ମୁମ୍ବାଇ: ରିଲିଜ ହେଲା ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘କେସରୀ ଚାପ୍ଟର ୨: ଦି ଅନଟୋଲ୍ଡ ଷ୍ଟୋରୀ ଅଫ୍ ଜାଲିଆନଓ୍ବାଲା ବାଗ’ର ଟିଜର । କରଣ ସିଂହ ତ୍ୟାଗୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ୧୯୧୯ ମସିହା ଏପ୍ରିଲ ୧୩ ତାରିଖରେ ଘଟିଥିବା ଜାଲିଆନଓ୍ବାଲା ବାଗ ହତ୍ୟାକାଣ୍ଡ ପରବର୍ତ୍ତୀ ଘଟଣାକ୍ରମ ଉପରେ ଆଧାରିତ। ଟିଜରରେ ଫିଲ୍ମର କାହାଣୀର ଝଲକ୍ ଦେଖିବାକୁ ମିଳିଛି।
୧ ମିନିଟ୍ ୨୯ ସେକେଣ୍ଡର ଏହି ଟିଜରର ଭିଡିଓ ଦର୍ଶକଙ୍କ ହୃଦୟ ଥରାଇ ଦେଇଛି। ଯନ୍ତ୍ରଣାଦାୟକ ଚିତ୍କାରରୁ ଆରମ୍ଭ ହୋଇଛି ଏହି ଭିଡିଓଟି । ଭିଡିଓର ପ୍ରଥମ ୩୦ ସେକେଣ୍ଡରେ କୌଣସି ଦୃଶ୍ୟ କିମ୍ବା କୌଣସି ଶୀର୍ଷକ ନାହିଁ, କେବଳ ଲୋକମାନଙ୍କର ଚିତ୍କାର ଏବଂ କାନ୍ଦିବାର ଶବ୍ଦ ଶୁଣାଯାଉଛି । ଟିଜରର ପ୍ରଥମରୁ ଡିସ୍କ୍ଲେମରରେ ‘‘ଏହି ଦୃଶ୍ୟଗୁଡ଼ିକ ଦେଖାଇବା ବହୁତ ଭୟଙ୍କର।’’ ବୋଲି ଲେଖାଯାଇଛି ।
ଫିଲ୍ମରେ ଅକ୍ଷୟ ସାର୍ ସି. ଶଙ୍କରନ୍ ନାୟର ଭୂମିକାରେ ଅଭିନୟ କରିଛନ୍ତି, ଯିଏ କି ଜଣେ ନିର୍ଭୀକ ଓକିଲ। ପୁଷ୍ପା ପଲାତ ଓ ରଘୁ ପଲାତଙ୍କ ପୁସ୍ତକ ‘ଦି କେସ୍ ଦାଟ୍ ଶୁକ୍ ଦି ଏମ୍ପାୟର’ ଉପରେ ଆଧାରିତ ‘କେସରୀ ଚାପ୍ଟର ୨’ ଧର୍ମା ପ୍ରଡକ୍ସନ୍ସ, କେପ୍ ଅଫ୍ ଗୁଡ୍ ଫିଲ୍ମସ୍ ଏବଂ ଲିଓ ମିଡିଆ କଲେକ୍ଟିଭ୍ ଦ୍ୱାରା ନିର୍ମିତ। ଅକ୍ଷୟଙ୍କ ବ୍ୟତୀତ, ‘କେସରୀ ୨’ରେ ଆର. ମାଧବନ୍ ଏବଂ ଅନନ୍ୟା ପାଣ୍ଡେ ମୁଖ୍ୟ ଭୂମିକାରେ ରହିବେ। ‘କେସରୀ ଚାପ୍ଟର ୨’ ୧୮ ଏପ୍ରିଲ ୨୦୨୫ରେ ମୁକ୍ତିଲାଭ କରିବାର ଯୋଜନା ରହିଛି। ଫିଲ୍ମର ପ୍ରଥମ ଭାଗ ‘କେସରୀ’ ଶୁକ୍ରବାର, ମାର୍ଚ୍ଚ ୨୧ରେ ରିଲିଜ୍ ହେବାର ୨୧ ବର୍ଷ ପୂରଣ କରିଛି।
Comments are closed.