କେହିଜଣେ ଯିବା ପରେ
ଦେବବ୍ରତ ଦାସ
ସେଦିନଠୁ ସପ୍ତାହ ସାରା ଦେବ ଭାବି ହେଉଥିଲା ମାୟା କଥା । ଯେତେଥର ମାୟା ମନେପଡୁଥିଲା ସେତେଥର ସେ ଭାବୁଥିଲା ଯେ ଏଇକଥାଟା ସେ ମାୟାକୁ କହିବ ନା ନାହିଁ। ପୁଣି ଭାବିଲା ବୋଧହୁଏ ଏକଥା ବୁଝିସାରିଛି ମାୟା । ହେଲେ ସବୁଥର ପରି ଏଥର ଉଇକଏଣ୍ଡରେ ମରିନଡ୍ରାଇଭ ଗଲେ ମାୟା ଯଦି ଆଗପରି ସେଇଠି ସେମିତି ଦୂରଦିଗବଳୟକୁ ଅନେଇ ବସିଥିବ ତାହେଲେ ତାକୁ କ’ଣ କହି ବୁଝେଇବ ସେ । କ’ଣ କହି ତାକୁ ଭୁଲେଇଦେବ ତା’ ଭୟଙ୍କର ଅତୀତ । ଏଇସବୁ ପ୍ରଶ୍ନ ବାରମ୍ବାର ପାହାଡ ପରି ଠିଆ ହେଉଥିଲା ଦେବ ସାମ୍ନାରେ । ଯେବେ ଯେବେ ଆଖି ସାମ୍ନାକୁ ଆସିଯାଉଥିଲା ମାୟାର ମୁହଁ ସେବେ ସେବେ ମନେପଡ଼ିଯାଉଥିଲା ତା’ ଅତୀତ । ପୁଣି ମନେପଡୁଥିଲା ମରିନଡ୍ରାଇଭ, ତା’ ଧଳା ସାଲୁଆର, ତା’ ଉଦାସ ଆଖି । ଅଫିସରେ କାମ କରୁକରୁ କାହିଁକି ହଠାତ ଆଖି ସାମ୍ନାକୁ ଆସିଯାଏ ମାୟାର ଲୁହ ଛଳଛଳ ଆଖି ତାକୁ ଜଣାନାହିଁ । ରାସ୍ତାରେ ଯାଉଥିବା କେହି ଯଦି ଧଳା ସାଲୁଆର ପିନ୍ଧି ଯାଉଥାଏ ତାହେଲେ ତାକୁ ଦେଖିବା ପୂର୍ବରୁ ଛାତିର ସ୍ପନ୍ଦନ ଟିକେ ଜୋର ଜୋର ଧାଏଁ । ସେଇଠୁ ସାଙ୍ଗେ ସାଙ୍ଗେ କ୍ୟାଲେଣ୍ଡର ଚେକ କରି ଦେବ ଗୋଟେ ଦୀର୍ଘ ନିଶ୍ୱାସ ପକେଇ ଭାବେ ଯେ କେବେ ଆସିବ ଶନିବାର । କେବେ ସେ ଦେଖାକରିବ ମାୟାକୁ ।
ଶନିବାର ଆସିଲା । ଦେବ ଅଫିସ ସାରି ମରିନଡ୍ରାଇଭ ଅଭିମୁଖେ ଚାଲିଲା । ମରିନଡ୍ରାଇଭ ଆକାଶରେ କଳାମେଘ । ଗୁମ ହେଇ ଠିଆହେଇଥିବା ଗଛପତ୍ର । ମୁହଁ ଶୁଖେଇଥିବା ପବନ । ପୋଲିସର ଇର୍ଷାଭରା ଚାହାଣୀ । ଏ ସମସ୍ତେ କହୁଥିଲେ ଆଜି ନିଶ୍ଚୟ କିଛି ଘଟିବାକୁ ଯାଉଛି । ଫେରିବାଲାଠୁ ଗୋଟେ ଚିପସ ପେକେଟ କିଣିଲା । ସବୁଦିନ ମାୟା ବସୁଥିବା ଜାଗା ଆଡକୁ ଦେବ ଆଗେଇ ଆଗେଇ ଚାଲିଲା । ତା’ର ହୃଦସ୍ପନ୍ଦନ ବଢ଼ିବାରେ ଲାଗିଥାଏ । ଦେବ ଭାବୁଥାଏ ବୋଧହୁଏ ଆଜି ଗୋଟେ ନୂଆ କାହାଣୀ ଆରମ୍ଭ ହେଇଯିବ । ଅହରହ ଯନ୍ତ୍ର ଭଳି ଚାଲୁଥିବା ତା’ ଜୀବନରେ ଆଜି ବୋଧହୁଏ ଜାନ ଆସିଯିବ । କିନ୍ତୁ ମାୟା ମନରେ କ’ଣ ତା’ପାଇଁ ଜାଗା ଥିବ? ଯଦି ମାୟା ତା’ କଥାରେ ରାଜି ହେଇଯାଏ ତାହେଲେ ତାକୁ ଦେବ ହିସାବରେ ଗ୍ରହଣ କରିବ ନା ସୁଶୀଲ ଭାବରେ? ସେ ତାକୁ ପାଇଲେ ସୁଶୀଲକୁ ଭୁଲିଯିବ କି ନାଇଁ?
ଏମିତି ସବୁ ଭାବୁ ଭାବୁ ପାଖରେ ଯାଇ ଦେଖେ ତ ମାୟା ସେଇଠି ନାହିଁ । ଏପାଖ ସେପାଖ ଚାରିଆଡକୁ ଅନେଇଲା । କାଳେ ଆଉ କେଉଁଠି ବସିଥିବ କି ମାୟା । ଏମୁଣ୍ଡରୁ ସେମୁଣ୍ଡ ଦୁଇଚାରିଥର ଚକ୍କର କାଟିଲା । ହେଲେ କେଉଁଠିବି ମାୟା ନଥିଲା । ଦୁଇଚାରିଥର ରାଉଣ୍ଡ ମାରିସାରିଲା ପରେ ନିରାଶ ହେଇ ସେ ବସିପଡ଼ିଲା ସେଇଠି ଯେଉଁଠି ଫିଥର ମାୟା ବସିଥାଏ । କାହିଁକି ଆସିନାହିଁ ମାୟା । କ’ଣ ହେଲା ତା’ର । କିଛି ଭୁଲ ନିଷ୍ପତ୍ତି ନେଇଗଲା କି । କିଛି ଅଘଟଣ ଘଟିଲା କି ତା’ ସହ । ମାୟା ଜାଣିପାରିଥିଲା କି ତା’ ମନର କଥା । ଏମିତି ସବୁ କେତେକଥା ତା’ ମୁଣ୍ଡକୁ ଆସୁଥିଲା ଭିତରେ ସେ ବାରମ୍ବାର ଚିପସ ପେକେଟକୁ ଦେଖୁଥିଲା ପୁଣି ପାଖରେ ରଖି ତା’ଉପରେ ବ୍ୟାଗ ଢ଼ାଙ୍କି ଦେଉଥିଲା । ଅଳ୍ପଦୂରରେ ଉଡ଼ିଯାଉଥିଲା ଗୋଟେ ପକ୍ଷୀ । ଧୀରେଧୀରେ ଜକେଇ ଆସୁଥିଲା ଦେବର ଆଖି । ମରିନଡ୍ରାଇଭରୁ ଭିଡ଼ ଭାଙ୍ଗୁଥିଲା । ଦେଖିଲା ବେଳକୁ ରାତି ସାଢେ଼ ଆଠ ବାଜିଲାଣି । ସାଙ୍ଗମାନଙ୍କର ଫୋନ ଆସିଲା । ଉଠିପଡ଼ିଲା ଦେବ । ଚିପସ ପେକେଟଟା ସମୁଦ୍ର ମୁହଁକୁ ଏମିତି ଫିଙ୍ଗିଦେଇଆସିଲା ଯେମିତି ଆଜି ସମୁଦ୍ର ସବୁ ଛଡେ଼ଇ ନେଇଛି ତା’ଠୁ । ସତେ ଯେମିତି ସେ କହୁଥିଲା – ସବୁ ତ ନେଲୁ । ନେ ଏଇଟାବି ରଖ । ସେ ସେଇଠୁ ଫେରୁଥିଲା ସତ ହେଲେ ତଥାପି ତା’ ମନ ବୁଝୁ ନଥାଏ । ଚାରିଆଡକୁ ଟିକିଏ ନିରିଖେଇ ଦେଖୁଥାଏ । କାଳେ କେଉଁଠି ଦିଶିଯିବ କି ମାୟା ।
ସେଦିନ ତା’ ସାରାରାତି ନୂଆ ଏକ ଅନିଦ୍ରାରେ ବିତିଲା । ପରଦିନ ରବିବାର । ଦିନରୁ ଦିନରୁ ସବୁକାମ ସାରିଦେଇ ସନ୍ଧ୍ୟାକୁ ଚାତକ ପରି ଅପେକ୍ଷା କରି ରହିଥିଲା ଦେବ । ସନ୍ଧ୍ୟା ହେଲେ ମାୟା ସହ ଦେଖା କରିବାକୁ ମରିନଡ୍ରାଇଭ ଯିବ । କାଳେ ଗତକାଲି ବୋଧହୁଏ କିଛିକାମ ପାଇଁ ସେ ଆସି ନଥିବ । ଆଜି ତ ନିଶ୍ଚିତ ଆସିବ । ମାୟା ଯାହା ଭାବିଲେ ଭାବୁ ପଛକେ ଆଜି ତା’ ମନକଥା ସବୁ ଗୋଟି ଗୋଟି କରି କହିଦବ ମାୟାକୁ । କିଏ ଜାଣେ କାଲି ଥିବ କି ନାହିଁ ଭାଗ୍ୟରେ । ପୁଣି ଭାବିଲା ବେଶି କିଛି ଆଉ ଭାବିବ ନାହିଁ । ଭାବି ବା ଲାଭ କ’ଣ । ତାକୁ ଦେଖିଲେ ତ ସବୁବେଳେ ସିଏ ନିଜକଥା ଭୁଲିଯାଏ । ଯାହା ପାଖେ ନିଜକଥା ସବୁବେଳେ ଭୁଲିହେଇଯାଏ ତା’ପାଖେ କ’ଣ ସବୁକଥା ମୁହଁଖୋଲି କହିହୁଏ । କିନ୍ତୁ କହିବାକୁ ତ ପଡ଼ିବ ।
ଏମିତି ସବୁ କେତେକଥା ଭାବି ଭାବି ସେ ପହଁଚିଲା ମରିନଡ୍ରାଇଭ । ଏଥର ଆଉ ସେ ଚିପସ କିଣିଲା ନାହିଁ । ବୋଧହୁଏ ଚିପସବାଲାର ମୁହଁଟା ଅଶୁଭ । ସେଥିପାଇଁ କାଲି ମାୟା ସହ ଦେଖା ହେଲା ନାହିଁ । ଜାଗାରେ ପହଁଚି ଦେଖିଲା ବେଳକୁ ମାୟା ସେଇଠି ନଥିଲା । ଗୋଟେ ଦୀର୍ଘ ନିଶ୍ୱାସ ଛାଡ଼ି ଆକାଶକୁ କିଛି ସମୟ ଅନେଇ ରହିଲା । ସତେ ଯେମିତି ଜୀବନର ଅନେକ କିଛି ହରେଇ ଦେଲା ଆଜି । ପୁଣି କିଛି ସମୟ ଆଖିବୁଜି ଭଗବାନଙ୍କୁ ଡାକିଲା – ହେ ଭଗବାନ! ଆଖପାଖରେ କେଉଁଠି ବସିଥାଉ । ଆଜି ତ ଦେଖା କରେଇ ଦିଅ । ହେଲେ କାହିଁକି କେଜାଣି ଭଗବାନ ସେଦିନ ତା’ ଡାକ ଶୁଣିଲେ ନାହିଁ । ସେଇଠି ସେମିତି ରାତି ନଅଟା ଯାଏ ବସି ରହିଲା । ବସୁ ବସୁ ମନେ ମନେ ସମୁଦ୍ରକୁ କହୁଥିଲା – ତୁ ତ ଯାହା ନେଉ ସବୁ ତ ଫେରେଇ ଦେଉ । ଫେରେଇ ଦେ ମୋ ମାୟାକୁ । କେଜାଣି ତା’ କଥା ସମୁଦ୍ର ଶୁଣିଲାପାରିଲା କି ନାହିଁ ।
ରାତି କିନ୍ତୁ ବଢ଼ୁଥିଲା ତା’ ବାଟରେ । ଧିରେ ଧିରେ ମରିନଡ୍ରାଇଭରୁ ଗହଳି କମି କମି ଆସୁଥିଲା । ଦେବ ଉଠିଲା ଏଥର । ଫେରିବାକୁ ହବ । କାଲି ପୁଣି ଅଫିସ । ପେଣ୍ଟ ସାର୍ଟ ଗୁଡା ଆଇରନ ଦେବାକୁ ପଡ଼ିବ । ପ୍ରେଜେଂଟେସନ ଫାଇଲ ଓ ଲାପଟପ ବ୍ୟାଗ ରେଡ୍ଡି କରିବାକୁ ପଡ଼ିବ । ଆହୁରି କେତେକାମ ଅଛି । ସେଇଠୁ ଫେରୁ ଫେରୁ ମନକୁ ତା’ର କ’ଣ ଆସିଲା କେଜାଣି ତଳୁ ଗୋଟେ ଛୋଟ ପଥର ଉଠେଇଲା । ଠିକ ଯେଉଁଠି ମାୟା ବସେ ସେଇଠି ପଥରରେ ଗାରେଇ ଗାରେଇ ଲେଖିଲା “ମାୟା” । ତା’ପରେ ତାକୁ ଅନେଇ ଅନେକ ସମୟ ବସି ଭାବିଲା ‘ଲଭ ୟୁ’ ଲେଖିବ ନା ‘ମିସ ୟୁ’ ଲେଖିବ । କିଛି ସମୟ ଭାବିଲା ପରେ ‘ମିସ ୟୁ’ ଲେଖିଲା । ତା’ ଉପରେ ପଥର ଏମିତି ଗାରେଇ ଚାଲିଲା ଯେମିତି କେବେବି ଲିଭିବ ନାହିଁ ସେତକ । ଅବଶ୍ୟ ଗାରେଇ ସାରିଲା ପରେ ଗୋଟେ ଅବଶୋଷ ନେଇ ଘରକୁ ଫେରିଲା ସିଏ । ‘ମିସ ୟୁ’ ବଦଳରେ କାଶ ସେଇଠି ‘ଲଭ ୟୁ’ ଲେଖି ପାରିଥାନ୍ତା ସେ । ହେଲେ ତାକୁ କେଉଁଠି ଜଣାଥିଲା ଯେତେ ଚେଷ୍ଟା କଲେ ସୁଦ୍ଧା ଜୀବନରେ ଏମିତି ଅନେକ ଇଚ୍ଛା ଅବଶୋଷ ପାଲଟିଯାଏ ।
ସପ୍ତାହ ଯାକ ଦେବ ସ୍ୱପ୍ନ ଦେଖୁଥାଏ । ଏଥର ଉଇକଏଣ୍ଡରେ ଗଲେ ମାୟା ନିଶ୍ଚୟ ଦେଖା ହେବ । ଯଦିବା ଦେଖା ନହୁଏ ତାହେଲେ ସେଇଠି ‘ମିସ ୟୁ ଠୁ’ ଲେଖାଥିବ ଯେଉଁଠି ସେ ‘ମିସ ୟୁ’ ଲେଖି ଆସିଥିଲା । ଯଦି ଏମିତି କିଛି ଲେଖା ନଥାଏ ଅନ୍ତତଃ ଦେଖା ହେବାର ସମୟ ତାରିଖ ତ ନିଶ୍ଚିତ ଲେଖାଥିବ । ହେଲେ ସବୁଥର ଉଇକଏଣ୍ଡ ଆସେ ଅଥଚ ମାୟା ଆସେ ନାହିଁ କି ତା’ର ଠିକଣା ମିଳେନାହିଁ । ସବୁଥର ସେଇଠି ସେମିତି କିଛି ସମୟ ବସି ପୁଣି ଫେରିଆସେ ଦେବ । ଫେରିଲାବେଳେ ଛାତିରେ ଛାତିଏ ଦୁଃଖ ନେଇ ଫେରେ । ୟା’ ଭିତରେ କେଜାଣି କେତେଦିନ ବିତିଯାଇଛି ତା’ର ମନେ ନାହିଁ । କିନ୍ତୁ ସବୁଥର ସେଇଠୁ ଫେରିଲାବେଳେ ସେ ଗୋଟିଏ କଥା କେବେବି ଭୁଲିନାହିଁ ଆଜିଯାଏଁ । କେବେ ଦିନେ ସେଇଠି ସେ ଲେଖିଥିବା ‘ମାୟା… ମିସ ୟୁ’ ଉପରେ ଆଉ ଦୁଇ-ଚାରିଥର ଗାରେଇ ଦେଇଆସେ । କିଛି ସମୟ ତାକୁ ଅନେଇ ରହେ । ପୁଣି ଫେରିଆସେ ।
ଫେରିଲାବେଳେ ଭାବେ ମାୟା ପ୍ରତି ତା’ର ଏଇସବୁ ପାଗଳାମି ମିଛ ନୁହେଁ; ସତ ଥିଲା ବୋଲି କିଛି ତ ସାକ୍ଷୀ ଥାଉ ।
(ଉପନ୍ୟାସ ‘ମାୟା’ର ଏକ ଅଂଶ)
Comments are closed.