Latest Odisha News

ଯୁବକ ତିଆରି କଲେ ଖଟିଆ କାର, ଥରେ ଚାର୍ଜ କଲେ ଯିବ ୬୦ କିଲୋମିଟର

ଭୋପାଳ: ଗ୍ରାମାଞ୍ଚଳରେ ଅଧିକାଂଶ ଲୋକ ଖଟିଆ ବ୍ୟବହାର କରିଥାନ୍ତି । ହେଲେ ଆଧୁନିକତାର ଛାପରେ ଏହା ଧୀରେ ଧୀରେ ଲୋପ ପାଇବାକୁ ବସିଛି । ହେଲେ ଏବେ ମଧ୍ୟପ୍ରଦେଶରେ ଏକ ଖଟିଆ ବେଶ୍ ଚର୍ଚ୍ଚାରେ । କାରଣ ଜଣେ ଯୁବକ ଏକ ଖଟିଆକୁ ଗାଡ଼ିରେ ପରିଣତ କରିଛନ୍ତି । ଯାହାକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ମଧ୍ୟପ୍ରଦେଶର ଅଶୋକନଗର ଜିଲା ମୁଖ୍ୟାଳୟଠାରୁ ୧୫ କିମି ଦୂର ସେମାରକେଡି ଗ୍ରାମରେ ରୁହନ୍ତି ୨୧ ବର୍ଷୀୟ ଯୁବକ ପୱନ ଓଝା । ଏବେ ସେ ଏକ ଖଟିଆରେ ଗାଡ଼ି ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି । ସେ ଏହି ଗାଡ଼ିର ନାଁ ରଖିଛନ୍ତି ଖଟିଆ କାର । ଏହାକୁ ଚଳାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲର ଆବଶ୍ୟକତା ନାହିଁ । ଏହା ଇଲେକ୍ଟ୍ରିକ ଚାର୍ଜିଂ ଏବଂ ସୌର ଶକ୍ତିରେ ଚାଲିଥାଏ । ଏହାକୁ ଆକର୍ଷଣୀୟ କରିବା ପାଇଁ ରଙ୍ଗୀନ ଆଲୋକରେ ସଜ୍ଜାଯାଇଛି । ଏହା ସହିତ ଏଥିରେ ମ୍ୟୁଜିକ ବ୍ୟବସ୍ଥା ମଧ୍ୟ ରହିଛି ।

ପୱନ କହିଛନ୍ତି ଯେ, ପିଲାଦିନରୁ ମୁଁ ଅଧ୍ୟୟନରେ ଦୁର୍ବଳ ଥିଲି । କିନ୍ତୁ ବୈଷୟିକ କୌଶଳ ପ୍ରତି ମୋର ଖୁବ୍ ଆଗ୍ରହ ଥିଲା । ଦଶମ ଶ୍ରେଣୀ ପରେ ଆଉ ପାଠ ପଢି ନ ଥିଲି । ଖାଲି ସମୟରେ ନୂତନ ପରୀକ୍ଷଣ ଏବଂ ଯନ୍ତ୍ରପାତି ତିଆରି କରିବାକୁ ମୋତେ ଭଲ ଲାଗେ । ଦିନେ ଆମ ଚାଷ ଜମିରେ ଏକ ଖଟିଆ ଉପରେ ବସିଥିଲି । ଯଦି ଖଟିଆକୁ କାରରେ ପରିଣତ କରିବି ତେବେ ଯିବା ଆସିବାରେ ସୁବିଧା ହେବ ନାହିଁ ବୋଲି ଚିନ୍ତା କଲି । ପରେ ଗୋଟିଏ ଗାଡିର ଇଞ୍ଜିନ ଏବଂ ଏଥିରେ ଲାଗିଥିବା ମୋଟର ସମେତ ସାମଗ୍ରୀ ସଂଗ୍ରହ କରିଲି । ପ୍ରାୟ ଦେଢ଼ ମାସ ଭିତରେ ଖଟିଆକୁ ଏକ କାରରେ ପରିଣତ କରିବାରେ ସଫଳ ହେଲି । ମୋର ଏହି ଖଟିଆ କାର ତିଆରି କରିବାରେ ୨୫ ରୁ ୩୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ପେଟ୍ରୋଲ ଓ ଡିଜେଲ ବୃଦ୍ଧି ଯୋଗୁ ମୁଁ ଏହି ଖଟିଆ କାରକୁ ବୈଦ୍ୟୁତିକ ଯାନରେ ରୂପାନ୍ତରିତ କରିଛି । ସେଥିଲାଗି ଏଥିରେ ବ୍ୟାଟେରୀ ଚାର୍ଜିଂ ବ୍ୟବହାର କରିଛି ।

ଏହି କାର ପ୍ରାୟ ୩ ଘଣ୍ଟା ଚାର୍ଜର୍ କଲେ ୬୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ । ଏହି ଯାନର ଗତି ଘଣ୍ଟା ପ୍ରତି ୫୦ କିଲୋମିଟର । ଏଥିରେ ୫ ଜଣ ଲୋକ ଆରାମରେ ଯାତ୍ରା କରିପାରିବେ । ଏହାସହିତ ଏହି ଗାଡିର ତିନିରୁ ଚାରି କୁଇଣ୍ଟାଲ ଓଜନ ବୋହିବାର କ୍ଷମତା ଅଛି ।

Comments are closed.