ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟରେ ତିନିଦିନ ଧରି ଚାଲିଥିବା କିଟ୍ ଇଣ୍ଟରନ୍ୟାସନାଲ ମଡେଲ ୟୁନାଇଟେଡ୍ ନେସନସ୍ (ଏମୟୁଏନ୍)ର ୧୧ତମ ସଂସ୍କରଣ ରବିବାର ଉଦ୍ଯାପିତ ହୋଇଯାଇଛି । ଏଥିରେ ଦେଶବ୍ୟାପୀ ୫ଶହ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ୧୩ଶହରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ । ଏହା ବ୍ୟତୀତ ନାଇଜେରିଆ, ସୋମାଲିଆ, ବାଂଲାଦେଶ, ସିରିଆ, ଇଥିଓପିଆ, ଟୋଗୋ ଓ ଇଣ୍ଡୋନେସିଆ ଆଦି ଦେଶର ଛାତ୍ର ପ୍ରତିନିଧି ଯୋଗ ଦେଇଥିଲେ । ଏହା ହେଉଛି ଏସିଆର ସବୁଠାରୁ ବଡ଼ ଛାୟା ଜାତିସଂଘ ।
ଏହାର ଉଦ୍ଘାଟନୀ ଉତ୍ସବରେ ଟୋଗୋର ଉଚ୍ଚଶିକ୍ଷା ଓ ଗବେଷଣା ମନ୍ତ୍ରଣାଳୟର ସ୍କଲାରସିପ୍ ଓ ଇଣ୍ଟର୍ନସିପ୍ ବିଭାଗର ନିର୍ଦ୍ଦେଶକ କୋମଲା ଏ. ଜେରିସ୍ ଜୋଗବେମା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବେ ନୂଆଦିଲ୍ଲୀସ୍ଥିତ ଟୋଗୋ ଦୂତାବାସର ଭାରପ୍ରାପ୍ତ ଅଧିକାରୀ ୟାୱା ଏଡେମ୍ ଆକପେମାଡୋ ଯୋଗ ଦେଇଥିଲେ । କିଟ୍-ମୁନ୍ର ୧୧ତମ ସଂସ୍କରଣର ବିଷୟବସ୍ତୁ ଥିଲା ‘ଏନ୍ଗେଜ୍ ଟୁ ଏମ୍ପାୱାର’ ଥିଲା । ଏହା ଯୁବଗୋଷ୍ଠୀ ମଧ୍ୟରେ ସଶକ୍ତିକରଣ ଏବଂ ଅଭିବୃଦ୍ଧିକୁ ସୁଗମ କରିବ । ଏହା ଭବିଷ୍ୟତର ଏକ ସୁନ୍ଦର ବିଶ୍ୱ ଗଠନ ଦିଗରେ ସହାୟକ ହେବ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ ।
ଜି-୨୦ ନେତୃତ୍ୱରେ ଭାରତର ଚମତ୍କାର ଭୂମିକାକୁ ପ୍ରଶଂସା କରି ଜୋଗ୍ୱେମା ଜାତିସଂଘ ଢାଞ୍ଚାରେ ପରିବର୍ତ୍ତନ ଆଣିବାକୁ ଆହ୍ୱାନ ଦେଇଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବର୍ତ୍ତମାନ ଆକ୍ରମଣ, ଯୁଦ୍ଧ, ଆତଙ୍କବାଦ, ଖାଦ୍ୟ ଅଭାବ, ସ୍ୱାସ୍ଥ୍ୟ ସେବା ଏବଂ ଶରଣାର୍ଥୀ ସଙ୍କଟ ସମେତ ଅନେକ ପ୍ରସଙ୍ଗ ଉଭା ହୋଇଛି । ମାନବ ବିକାଶ କ୍ଷେତ୍ରରେ ଉତ୍କୃଷ୍ଟ ହେବା ପାଇଁ ଟୋଗୋ, ଭାରତ ସହ ଘନିଷ୍ଠ ସମ୍ପର୍କ ରଖିବାକୁ ସେ ଇଚ୍ଛା ପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯୋଗଦେଇ କହିଥିଲେ ଯେ, କିଟ୍ ଆନ୍ତର୍ଜାତିକ ମୁନ୍ ହେଉଛି ଏସିଆ ମହାଦେଶର ସବୁଠାରୁ ବଡ଼ ଛାୟା ଜାତିସଂଘ । ଚଳିତବର୍ଷର ବିଷୟବସ୍ତୁ ‘ଏନ୍ଗେ୍ଜ୍ ଟୁ ଏମ୍ପାୱାର’କୁ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନସେସ୍ (କିସ୍) ଅତି ସୁନ୍ଦର ଭାବେ ପୂରଣ କରିପାରିଛି । ଛାୟା ଜାତିସଂଘ ମାଧ୍ୟମରେ ଛାତ୍ରଛାତ୍ରୀମାନେ ବିଶ୍ୱର ପ୍ରମୁଖ ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ଏହାର ସମାଧାନ ପାଇଁ ଆଲୋଚନା ଜରିଆରେ ପନ୍ଥା ନିର୍ଦ୍ଧାରଣ କରିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ ।
କିଟ୍-ମୁନ୍ରେ ୩୫ ଜଣ କାର୍ଯ୍ୟକାରିଣୀ ବୋର୍ଡ ସଦସ୍ୟ ଥିବାବେଳେ ଏଥିରେ ଇଣ୍ଡୋନେସିଆ ଏବଂ ବାଂଲାଦେଶର ଛାତ୍ର ପ୍ରତିନିଧି ରହିଥିଲେ । କିଟ୍ ମୁନ୍ର ମହାସଚିବ ସୀତେଶ ସିଂହ ଏହି ଛାୟା ଜାତିସଂଘର ଅଧ୍ୟକ୍ଷତା କରିଥିଲେ । ୨୦୧୩ରେ ଆରମ୍ଭ ହେବା ପରଠାରୁ କିଟ୍-ମୁନ୍ର ଆଦୃତି ଦ୍ରୁତ ଗତିରେ ବୃଦ୍ଧି ପାଇଛି । ସମଗ୍ର ବିଶ୍ୱରେ ଦାରିଦ୍ର୍ୟ, କ୍ଷୁଧା, ଜଳବାୟୁ ପରିବର୍ତ୍ତନ, ଖାଦ୍ୟ ନିରାପତ୍ତା ଏବଂ ଶରଣାର୍ଥୀ ସଙ୍କଟ ଉପରେ ଆଲୋଚନା ଜରିଆରେ ପରିବର୍ତ୍ତନ ଚାହୁଁଥିବା ଭବିଷ୍ୟତର ନେତା ଓ କୂଟନୀତିଜ୍ଞଙ୍କ ପାଇଁ ଏହା ଏକ ଉପଯୁକ୍ତ ଫୋରମ ହୋଇପାରିଛି । ଏହି କାର୍ଯ୍ୟକ୍ରମରେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ୍ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କିଟ୍ ବିଶ୍ୱବିଦ୍ୟାଳୟ ଅନ୍ତର୍ଜାତୀୟ ସମ୍ପର୍କ ମହାନିର୍ଦ୍ଦେଶକ ଦେବରାଜ ପ୍ରଧାନ, ଅତିରିକ୍ତ କୁଳସଚିବ ଡା. ଶ୍ୟାମ ସୁନ୍ଦର ବେହୁରା ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.