ଥିରୁବନ୍ତପୁରମ: କେରଳ ହାଇକୋର୍ଟ ବିବାହିତ ପୁରୁଷଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏକ ମାମଲାର ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ଯଦି ଜଣେ ବିବାହିତ ପୁରୁଷଙ୍କ ସହ ଜଣେ ମହିଳାଙ୍କ ଶାରୀରିକ ସମ୍ପର୍କ ରହିଛି, ଏପରିକି ପୁରୁଷ ବିବାହିତ ବୋଲି ଜାଣି ସୁଦ୍ଧା ମହିଳା ଯଦି ସମ୍ପର୍କ ରଖିଛନ୍ତି ତେବେ ଏହାକୁ ଦୁଷ୍କର୍ମ କୁହାଯାଇପାରିବ ନାହିଁ। ଉଭୟଙ୍କ ମଧ୍ୟରେ ଏହା ଏକ ପ୍ରକାର ପ୍ରେମ ଏବଂ ସେମାନଙ୍କ ମଧ୍ୟରେ ଇଚ୍ଛା ଜାଗ୍ରତ ହୁଏ ବୋଲି କୋର୍ଟ କହିଛନ୍ତି। ବିବାହର ମିଛ ପ୍ରତିଶ୍ରୁତି ଦେଇ ପୁରୁଷଙ୍କ ଉପରେ ଦୁଷ୍କର୍ମ ଅଭିଯୋଗକୁ ବନ୍ଦ କରିବା ପାଇଁ ଆବେଦନକାରୀ କେରଳ ହାଇକୋର୍ଟରେ ଆବେଦନ କରିଥିଲେ। ଏହି ମାମଲାର ଶୁଣାଣି ଶନିବାର ହୋଇଥିଲା।
ଶୁଣାଣି ସମୟରେ ଜଷ୍ଟିସ କୌସର ଏଡପାଗଥ ୩୩ ବର୍ଷୀୟ ବ୍ୟକ୍ତିଙ୍କ ବିରୋଧରେ ହୋଇଥିବା ଦୁଷ୍କର୍ମ ଅଭିଯୋଗକୁ ଖାରଜ କରିଦେଇଥିଲେ। ସେ କହିଛନ୍ତି ଯେ ଅଭିଯୁକ୍ତ ଏବଂ ଅଭିଯୋଗକାରୀଙ୍କ ମଧ୍ୟରେ ପୂର୍ବରୁ ସମ୍ପର୍କ ରହିଥିଲା। ଜଷ୍ଟିସ ଏଡପାଗଥ କହିଛନ୍ତି ଯେ ଅଭିଯୁକ୍ତ ଏବଂ ଅଭିଯୋଗକାରୀଙ୍କ ମଧ୍ୟରେ ସମ୍ପର୍କ ଉଭୟଙ୍କର ସହମତିରେ ସ୍ଥାପନ ହୋଇଥିଲା। ଦୁହେଁ ଦୀର୍ଘ ସମୟ ଧରି ପରସ୍ପରକୁ ଜାଣିଥିଲେ। ପୁରୁଷ ଜଣଙ୍କର ବିବାହ ପରେ ମଧ୍ୟ ସେମାନଙ୍କ ମଧ୍ୟରେ ସମ୍ପର୍କ ଜାରି ରହିଲା। ସବୁକିଛି ଜାଣିବା ପରେ ମଧ୍ୟ ଏହି ପ୍ରକାର ସମ୍ପର୍କ କେବଳ ପ୍ରେମ, ତେଣୁ ଏହାକୁ ଦୁଷ୍କର୍ମ କହିପାରିବା ନାହିଁ।
କୋର୍ଟଙ୍କ ଆଦେଶରେ କୁହାଯାଇଛି, ‘ଅଭିଯୋଗକାରୀ ମହିଳା ୨୦୧୦ ମସିହାରୁ ଆବେଦନକାରୀଙ୍କ ସହ ସମ୍ପର୍କ ରଖିଆସିଛନ୍ତି। ୨୦୧୩ ରେ, ଅଭିଯୋଗକାରୀ ଜାଣିବାକୁ ପାଇଲେ ଯେ ଯୁବକ ପୂର୍ବରୁ ବିବାହିତ ଥିଲେ। ଏହା ପରେ ମଧ୍ୟ ଉଭୟଙ୍କର ମଧ୍ୟରେ ସମ୍ପର୍କ ରହିଆସିଥିଲା। ଏହାକୁ ଦୁଷ୍କର୍ମ କୁହାଯାଇପାରିବ ନାହିଁ। ଏଭଳି ପରିସ୍ଥିତିରେ ଯୁବକଙ୍କ ବିରୁଦ୍ଧରେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ସମ୍ପର୍କ ଥିବା ଅଭିଯୋଗ କରାଯାଇ ପାରିବନାହିଁ। ଏହା କହି କୋର୍ଟ ଅଭିଯୋଗକାରୀଙ୍କ ଅଭିଯୋଗକୁ ଖାରଜ କରିଦେଇଛନ୍ତି।
ଅଭିଯୋଗକାରୀ ମହିଳା ଆଇପିସିର ଧାରା ୪୦୬ ( ଅପରାଧିକ ବିଶ୍ୱାସଘାତ ଉଲ୍ଲଂଘନ), ୪୨୦ (ପ୍ରତାରଣା) ଏବଂ ୩୭୬ (ଦୁଷ୍କର୍ମ) ଅଧୀନରେ ୩୩ ବର୍ଷିୟା ଯୁବକ ବିରୋଧରେ ଏକ ମାମଲା ରୁଜୁ କରିଥିଲେ ଯାହା କୋର୍ଟ ଖାରଜ କରିଛନ୍ତି।
Comments are closed.