ଭୁବନେଶ୍ୱର:ଓଡ଼ିଶୀ ନୃତ୍ୟଗୁରୁ ପଦ୍ମ ବିଭୂଷଣ କେଳୁଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମ “କେଳୁ ଚରଣ କୀର୍ତ୍ତି ଶତକମ୍”ର ଉଦ୍ଯାପନୀ ସମାରୋହ ଆଜି ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଏବଂ ସୃଜନ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଗୁରୁଜୀଙ୍କ ସ୍ମୃତିରେ ତିନି ଦିନ ଧରି “କେଳୁ ଚରଣ କୀର୍ତ୍ତି ଶତକମ୍” କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ଶନିବାର କାର୍ଯ୍ୟକ୍ରମର ଉଦ୍ଯାପନୀ ସମାରୋହରର ପ୍ରଥମ ଅଧିବେଶନରେ ରବୀନ୍ଦ୍ର ମଣ୍ଡପରେ ସୃଜନ ଅନୁଷ୍ଠାନ ପକ୍ଷରୁ ଗୀତଗୋବିନ୍ଦର ଅଷ୍ଟପଦୀ “କୁରୁ ଯଦୁନନ୍ଦନ”ରେ ଗୁରୁ କେଳୁଚରଣଙ୍କ ଦ୍ୱାରା ପରିବେଷିତ ହୋଇଥିବା ଓଡ଼ିଶୀ ନୃତ୍ୟର ଏକ ଭିଡ଼ିଓକୁ ପ୍ରଦର୍ଶିତ କରାଯାଇଥିଲା ଯାହା ଦର୍ଶକମାନଙ୍କୁ ବିମୋହିତ କରିଥିଲା।
ସମସ୍ତ ନୃତ୍ୟଶିଳ୍ପୀଙ୍କୁ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ର ଏବଂ ସୃଜନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।
ତିନିଦିନ ଧରି ଅନୁଷ୍ଠିତ ହୋଇଥିବା ଜନ୍ମ ଶତବାର୍ଷିକୀ ଉତ୍ସବର ମୁଖ୍ୟ ଆକର୍ଷଣ ରହିଥିଲା ଗୁରୁଜୀଙ୍କ ଜୀବନୀକୁ ନେଇ ହୋଇଥିବା ଫଟୋଚିତ୍ର ପ୍ରଦର୍ଶନୀ। ଫଟୋଚିତ୍ର ପ୍ରଦର୍ଶନୀରେ ଗୁରୁ କେଳୁଚରଣ ମହାପାତ୍ରଙ୍କ ପ୍ରାରମ୍ଭିକ ଜୀବନ ଠାରୁ ନେଇ ଓଡ଼ିଶୀ ନୃତ୍ୟ ପ୍ରତି ରହିଥିବା ତାଙ୍କର ସମର୍ପଣ ଭାବ, ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଗୁରୁଜୀଙ୍କ ଶିକ୍ଷାଦାନ, ପଦ୍ମଶ୍ରୀ ଠାରୁ ନେଇ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ଗୁରୁଜୀଙ୍କ ସମସ୍ତ ଫଟୋଚିତ୍ରକୁ ପ୍ରଦର୍ଶନୀରେ ସ୍ଥାନିତ କରାଯାଇଥିଲା। ଗୁରୁଜୀଙ୍କ ଶିଷ୍ୟମାନଙ୍କୁ ଠାରୁ ନେଇ କଳା ଓ ନୃତ୍ୟ କ୍ଷେତ୍ରରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ଓ ଗବେଷକମାନେ ଫଟୋଚିତ୍ର ପ୍ରଦର୍ଶନୀକୁ ବୁଲି ଦେଖିବା ସହ ଏହାର ଭୂୟସୀ ପ୍ରଶଂସା କରିଥିଲେ। ଗୁରୁଜୀଙ୍କ ସ୍ମୃତିରେ ପ୍ରସ୍ତୁତ ହୋଇଥିବା ବାଲୁକା ଚିତ୍ରକଳାକୁ ମଧ୍ୟ ସମସ୍ତ କଳାକାରମାନେ ବେଶ୍ ପ୍ରଶଂସା କରିଥିଲେ।
ପ୍ରକାଶଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଗତ ଜାନୁଆରୀ ୮ ତାରିଖ ଦିନ “କେଳୁଚରଣ କୀର୍ତ୍ତି ଶତକମ୍” କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ଗୁରୁଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ତିନିଦିନ ଧରି ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ଗୁରୁ କେଳୁଚରଣଙ୍କ ଶିଷ୍ୟ ଓ ପ୍ରଶଂସକମାନେ ଯୋଗଦେଇ ଗୁରୁଜୀଙ୍କ ସ୍ମୃତିଚାରଣ କରିଥିଲେ। ଗୁରୁଜୀଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଗୁରୁଜୀଙ୍କ ଜୀବନୀକୁ ନେଇ ନିର୍ମିତ ହୋଇଥିବା ଏକ କ୍ଷୁଦ୍ର ଚଳଚ୍ଚିତ୍ରକୁ ଲୋକାର୍ପଣ କରାଯାଇଥିଲା।