Latest Odisha News

BREAKING NEWS

ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୦୨୫ରେ କିଟରୁ ସର୍ବାଧିକ ୪୦ ଖେଳାଳି ପ୍ରତିନିଧିତ୍ୱ କରିବେ

ଭୁବନେଶ୍ୱର: ଜୁଲାଇ ୧୬ରୁ ୨୭ ପର୍ଯ୍ୟନ୍ତ ଜର୍ମାନୀର ବର୍ଲିନ, ରାଇନ-ରୁହର ଅଞ୍ଚଳ (ଏସେନ, ବୋଚମ, ଡୁଇସବର୍ଗ, ମୁଲହେଇମ ଆନ ଡେର ରୁହର, ହାଗେନ) ଆଦି ସ୍ଥାନରେ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୦୨୫ ଅନୁଷ୍ଠିତ ହେବାକୁ ଯାଉଛି।

ଏଥିରେ ଭାରତରୁ ମୋଟ ୪୦୭ ଜଣ ଛାତ୍ର କ୍ରୀଡ଼ାବିତ୍‍, କୋଚ ଓ ଅଫିସିଆଲ୍‍ ସାମିଲ ହୋଇଛନ୍ତି। କେବଳ କିଟ୍ ବିଶ୍ୱବିଦ୍ୟାଳୟରୁ ବିଭିନ୍ନ ବିଭାଗରେ ସର୍ବାଧିକ ୪୦ ଜଣ ଖେଳାଳି ଏଥିପାଇଁ ମନୋନୀତ ହୋଇଛନ୍ତି। ଓଡ଼ିଶାର ଉତ୍କଳ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ମଧ୍ୟ ଜଣେ ଲେଖାଏଁ ଖେଳାଳି ଥିବାବେଳେ ଓଡ଼ିଶାରୁ ମୋଟ ୪୨ଜଣ ଖେଳାଳି ଏଥିରେ ପ୍ରତିନିଧିତ୍ୱ କରୁଛନ୍ତି।

ସେହିପରି ରାଜ୍ୟ ହିସାବରେ ପଞ୍ଜାବ ପରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ଚଳିତବର୍ଷ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପାଇଁ ବିଭିନ୍ନ ସମୟରେ ଅନୁଷ୍ଠିତ ବିଶ୍ୱବିଦ୍ୟାଳୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ୧୦୦୦ରୁ ଊର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ। ଦେଶର ୪ଶହ ବିଶ୍ୱବିଦ୍ୟାଳୟ ଏହି ଚୟନ ପ୍ରକ୍ରିୟାରେ ସାମିଲ୍‍ ହୋଇଥିବା ବେଳେ ୬୧ଟି ବିଶ୍ୱବିଦ୍ୟାଳୟରୁ ୩ଶହ ଶ୍ରେଷ୍ଠ କ୍ରୀଡ଼ାବିତ୍‍ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପାଇଁ ଚୟନ କରାଯାଇଥିଲା। ସେଥିମଧ୍ୟରୁ କେବଳ କିଟରୁ ୪୦ ଖେଳାଳି ଏଥିପାଇଁ ମନୋନୀତ ହୋଇ ଜର୍ମାନୀ ଗସ୍ତ କରୁଛନ୍ତି।

କିଟର ଏହି ୪୦ ଜଣ ଖେଳାଳି ୭ଟି କ୍ରୀଡ଼ା ଶୃଙ୍ଖଳାରେ ପ୍ରତିନିଧିତ୍ୱ କରୁଛନ୍ତି। ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଭାରତର କୌଣସି ଗୋଟିଏ ବିଶ୍ୱବିଦ୍ୟାଳୟ ଦ୍ୱାରା ଏତେ ସଂଖ୍ୟକ ଖେଳାଳି ପ୍ରତିନିଧିତ୍ୱ କରିବା ଏହା ହେଉଛି ପ୍ରଥମ। କିଟ୍‍ ବିଶ୍ୱବିଦ୍ୟାଳୟ ବ୍ୟତୀତ ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟରୁ ସର୍ବାଧିକ ୨୮ ଜଣ ଆଥଲେଟ୍ ଓ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରୁ ୨୨ ଜଣ ଆଥଲେଟ୍ ଭାରତୀୟ ଦଳରେ ସାମିଲ ଅଛନ୍ତି। ଏହି କ୍ରୀଡ଼ାବିତଙ୍କୁ ଉତ୍ସାହିତ କରିବା ପାଇଁ ଦଳରେ କ୍ରୀଡ଼ା ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କୁ ମିଶାଇ ମୋଟ ୧୦୭ଜଣ ଏହି ଗସ୍ତରେ ସାମିଲ ହୋଇଛନ୍ତି। ସେମାନେ ଖେଳାଳିମାନଙ୍କୁ ବୈଷୟିକ, ଡାକ୍ତରୀ ସେବା ତଥା ଲଜିଷ୍ଟିକ୍ ସହାୟତା ଆଦି ଯୋଗାଇ ଦେବେ।

ଭାରତୀୟ ପ୍ରତିନିଧି ଦଳରେ ସାମିଲ ହୋଇଥିବା କ୍ରୀଡ଼ା ଅଧିକାରୀ ଏବଂ ପ୍ରଶିକ୍ଷକଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ଅଲିମ୍ପିଆନ୍ ଏବଂ ଅର୍ଜୁନ ପୁରସ୍କାର ବିଜେତା ରାହୁଲ ବାନାର୍ଜୀ, ଜାତୀୟ ତୀରନ୍ଦାଜ ପ୍ରଶିକ୍ଷକ ସୁରିନ୍ଦର ସିଂହ, ଅନ୍ତର୍ଜାତୀୟ ଆଥଲେଟିକ୍ସ ପ୍ରଶିକ୍ଷକ ସଞ୍ଜୟ ଗଡ଼ନାୟକ, ଅନ୍ତର୍ଜାତୀୟ ଭଲିବଲ୍ ପ୍ରଶିକ୍ଷକ ଲୋତକ ବିନ୍ଦୁ ଦାଶ ଏବଂ ଅନ୍ତର୍ଜାତୀୟ ଟେନିସ୍ ପ୍ରଶିକ୍ଷକ ଟଡ୍ କ୍ଲାର୍କ ପ୍ରମୁଖ।

ଏହି ପରିପ୍ରେକ୍ଷୀରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୦୨୫ରେ ଅଂଶଗ୍ରହଣ କରୁଥିବା ସମଗ୍ର ଭାରତୀୟ ବିଶ୍ୱବିଦ୍ୟାଳୟ ଦଳ ତଥା କ୍ରୀଡ଼ାବିତ୍‍ଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସଫଳତା କାମନା କରିଛନ୍ତି। ଏହା ସହ ସେ କହିଛନ୍ତି, କିଟ୍ ସର୍ବଦା ଶିକ୍ଷା ସହିତ କ୍ରୀଡ଼ାକୁ ସମାନ ଗୁରୁତ୍ୱ ଦେଇ ଆସିଛି। ଏପରିକି ୨୦୧୯ ଠାରୁ ୨୦୨୫ ପର୍ଯ୍ୟନ୍ତ ସମସ୍ତ ଟୁର୍ଣ୍ଣାମେଣ୍ଟରେ କିଟ୍‍ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ଏବଂ ପଞ୍ଜିକରଣ ପାଇଁ ଆବଶ୍ୟକ ଫି ମଧ୍ୟ କିଟ୍‍ ପକ୍ଷରୁ ଆଗୁଆ ପଇଠ କରାଯାଇଥାଏ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କିଟ୍‍ ଓ କିସ୍‍ କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ, ଅଲିମ୍ପିଆନ୍‍ ଦୂତୀ ଚାନ୍ଦ ଓ ଶ୍ରାବଣୀ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

 

Comments are closed.