ ଓଡ଼ିଶା ଆସିଲେ କାହାର ଭୋଟ୍ କ୍ଷତି ହେବ ତାକୁ ନେଇ ରାଜନୈତିକ କରିଡରରେ ଚର୍ଚ୍ଚା ଜୋର ଧରିଛି। ତେବେ ବିଆରଏସ୍ ପ୍ରବେଶ ଯୋଗୁଁ ଓଡ଼ିଶାରେ ବିଜେପି, ବିଜେଡି ଓ କଂଗ୍ରେସ ସେମାନଙ୍କ ଉପରେ କୌଣସି ପ୍ରଭାବ ପଡ଼ିବା କଥାକୁ ଅସ୍ୱୀକାର କରିଛନ୍ତି।

ବିଜେପି ନେତା ସୁରଥ ବିଶ୍ୱାଳ ବିଆରଏସଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଓଡ଼ିଶାରେ ସେମାନଙ୍କର କ’ଣ ବିଶ୍ୱସନୀୟତା ରହିଛି। ସେମାନେ କେବେ ବି ଓଡ଼ିଶାର ଚାଷୀମାନଙ୍କ ସହ ନାହାନ୍ତି। ଓଡ଼ିଶାରେ ସେମାନଙ୍କର ଗ୍ରହଣୀୟତା ନଗଣ୍ୟ ବୋଲି ସେ ଦାବି କରିଛନ୍ତି।

ଲୋକମାନେ କେବଳ ନିଜ ସ୍ୱାର୍ଥ ପାଇଁ ବିଆରଏସରେ ଯୋଗ ଦେବାକୁ ଯାଉଛନ୍ତି। ଓଡିଶା କଥା ଭୁଲି ଯାଆନ୍ତୁ, କୋରାପୁଟରେ ବି ବିଆରଏସର କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି।

ତେବେ ବିଆରଏସଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। କେସିଆରଙ୍କୁ ବ୍ୟଙ୍ଗାତ୍ମକ ଢଙ୍ଗରେ କଟାକ୍ଷ କରି ସେ କହିଛନ୍ତି, ନିର୍ବାଚନରେ ମୁଁ ଜଣେ ଯୋଗ୍ୟ ପ୍ରତିଦ୍ୱନ୍ଦ୍ୱୀ ଚାହେଁ। ଯଦି ସେମାନେ ଓଡ଼ିଶାରେ କୃଷକ ଭାବେ ସଫଳ ହୋଇପାରିବେ, ତେବେ ସେମାନଙ୍କୁ ସବୁଠୁ ଅଧିକ ସ୍ୱାଗତ କରାଯାଉଛି। ଆମେ ସେମାନଙ୍କୁ ସମ୍ମାନିତ କରିବୁ।

 

Comments are closed.