Latest Odisha News

BREAKING NEWS

ଓଡ଼ିଶାରେ ଏକାଠି ହୋଇ ଏଣ୍ଟ୍ରି ମାରିବେ କେଜ୍ରିଓ୍ୱାଲ, କେସିଆର!

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିଧାନସଭା ଓ ସାଧାରଣ ନିର୍ବାଚନ ପାଇଁ ସମୟ ପାଖେଇ ଆସୁଛି। ଏହା ପୂର୍ବରୁ କିଛି ନୂଆ ଦଳ ଓଡ଼ିଶା ରାଜନୀତିରେ ପ୍ରବେଶ କରିବାକୁ ସୁଯୋଗ ଖୋଜୁଥିବା ଜଣାପଡିଛି। ତେଣୁ ସ୍ବାଭାବିକ ଭାବେ କିଛି ଅସନ୍ତୁଷ୍ଟ ନେତାଙ୍କୁ ନୂଆ ଦଳରେ ଯୋଗ ଦେବାକୁ ସୁଯୋଗ ମିଳିବ। ଏହି ଆଧାରରେ କିଛି ପୁରୁଖା ନେତାଙ୍କୁ ନେଇ ରାଜ୍ୟରେ ପାଦ ପକାଇବାକୁ ତେଲେଙ୍ଗାନାର ଭାରତ ରାଷ୍ଟ୍ର ସମିତି ଏବଂ ଦିଲ୍ଲୀର ଆମ୍ ଆଦମୀ ପାର୍ଟି ପ୍ରୟାସ କରୁଥିବା ସୂଚନା ରହିଛି। ଜଣେ ଉପକୂଳ ଅନ୍ୟ ଜଣେ ଦକ୍ଷିଣ ଓଡ଼ିଶାରେ ସକ୍ରିୟ ହୋଇ ବିଜେଡି ଓ ବିଜେପିକୁ ଘେରିବେ ବୋଲି ଅଙ୍କ କଷୁଥିବା କୁହାଯାଉଛି।

ବୁଧବାର ହାଇଦ୍ରାବାଦରେ ଉଭୟ ଆପ୍ ଆବାହକ ଅରବିନ୍ଦ କେଜ୍ରିଓ୍ୱାଲ ଏବଂ ବିଆରଏସ ସଭାପତି କେସିଆର ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ। ଆଗାମୀ ଦିନରେ ଉଭୟ ଏକାଠି ରହିବେ ବୋଲି ଆଭାସ ମିଳିଛି। କିନ୍ତୁ ଉଭୟ ଦଳର ନଜର ଓଡ଼ିଶା ଉପରେ ରହିଛି। ଯଦିଓ ଆମ୍ ଆଦମୀ ପାର୍ଟି ଓଡ଼ିିଶାରେ ସେତେଟା ସକ୍ରିୟ ନରହିଲେ ମଧ୍ୟ ରହିଛି। କିନ୍ତୁ ବିଆରଏସ ଏବେ ରାଜ୍ୟର କିଛି ପୁରୁଖା ନେତାଙ୍କୁ ଆଣି ଦଳ ଆରମ୍ଭ କରିବାକୁ ଯୋଜନା କରୁଛି।

ମିଳିଥିବା ସୂଚନା ଅନୁସାରେ ଦକ୍ଷିଣ ଓଡ଼ିଶାର କିଛି ପୁରୁଖା ଚେହେରାଙ୍କୁ ନେଇ କେସିଆର ତାଙ୍କ ଦଳ ଆରମ୍ଭ କରିବାକୁ ଚାହୁଁଛନ୍ତି। ଏହି ଆଧାରରେ ଗିରିଧର ଗମାଙ୍ଗ ଏବଂ ଜୟରାମ ପାଙ୍ଗୀକୁ ଡାକି ଆଲୋଚନା କରିଛନ୍ତି। କିନ୍ତୁ ଏହାରି ଭିତରେ କଂଗ୍ରେସ ଛାଡି କୈଳାଶ ମୁଖୀ ବିଆରଏସରେ ସାମିଲ ହୋଇସାରିଛନ୍ତି। କନ୍ଧମାଳ କଂଗ୍ରେସର ଏହି ନେତା ଏବେ ବିଆରଏସରେ ସାମିଲ ହେବା ପରେ ଅନ୍ୟ କେଉଁମାନେ ଯୋଗ ଦେବେ ତାଉପରେ ସମସ୍ତଙ୍କ ନଜର ରହିଛି। କେସିଆଙ୍କ ପ୍ରମୁଖ ଟାର୍ଗେଟ ରହିଛି ଦକ୍ଷିଣ ଓଡ଼ିଶାରେ ଥିବା ସାଢେ 30 ଲକ୍ଷ ତେଲେଗୁ ଭୋଟର। ଯେଉଁମାନଙ୍କ ଭୋଟ୍ ହାତେଇ କେସିଆର ଓଡ଼ିଶା ରାଜନୀତିରେ ଦଳର ଗୋଲାପୀ ପତାକା ଉଡାଇବାକୁ ପ୍ରୟାସ କରୁଛନ୍ତି।

ସେହିପରି ବିଭିନ୍ନ ପ୍ରସଙ୍ଗରେ ଦିଲ୍ଲୀରେ ବିଜେଡି-ବିଜେପି ଏକାଠି ବୋଲି କୁହାଯାଉଛି। କଂଗ୍ରେସ ପୂର୍ବଭଳି ସେତେ ମଜବୁତ ନାହିଁ। ତେଣୁ ଗୋଟିଏ ଭଲ ବିରୋଧୀର ସ୍ଥାନ ନେବାକୁ ଆମ୍ ଆଦମୀ ପାର୍ଟି ଯୋଗ୍ୟ ବୋଲି ଚିନ୍ତା କରିଛି। ଯଦି ଗୁଜରାଟ ବିଧାନସଭା ନିର୍ବାଚନରେ ଅଳ୍ପ ଦିନ ବାକି ଥିବା ବେଳେ ଆପ୍ ବିଧାୟକ ସିଟ୍ ଜିତିପାରିଲା ତାହେଲେ ଓଡ଼ିଶାରେ ବି ବିଧାୟକ ଜିତି ପାରିବ ବୋଲି ଦଳ ବିଶ୍ବାସ ରଖିଛି। କୁହାଯାଉଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଚଳିତ ମାସରେ ଓଡ଼ିଶା ଗସ୍ତରେ ଆସିପାରନ୍ତି। ଏହି ସମୟରେ କିଛି ଅସନ୍ତୁଷ୍ଟ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଓଡ଼ିଶା ରାଜନୀତିରେ ଉପକୂଳିଆ ନେତାଙ୍କର ଗୋଟିଏ ପ୍ରମୁଖ ଭୂମିକା ଥାଏ। ଏବେର ରାଜନୀତିରେ ଅନେକ ଉପକୂଳ ନେତା ଅସନ୍ତୁଷ୍ଟ ତାଲିକାରେ ରହିଛନ୍ତି। ତେଣୁ ଆପ୍ ଏହି ଉପକୂଳ ନେତାଙ୍କୁ ଦଳରେ ମିଶାଇ ନିର୍ବାଚନ ପୂର୍ବରୁ ହଟଚମଟ ସୃଷ୍ଟି କରାଇ ଭୋଟ୍ ବ୍ୟାଙ୍କ ଯୋଗାଡ କରିବ ବୋଲି ସୂଚନା ରହିଛି।

 

Comments are closed.