Latest Odisha News

ଟ୍ରେନ୍‌ ଚଢିବାକୁ ନେଇ ବଚସାରୁ ୩ ସହଯାତ୍ରୀଙ୍କୁ ଜାଳି ମାରିଦେଲା ଦୁର୍ବୃତ୍ତ

କୋଝିକୋଡ଼େ: ଟ୍ରେନ୍‌ ଭିତରେ ସାମାନ୍ୟ ବଚସାରୁ ଏତେବଡ଼ ଜଘନ୍ୟ ହତ୍ୟାକାଣ୍ଡ। ୩ ସହଯାତ୍ରୀଙ୍କୁ ଜାଳିଦେଲା ନୃସଂଶ ବ୍ୟକ୍ତି। ଏହି ଘଟଣାରେ ୮ ଜଣ ନିଆଁରେ ଜଳି ଆହତ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି। କେରଳ କୋଝିକୋଡ଼େର ଇଲାଥୁର ନିକଟରେ ଏକ ଚଳନ୍ତା ଟ୍ରେନ୍‌ରେ ଏଭଳି ଦୁର୍ଘଟଣା ଘଟିଛି।

ରବିବାର ଦିନ ୧୦ଟା ବେଳେ ଅଲପ୍ପୁଝା-କନ୍ନୁର ଏକ୍ସକ୍ୟୁଟିଭ୍ ଏକ୍ସପ୍ରେସ୍‌ର ଡି୧ କମ୍ପାର୍ଟମେଣ୍ଟରେ ଏଭଳି ଛାତି ଥରାଇ ଦେଲା ଭଲି ଘଟଣା ଘଟିଛି। ଘଟଣାସ୍ଥଳରୁ ୧୦୦ ମିଟର ଦୂରରେ ୩ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି।

ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ମୃତକମାନେ ଜୀବୀତ ଥିବା ବେଳେ ତାଙ୍କ ଦେହରେ ନିଆଁ ଲାଗିବା ପରେ ସେମାନେ ଟ୍ରେନ୍‌ରୁ ଡେଇଁ ପଡ଼ିଥିବା କୁହାଯାଉଛି। ହେଲେ ଦୁର୍ବୃତ୍ତ ଫେରାର୍ ହୋଇଯାଇଛି। ଟ୍ରେନ୍‌ରେ ନିଆଁ ଲାଗିବା ପରେ ଅନ୍ୟ ଯାତ୍ରୀମାନେ ତୁରନ୍ତ ଗାଡ଼ିର ଚେନ୍ ଟାଣିବା ସହ ରେଳବାଇ ପୁଲିସକୁ ସୂଚିତ କରିଥିଲେ। ଏପଟେ ଟ୍ରେନ୍ ଅଟକିବା ପରେ ହତ୍ୟାକାରୀ ଫେରାର୍ ହୋଇଯାଥିବା କୁହାଯାଉଛି।

ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି। ଅଗ୍ନିକାଣ୍ଡରେ ଆହତ ହୋଇଥିବା ଯାତ୍ରୀଙ୍କୁ ରେଳବାଇ ପୁଲିସ ଉଦ୍ଧାର କରି ଡାକ୍ତରାଖାନାରେ ଭର୍ତ୍ତି କରିଛି। ନିଆଁ ଲିଭାଇବା ପରେ ଟ୍ରେନ୍‌ ପୁନଃ ତାର ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଥିଲା। ମିଳିଥିବା ସୂଚନା ଅନୁସାରେ ଟ୍ରେନ୍‌ରେ ଚଢ଼ିବା ନେଇ ଦୁଇ ଯାତ୍ରୀଙ୍କ ମଧ୍ୟରେ ତର୍କ ହେବାରୁ ଏଭଳି ଜଘନ୍ୟ କାଣ୍ଡ ଘଟିଥିବା କୁହାଯାଉଛି। ଅଭିଯୁକ୍ତ ଧରାପଡ଼ି ନାହିଁ।

Comments are closed.