Latest Odisha News

BREAKING NEWS

ଟାଇମ୍‍ସ ଆଓ୍ବାର୍ଡସ ଏସିଆ ୨୦୨୧ ପୁରସ୍କାର, କିଟ୍‍କୁ ଲିଡରସିପ୍‍ ଆଣ୍ଡ ମ୍ୟାନେଜମେଣ୍ଟ ଟିମ୍‍ ଅଫ୍‍ ଦି ଇୟର ପୁରସ୍କାର

ଭୁବନେଶ୍ବର : ବିଶ୍ବସ୍ତରରେ କିଟ୍‍ ବିଶ୍ବବିଦ୍ୟାଳୟକୁ ମିଳିଛି ଆଉ ଏକ ସମ୍ମାନଜନକ ପୁରସ୍କାର । ଟାଇମ୍‍ସ ହାଇୟର୍‍ ଏଜୁକେସନ୍‍ ପକ୍ଷରୁ ‘ଆୱାର୍ଡସ ଏସିଆ ୨୦୨୧’ ପୁରସ୍କାର ଘୋଷଣା କରାଯାଇଥିବା ବେଳେ, ସମଗ୍ର ଦେଶ ତଥା ଏସିଆରେ ଏକମାତ୍ର ଅନୁଷ୍ଠାନ ଭାବେ କିଟ୍‍ ବିଶ୍ବବିଦ୍ୟାଳୟ ଏହି ଗୌରବର ଅଧିକାରୀ ହୋଇଛି । ଟାଇମ୍‍ସ ହାଇୟର ଏଜୁକେସନ୍‍ ପକ୍ଷରୁ କିଟ୍‍ ବିଶ୍ବବିଦ୍ୟାଳୟକୁ ‘ଲିଡର୍‍ସିପ୍‍ ଆଣ୍ଡ ମ୍ୟାନେଜମେଣ୍ଟ ଟିମ୍‍ ଅଫ୍‍ ଦି ଇୟର୍‍’ ଭାବେ ପୁରସ୍କୃତ କରାଯାଇଛି । ଲଗାତାର ଦ୍ବିତୀୟ ବର୍ଷ ପାଇଁ କିଟ୍‍ ବିଶ୍ବବିଦ୍ୟାଳୟ ଟାଇମ୍‍ସ ଆୱାର୍ଡ ଏସିଆ ପୁରସ୍କାର ପାଇବାର ଗୌରବ ଅର୍ଜନ କରିଛି ।

ଗତବର୍ଷ ଟାଇମ୍‍ସ ହାଇୟର ଏଜୁକେସନ୍‍ ପକ୍ଷରୁ କିଟ୍‍ ବିଶ୍ବବିଦ୍ୟାଳୟକୁ ‘ୱାର୍କପ୍ଲେସ୍‍ ଅଫ୍‍ ଦି ଇୟର’ କାଟେଗୋରୀରେ ପୁରସ୍କାର ପ୍ରଦାନ କରାଯାଇଥିଲା । ଯେ କୌଣସି ଆପତକାଳୀନ ପରିସ୍ଥିତିର ସାମନା କରିବା, ଅପହଞ୍ଚଙ୍କ ନିକଟରେ ପହଞ୍ଚିବା ଏବଂ ସମାଜସେବା ବିଶେଷ କରି କୋଭିଡ୍‍ ମହାମାରୀ ସମୟରେ କୋଭିଡ୍‍ ଡାକ୍ତରଖାନା ପ୍ରତିଷ୍ଠା, ସାଧାରଣ ଲୋକଙ୍କୁ ମାସ୍କ, ସାନିଟାଇଜର, ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ବଣ୍ଟନ, ଓଡ଼ିଶାରେ କୋଭିଡରେ ପ୍ରାଣ ହରାଇଥିବା ଲୋକଙ୍କ ପିଲାଙ୍କୁ ମାଗଣାରେ କିଟରେ ଉଚ୍ଚଶିକ୍ଷା ପ୍ରଦାନ କରିବା, କୋଭିଡରେ ଉଭୟ ବାପା ଓ ମା’ଙ୍କୁ ହରାଇ ଅନାଥ ହୋଇଥିବା ପିଲାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ଆଦି କାର୍ଯ୍ୟକୁ ଦେଖି ଚଳିତବର୍ଷ ଟାଇମ୍‍ସ ହାଇୟର ଏଜୁକେସନ୍‍ ପକ୍ଷରୁ କିଟ୍‍ ବିଶ୍ବବିଦ୍ୟାଳୟକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

କିଟ୍‍ ବିଶ୍ବବିଦ୍ୟାଳୟକୁ ଏହି ପୁରସ୍କାର ମିଳିବା ପରେ କିଟ୍‍ ଓ କିସ୍‍ର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ, ଅଭିଭାବକ ଓ ଶୁଭେଚ୍ଛୁଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଏଥିପାଇଁ ସେମାନେ ଏହାର ସମସ୍ତ ଶ୍ରେୟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ପ୍ରଦାନ କରିଛନ୍ତି । ଏସିଆ ମହାଦେଶରୁ କିଟ୍‍ ଏକ ମାତ୍ର ବିଶ୍ବବିଦ୍ୟାଳୟ ଭାବେ ଏହି ପୁରସ୍କାର ପାଇଥିବାରୁ ଏହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି ଅଚ୍ୟୁତ ସାମନ୍ତ ।

Comments are closed.