Latest Odisha News

ଖଲ୍ଲିକୋଟ ନିର୍ବାଚନୀ ହିଂସା, ଗିରଫ ସଂଖ୍ୟା ୧୧କୁ ବୃଦ୍ଧି

ବ୍ରହ୍ମପୁର: ଗଞ୍ଜାମ ଜିଲା ଖଲ୍ଲିକୋଟ ହତ୍ୟା ଘଟଣାରେ ପୁଣି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଶ୍ରୀକୃଷ୍ଣଶରଣପୁର ଗ୍ରାମର ସୁଦର୍ଶନ ପାହାନ ଓ ରାମଚନ୍ଦ୍ରପୁର ଗ୍ରାମର ପପୁ ତରେଇ । ପୂର୍ବରୁ ୯ ଜଣ ଗିରଫ ହୋଇଥିବା ବେଳେ ବର୍ତ୍ତମାନ ଆଉ ୨ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ୨ ଜଣଙ୍କୁ ମିଶାଇ ବର୍ତ୍ତମାନ ଗିରଫଦାରୀ ସଂଖ୍ୟା ୧୧ରେ ପହଞ୍ଚିଛି । ଉଭୟଙ୍କୁ ଗିରଫ ପରେ ଏସଆଇଟି ଟିମ୍‌କୁ ହସ୍ତାନ୍ତର କରିଛି ଖଲ୍ଲିକୋଟ ପୋଲିସ।

ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣସରଣପୁର ପଞ୍ଚାୟତରେ ପୋଷ୍ଟର ଓ ବ୍ୟାନେର ମାରିବାକୁ କେନ୍ଦ୍ର କରି ବିଜେଡି ଓ ବିଜେପି ଦୁଇ ଯୁବ ଗୋଷ୍ଠି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ଖଣ୍ଡାରେ ସଂଘବଦ୍ଧ ଭାବେ ଆକ୍ରମଣ କରିବା ଫଳରେରେ ଶ୍ରୀକୃଷ୍ଣ ସରଣପୁର ପଞ୍ଚାୟତର ଦିଲ୍ଲୀପ ପାହାନ ଓ ଜିତେନ୍ଦ୍ର ପାହାନ, ବାପୁଜୀ ପାହାନ ଓ ଅଭିମନୁ ପାହାନ ପ୍ରମୁଖ ଗୁରୁତର ଆହତ ହୋଇ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ତେବେ ଅବସ୍ଥା ଗୁରୁତର ହେବାରୁ ଦିଲ୍ଲୀପ ପାହାନ ଓ ଜିତେନ୍ଦ୍ର ପ୍ରଧାନ ଓ ବାପୁଜୀ ପାହାନକୁ ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

ସେହି ସମୟରେ ଅତ୍ୟଧିକ ରକ୍ତସ୍ରାବ ଫଳରେ ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀପଙ୍କ ମୃତ୍ୟୁ ହୋଇଥିବା ବେଳେ ଜିତେନ୍ଦ୍ରକୁ ଏମ୍ସ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା । ଘଟଣା ଘଟିବାର ପରେ ପରେ ଶହ ଶହ ବିଜେପି କର୍ମୀ ଟାୟାର ଜାଳି ଥାନା ଆଗରେ ଧାରଣା ଦେବା ସହ ଥାନା ଭିତରେ ପଶି ବିକ୍ଷୋଭ କରିଥିଲେ । ଏପରିକି ବିଧାୟିକାଙ୍କ ବାସଭବନ ଆଗରେ ରହିଥିବା ଗାଡିକୁ ଭାଙ୍ଗି ଦିଆଯାଇଥିବା ଜଣାପଡିଛି ।

Comments are closed.