Latest Odisha News

BREAKING NEWS

କେନ୍ଦୁଝରରେ ଇସ୍ପାତ କାରଖାନା ନିଷ୍ପତ୍ତିକୁ ଜିଲ୍ଲାବାସୀଙ୍କ ସ୍ବାଗତ

ଭୁବନେଶ୍ବର : କେନ୍ଦୁଝରରେ ୭୯୨୦ କୋଟି ଟଙ୍କା ବ୍ୟୟରେ ରୁଙ୍ଗଟା ମାଇନ୍ସ ଲିମିଟେଡ ପକ୍ଷରୁ ୩ ମିଲିୟନ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ସମନ୍ବିତ ଇସ୍ପାତ ପ୍ରକଳ୍ପକୁ ଉଚ୍ଚସ୍ତରୀୟ ପ୍ରକଳ୍ପ ଅନୁମୋଦନ କମିଟିର ସ୍ବୀକୃତି ପରେ ସାରା ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି । ଚମ୍ପୁଆର କରା ଖେନ୍ଦ୍ରା ଠାରେ ଏହି ପ୍ରକଳ୍ପ ସ୍ଥାପନ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଏହି ଐତିହାସିକ ନିଷ୍ପତ୍ତିକୁ ଜିଲ୍ଲାବାସୀ ସ୍ବାଗତ କରିବା ସହ ଧନ୍ୟବାଦ ଜଣାଇଛନ୍ତି ।

ଧନ୍ୟବାଦର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, କେନ୍ଦୁଝରରେ ଖଣି ସମୃଦ୍ଧ ଏକ ଇସ୍ପାତ କାରଖାନା ପାଇଁ ତାଙ୍କର ବହୁ ଦିନର ଇଚ୍ଛା ଥିଲା । ଜିଲ୍ଲାରେ ଇସ୍ପାତ ପ୍ରକଳ୍ପ ପାଇଁ ବିଧାୟକ ମାନଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ଓ ସବୁ ବର୍ଗର ଲୋକମାନେ ତାଙ୍କୁ ଅନୁରୋଧ କରିଥିଲେ । ଜିଲ୍ଲାରେ ଇସ୍ପାତ ପ୍ରକଳ୍ପ ସାକାର ରୂପ ନେଇଥବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିବା ସହିତ ପ୍ରକଳ୍ପ ଯେପରି ଶୀଘ୍ର କାର୍ଯ୍ୟକ୍ଷମ ହୋଇପାରିବ ସେଥିପାଇଁ ସହଯୋଗ କାମନା କରିଥିଲେ ।

କେନ୍ଦୁଝରର ବିକାଶ ପାଇଁ ବିଜୁବାବୁ ସବୁବେଳେ ତତ୍ପର ଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି କେନ୍ଦୁଝରରେ ଖୁବଶୀଘ୍ର ସରକାରୀ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଏହାସହ କେନ୍ଦୁଝରରେ ଏକ ନୂଆ ନର୍ସିଙ୍ଗ କଲେଜ ଖୋଲାଯିବ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । କେନ୍ଦୁଝରରେ ଆରମ୍ଭ ହୋଇଥିବା ମେଗା ପାଇପ ଜଳ ଯୋଗାଣ ଦ୍ଵାରା ସାରା ଜିଲ୍ଲାର ପ୍ରତି ଘରେ ପାଇପ ଯୋଗେ ପିଇବା ପାଣି ପହଞ୍ଚି ପାରିବ । ତାସହ ଜିଲ୍ଲାର ରାସ୍ତାଘାଟ ଉନ୍ନତି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବ ବୋଲି ସେ କହିଥିଲେ । ତେଣୁ ସବୁ ସରକାରୀ ପ୍ରକଳ୍ପ ଯେପରି ଠିକ ସମୟରେ ଶେଷ ହୋଇପାରିବ ସେଥିପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

ପୂର୍ବତ୍ତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ଜିଲ୍ଲାର ବିଧାୟକ, ପଦ୍ମଶ୍ରୀ ଦୈତାରୀ ନାୟକ, କେନ୍ଦୁଝର ନାଗରିକ ଫୋରମ, ବରିଷ୍ଠ ନାଗରିକ ମଞ୍ଚ ତଥା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଇସ୍ପାତ କାରଖାନା ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଥିଲା ।

Comments are closed.