ବଲିଉଡରେ ଏବେ ଶେଷ ହେବାକୁ ଯାଉଛି ଖାଁଙ୍କ ଯୁଗ । ୯୦ ଦଶକରୁ ଅମୀର ଖାଁ, ଶାହାରୁଖ ଖାଁ ଓ ସଲମାନ ଖାଁ ବଲିଉଡରେ ରାଜୁତି କରିଥିଲେ । ଏବେ ଏହି ୩ ହୀରୋଙ୍କ ବୟସ ୬୦ ଛୁଇଁଲାଣି । ଯୁବ ପିଢ଼ୀ ମଧ୍ୟ ଏମାନଙ୍କ ପ୍ରତି ଆଉ ସେତେଟା ଆକୃଷ୍ଟ ହେଉ ନାହାନ୍ତି । ସଲମାନଙ୍କ ସିକନ୍ଦର ଫିଲ୍ମ ଏ ଭଳି ଭାବେ ଫ୍ଲପ ହେବ ବୋଲି କେହି କେବେ ଭାବି ନ ଥିଲେ । ତାଙ୍କ ଦୁର୍ଗତି ଦେଖି ରାଜେଶ ଖାନ୍ନାଙ୍କ ଏକ ଫିଲ୍ମର ଡାଇଲଗ ମନେ ପଡିଥାଏ… ଇଜ୍ଜତ, ଶୋହରତ, ଚାହତେଁ, ଉଲଫତେଁ…କୋଇ ଚିଜ ଦୁନିଆ ମେଁ ରହତି ନେହି । ଆଜ ମେଁ ଜହାଁ ହୁଁ.. କାଲ କୋଇ ଔର ଥା…ୟେ ଭି ଏକ ଦୌର ହେ… ୱ ଭି ଏକ ଦୌର ଥା.. ।
ବଦଳୁଛି ଦର୍ଶକଙ୍କ ପସନ୍ଦ: ସମୟ ବଦଳିଲେ ସବୁ କିଛି ବଦଳି ଯାଇଥାଏ । ଏବେ ଦର୍ଶକଙ୍କ ଟ୍ରେଣ୍ଡ ବଦଳୁଛି । ହଲିଉଡ ଓ ଓଟିଟି ମାଧ୍ୟମରେ ଦର୍ଶକ ଅନେକ ଧରଣର ଫିଲ୍ମ ଦେଖିବାକୁ ପାଉଛନ୍ତି । ଅପରପକ୍ଷରେ ବଲିଉଡ ଚିରାଚରିତ ଶୈଳୀରେ ଚାଲିଛି । ସଲମାନ ୨୦୧୭ ପରଠାରୁ କୌଣସି ବ୍ଲକ ବଷ୍ଟର ଫିଲ୍ମ ଦେଇ ନାହାନ୍ତି । ଟାଇଗର ୩, ଭାରତ, ଅନ୍ତିମ, କିସି କା ଭାଇ କିସି କା ଜାନ ଓ ଏବେ ସିକନ୍ଦର ଫିଲ୍ମକୁ ଦର୍ଶକଙ୍କୁ ନିରାଶ କରିଛି ।
ଖାଁଙ୍କ ରାଜୁତି: କଳା ଧଳା ଓ ପରେ ରଙ୍ଗୀନ ଫିଲ୍ମରେ ଦିଲୀପ କୁମାର, ଶମ୍ମୀ କାପୁର, ଦେବାନନ୍ଦଙ୍କ ଯୁଗ ଆରମ୍ଭ ହୋଇଥିଲା । ଏହା ପରେ ଆସିଥିଲା ରାଜେଶ ଖାନ୍ନାଙ୍କ ଯୁଗ । ଅନ୍ୟ ଅର୍ଥରେ ରାଜେଶ ଖାନ୍ନା ପ୍ରଥମ ସୁପରଷ୍ଟାର ପଦ ପାଇଥିଲେ । ଏହା ପରେ ଆଙ୍ଗ୍ରି ୟଙ୍ଗ ମ୍ୟାନ ଅମିତାଭ ବଚ୍ଚନଙ୍କ ଯୁଗ ଚାଲିଥିଲା । ତିନି ଖାଁଙ୍କ ଏଂଟ୍ରି ପରେ ବଲିଉଡ ସେମାନଙ୍କ ହାତ ମୁଠାରେ ରହିଥିଲା ।
ଶାହାରୁଖ ରହିଛନ୍ତି ଆଗରେ: ୩ ଖାଁଙ୍କ ମଧ୍ୟରେ ଶାହାରୁଖ ଜୱାନ, ଡଙ୍କି ଓ ପଠାନ ଫିଲ୍ମ ମାଧ୍ୟମରେ ତିଷ୍ଠି ରହିଛନ୍ତି । ଏବେ ତାଙ୍କର ପରବର୍ତୀ ଫିଲ୍ମ କିଙ୍ଗ ୨୦୨୬ରେ ରିଲିଜ ହେବ । ଶାହାରୁଖ ଦୀର୍ଘ ଦିନ ଫ୍ଲପ ଦେବା ପରେ ଏବେ କିଛିଟା ହିଟ ଦେଇଛନ୍ତି । ଲାଲ ସିଂ ଚଢ଼ା ପରେ ଅମୀରଙ୍କ ଫିଲ୍ମ ପ୍ରତି ଦର୍ଶକ ବିମୁଖ ହୋଇଛନ୍ତି । ଅବଶ୍ୟ ଅମୀର ରୋମାନ୍ସ ଚରିତ୍ରଠାରୁ ନିଜକୁ ଦୂରେଇ ରଖିଛନ୍ତି । ଏବେ ସେ ସିତାରେ ଜମୀନ ପର ଫିଲ୍ମରେ ଅଭିନୟ କରୁଛନ୍ତି । ଶେଷ ହେଉଛି ସୁପର ଷ୍ଟାର ଯୁଗ: ବଲିଉଡରେ ଏବେ ଆଉ ସୁପରଷ୍ଟାର ଯୁଗ ନାହିଁ କହିଲେ ଚଳେ । ଦର୍ଶକ ନୂଆ ଧରଣର ଫିଲ୍ମକୁ ପସନ୍ଦ କରୁଛନ୍ତି । ଏବେ ଭିକ୍କି କୌଶଲ, ରଣବୀର କାପୁର, ରଣବୀର ସିଂ, ବରୁଣ ଧାୱନ, କାର୍ତିକ ଆର୍ଯ୍ୟନଙ୍କୁ ଯୁବ ପିଢ଼ୀ ପସନ୍ଦ କରୁଛନ୍ତି ।
ସାଉଥ ଫିଲ୍ମର ପ୍ରଭାବ: ସାଉଥ ଫିଲ୍ମର ପ୍ରଭାବ ବଲିଉଡ ଉପରେ ପଡିବା ଆରମ୍ଭ କରିଛି । ଦର୍ଶକଙ୍କୁ ବିକଳ୍ପ ଫିଲ୍ମ ଏବଂ ନୂଆ ଷ୍ଟାଇଲ ହୀରୋ ଦେଖିବା ସୁଯୋଗ ମିଳିଛି । ଅଲ୍ଲୁ ଅର୍ଜୁନ, ରାମଚରଣ, ପ୍ରଭାସଙ୍କ ପରି ହୀରୋ ପ୍ୟାନ ଇଣ୍ଡିଆ ଷ୍ଟାର ପାଲଟିଛନ୍ତି ।
Comments are closed.