Latest Odisha News

ପ୍ରହଲ୍ଲାଦ ଶତପଥୀଙ୍କ ‘ସବୁକାନ୍ଥ ଏବେ ମାୟା’

ପ୍ରହଲ୍ଲାଦ ଶତପଥୀଙ୍କ ‘ସବୁକାନ୍ଥ ଏବେ ମାୟା’
ଯେଉଁଠି ଆକାଶ ଉଦଭାସିତ ହୋଇ ମାଟିକୁ ଛୁଏଁ!

ଶର୍ମିଷ୍ଠା ସାହୁ

ନିକଟରେ ପଢ଼ିଲି କବି ପ୍ରହଲ୍ଲାଦ ଶତପଥୀଙ୍କ କବିତା ସଂକଳନ ‘ସବୁ କାନ୍ଥ ଏବେ ମାୟା’। ଟାଇମପାସ ପ୍ରକାଶନୀ ଦ୍ୱାରା ପ୍ରକାଶିତ ଏଇ ସଂକଳନଟି ହେଉଛି କବିଙ୍କର ଚତୁର୍ଥ କବିତା ପୁସ୍ତକ । ୟା ପୂର୍ବରୁ ‘କେହିଜଣେ ବର୍ଷାରେ ଭିଜୁଥାଇପାରେ’, ‘ଅଲଗୁଣୀରେ ଅବୟବ’, ‘ରାତି ସହ ମୁଁ ପାହିଆସୁଥାଏ’ ଶୀର୍ଷକରେ ତିନିଟି କବିତା ସଂକଳନର ସ୍ରଷ୍ଟା ଭାବରେ ସେ ଅନେକ ପାଠକୀୟ ଆଦର ପାଇସାରିଛନ୍ତି ।

‘ସବୁକାନ୍ଥ ଏବେ ମାୟା’ ନାଆଁଟିରୁ ଜଣାପଡ଼ୁଛି କବିତାର ହୁଏତ ରହସ୍ୟ ଥିବ, ଜୀବନକୁ ନେଇ ପଳାୟନବାଦୀ ଫିଲୋସଫି ଥିବ। ପ୍ରଚ୍ଛଦରେ ବନ୍ଦ କବାଟର ଚିତ୍ର ଦେଖି ଲାଗିପାରେ ଭିତରେ ଅବରୁଦ୍ଧ ଜୀବନର ଅଂଧାର ଥିବ, ଅଣନିଃଶ୍ୱାସପଣ ଥିବ, ମୁକ୍ତି ପାଇଁ ପ୍ରାର୍ଥନା ଥିବ । କିନ୍ତୁ ଏମିତି ହେଇନି । ସାରା ଆକାଶ ଯେଉଁଠି କାନ୍ଥ ପାଲଟେ, ସମୁଦ୍ର, ବାୟୁ, ମାଟି ସମସ୍ତେ କାନ୍ଥ ପାଲଟିଯାନ୍ତି, ସେଠୁ ଆଉ ମୁକ୍ତି କିପରି? ଏଠି ବନ୍ଦୀତ୍ୱ ଗୋଟେ ଉତ୍ତରିତ ଅନୁଭବ ପାଲଟିପାରେ ।

ନା ଏହା ପଳାୟନବାଦୀ ଫିଲୋସଫି ନୁହେଁ, ବରଂ ଦେଖିବାକୁ ମିଳିଛି କାବ୍ୟ ପୁରୁଷ ସାହସର ସହ ବନ୍ଦୀତ୍ୱର ସାମ୍ନା କରିଛି । ଶଦ୍ଧ ଦେଇ, ରକ୍ତ ଦେଇ, ଆବେଗ ଦେଇ, ଆୟୁଷ ଦେଇ ଜୀବନର ସବୁ ସୀମାବଦ୍ଧତାକୁ, ଅସହାୟତାକୁ ଆପଣାର କରିଛି, ତାର ଅର୍ଚ୍ଚନା କରିଛି ।

ଏ ସଂକଳନର କବିତାଗୁଡ଼ିକ ପୂର୍ବସଂକଳନର କବିତା ଅପେକ୍ଷା ଅଧିକ ମାଟିମନସ୍କ, ସମାଜମନସ୍କ । ଯଦିଓ କବିତା ଲେଖାର ଶୈଳୀ ପୂର୍ବପରି ରୋମାଣ୍ଟିକ ଓ ରହସ୍ୟଧର୍ମୀ । କବିତାରେ ବ୍ୟବହୃତ ଚିତ୍ରକଳ୍ପ ଓ ଇମେଜସବୁ ଅନେକମାତ୍ରାରେ ଉଦ୍ଭଟ ଲାଗନ୍ତି। ସରରିଅଲିଷ୍ଟିକ୍‍ ଚିତ୍ର ପରିଲାଗେ ପୂରା ଗୋଟେ ଗୋଟେ କବିତା ।

ଏଇ ଯେମିତି, ‘କବିତା ଅଜଗର ପରି ଦିଶିବା’, ‘ଟ୍ରେନ ଚକ ତଳେ ଜହ୍ନ କଟିଯିବା’, ‘ମାଛ ପରି ଡେଉଁଥିବା ହୃତସ୍ପନ୍ଦନ’, ‘ଗଛମାନଙ୍କୁ ସେଲୁନକୁ ନେଇ ଟ୍ରିମିଙ୍ଗ କରିବା’, ‘ବହି ବସ୍ତାନି ଭିତରେ ଖୁନ୍ଦାଖୁନ୍ଦି ଛୋଟଛୋଟ ଛୁଆ’ । ଏମିତି ଅନେକ ଚିତ୍ରରେ ଭରପୂର ଏ ସଂକଳନ । ଜୀବନ ଓ ସମାଜର କଠୋର ବାସ୍ତବତାକୁ, ବିଡ଼ମ୍ବନା ଓ କାରୁଣ୍ୟକୁ ଚିତ୍ରିତ କରିବାରେ ଏଭଳି ଇମେଜ ସବୁର ପ୍ରୟୋଗ ଖୁବ ଫଳପ୍ରଦ ହୋଇଛି, ପ୍ରଭାବଶାଳୀ ହୋଇଛି । ଜୀବନ କବିତାଠୁ ବଳିଯାଇଛି । ମାଟିରୁ ଗଜୁରି କବିତା ବର୍ଣ୍ଣବୋଧର ଅକ୍ଷର ସୀମାକୁ ଟପି ପାହାଡ଼ଶିଖରରୁ ନିର୍ଝରିଣୀ ପରି ଝରିଛି, ପୁଣି ଆକାଶରେ ତାରାଫୁଲ ହୋଇ ଫୁଟିଛି । କିନ୍ତୁ ସର୍ବାଗ୍ରେ ଜୀବନ ଚାଲିଛି ।

କବି ପ୍ରହଲ୍ଲାଦ ଶତପଥୀଙ୍କର ଜୀବନ ଓ କବିତା ମଧ୍ୟରେ ବିଶେଷ ଫରକ ନାହିଁ । ଆଦୌ ଫରକ ନାହିଁ କହିଲେ ବି ଚଳିବ । କାରଣ କୌଣସି କାଳ୍ପନିକ ଦୂର ଅନୁଭବକୁ ନେଇ ସେ ଲେଖିନାହାନ୍ତି। ଯାହା ଲେଖିଛନ୍ତି, ତାକୁ ପ୍ରଥମେ ଭୋଗିଛନ୍ତି । ତାକୁ କବିତା ଭାବି ବଞ୍ଚିଛନ୍ତି । ତାପରେ ଲେଖିଛନ୍ତି । ସେଥି ଯୋଗୁଁ କବି ପ୍ରହଲ୍ଲାଦ ଶତପଥୀଙ୍କ କବିତା ସବୁ ଏତେ ଜୀବନ୍ତ, ପ୍ରାଣବନ୍ତ, ସିଧା ମର୍ମକୁ ଛୁଇଁଛି ।

‘ସବୁକାନ୍ଥ ଏବେ ମାୟା’ ପଢ଼ିବାବେଳେ ଲାଗିଲା, ବେଳେବେଳେ ଶଦ୍ଧମାନେ ରକ୍ତ ଝରାଉଛନ୍ତି (‘କବିତା ଆଜିକାଲି ରକ୍ତ ମାଗୁଛି’ ‘ମାଟି ବି କଣ ରକ୍ତ ମାଗେ’) । ଏତେ ରକ୍ତ ଯେ ଜୀବନ ତା ଭିତରେ ଡୁବିଯିବ ଯେମିତି । ବେଳେବେଳେ ଲାଗିଲା ଖୁବ ବେଶି ନିଆଁ ଅଛି ଶବ୍ଦମାନଙ୍କରେ । ସବୁ ହାତ ନିଆଁ ଲଗାଇବା ଶିଖିଯାଇଛନ୍ତି ଆପେ ଆପେ, ଭୋକର ଚୁଲିରେ ନିଆଁ ଲଗାଉ ଲଗାଉ, ବିଜୟାଦଶମୀରେ ରାବଣ ଦେହରେ ନିଆଁ ଲଗାଉ ଲଗାଉ, ତୁଳସୀ ଚଉରାମୂଳରେ ସଂଜ ସଳିତା ଅଗରେ ନିଆଁ ଲଗାଉ ଲଗାଉ। (‘ସହରଟିଏ ଜଳୁଥାଏ’) । କବି କିନ୍ତୁ କହନ୍ତି, ଯେଉଁଠି ଆସୁ ନିଆଁ ମୁଁ ବେଶ ଆତ୍ମୀୟତାର ସହ ଜଳେ । ‘ନିଆଁ ପ୍ରତି ସମର୍ପିତ ମୁଁ ପ୍ରତିଟି ମୁହୂର୍ତ୍ତରେ ।’ ଏବଂ ‘ରକ୍ତକ୍ଷରା ଓ ମଧୁଝରା ଶଦ୍ଧମାନଙ୍କୁ ନେଇ ମୁଁ ଲେଖୁଥିବା କବିତା ସବୁ / ଜୀବନରଙ୍ଗରେ ସବୁଠି ସବୁବେଳେ’ । (କବିତା : ରଙ୍ଗ ମହୋତ୍ସବ)

‘ସବୁକାନ୍ଥ ଏବେ ମାୟା’ ପଢ଼ିବା ଭିତରେ ଜଣେ ଅନୁଭବ କରିବ, କବିତା କେତେବେଶୀ ମାୟାସିକ୍ତ ହୋଇପାରେ ପୁଣି ମାୟାମୁକ୍ତ ବି ହୋଇପାରେ । ପ୍ରେୟସୀର ଆଖିରେ ବନ୍ଦୀ ହେଉହେଉ କବିତା ଯାଇ ପହଞ୍ଚିଯାଇ ପାରେ ଦୁଇଟଙ୍କିଆ ଚାଉଳର ଭୋକପାଖରେ । ଅଂଧାରର ଦଶଦିଗ ଆଡ଼କୁ ଦେଖୁଦେଖୁ ଆଲୁଅର ଗଛଟିଏ ବଢ଼ିବାରେ ଲାଗେ କବିତା ଭିତରେ ।

ଅନେକ ଶକ୍ତିଶାଳୀ ଓ ସୁନ୍ଦର କବିତାରେ ଭରପୂର ଏ କବିତା ସଂକଳନ ‘ସବୁକାନ୍ଥ ଏବେ ମାୟା’ । ବ୍ୟବସ୍ଥା ପ୍ରତି ବିଦ୍ରୋହ ଓ ଶାଣିତ କଟାକ୍ଷର କବିତା ‘ଜୟହିନ୍ଦ’ ‘ଇନକିଲାବ ଜିନ୍ଦାବାଦ’, ‘ସବୁ ମଣିଷ ରୋବଟ’ ‘ପକ୍ଷୀଜନ୍ମରୁ ପାରିକର’ ଆଦି । ଉପଭୋକ୍ତାବାଦୀ ସହରୀ ବଜାର ସଭ୍ୟତାର ଚିତ୍ରଣ ହୋଇଛି କବିତା ‘ମୁଁ ହିଁ ମୋତେ କିଣେ’ରେ । ପ୍ରଚ୍ଛନ୍ନ ଏକାକୀତ୍ୱବୋଧ, ଅପ୍ତାପ୍ତିଜନିତ ହତାଶା ଓ ନାନାପ୍ରକାର ଅସହାୟତା ଯେତେବେଳେ ଅଂଧାର ଭିତରୁ ମୁକୁଳି ଆସିଛନ୍ତି, ସୃଷ୍ଟି ହୋଇଛି ‘ମାୟାତର୍ପଣ’, ‘ବାପା ଦିନେ ହଠାତ ଆକାଶ ପାଲଟିଗଲେ’, ‘ଧକଧକ ହୃଦୟର ସାରାରାତିର ଦୌଡ଼’ ଆଦି ଅନେକ ମର୍ମସ୍ପର୍ଶୀ ଉଚ୍ଚାଙ୍ଗ କବିତା । ଏ କବିତାମାନଙ୍କର ପ୍ରତ୍ୟେକ ଧାଡ଼ିରେ ଅନେକ ସ୍ପନ୍ଦନ; ପ୍ରତ୍ୟେକ କମା, ପୂର୍ଣ୍ଣଚ୍ଛେଦରେ ନିଃଶ୍ୱାସ ପ୍ରଶ୍ୱାସର ଯାତାୟାତ । ସମ୍ବେଦନଶୀଳ ପାଠକର ହୃଦୟକୁ ଚହଲାଇ ଦେବାକୁ, ଦ୍ରବିତ କରିବାକୁ, ମୁଗ୍ଧ ଚକିତ କରିବାକୁ ଏ ସଂକଳନର କବିତାସବୁ ସମର୍ଥ, ନିଶ୍ଚିତ ଭାବରେ ।

Leave A Reply

Your email address will not be published.