Latest Odisha News

BREAKING NEWS

ଜନଜାତି ସ୍ୱାସ୍ଥ୍ୟ ବିକାଶ ଓ ଯୁବ ସଶକ୍ତିକରଣ ନେଇ କିଟ୍‍, କିସ୍‍ ଓ ଜାପାଇଗୋ ମଧ୍ୟରେ ବୁଝାମଣା

ଭୁବନେଶ୍ୱର: ଜନଜାତି ସ୍ୱାସ୍ଥ୍ୟ ବିକାଶ ଓ ଯୁବ ସଶକ୍ତିକରଣ ନେଇ କିଟ୍‍, କିସ୍‍ ଓ ଜାପାଇଗୋ ମଧ୍ୟରେ ଗୁରୁବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି।

ଟ୍ରାଇବାଲ୍‍ ହେଲ୍‍ଥ ରିସର୍ଚ୍ଚ ଇନୋଭେସନ୍‍ ଆଣ୍ଡ ଭୋକେସନାଲ୍‍ ଏମପାୱାରମେଣ୍ଟ (ଥ୍ରାଇଭ୍‍) ଶୀର୍ଷକ ବୁଝାମଣା ପତ୍ରରେ କିଟ୍‍ ବିଶ୍ୱବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା ଓ ଜାପାଇଗୋ ପକ୍ଷରୁ ଡ. ସୋମେଶ କୁମାର ସ୍ୱାକ୍ଷର କରିଥିଲେ। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।

ଏହି ବୁଝାମଣା ଦ୍ୱାରା ଜନଜାତି ଗବେଷଣା, ସଂସ୍କୃତି ସଂରକ୍ଷଣ ଓ ଯୁବ ସଶକ୍ତିକରଣ ଦିଗରେ କାର୍ଯ୍ୟ କରିବା ସହ ଜନଜାତି ବର୍ଗର ଲୋକଙ୍କ ମଧ୍ୟରେ ଜଟିଳ ରୋଗ ଓ ସାମାଜିକ ସମସ୍ୟା ଦୂର କରିବା ଲକ୍ଷ୍ୟ ରହିଛି। ଏହି ଅବସରରେ କିସ୍‍ ପରିସରରେ ଟ୍ରାଇବାଲ୍‍ ହେଲ୍‍ଥ ଆଣ୍ଡ ରିସର୍ଚ୍ଚ (ସିଟିଏଚ୍‍ଆର୍‍) ଓ ସେଣ୍ଟର ଫର ୟୁଥ୍‍ ଇନୋଭେସନ୍‍ ଆଣ୍ଡ ଇନକ୍ଲୁସିଭ୍‍ନେସ୍‍ (ସିୱାଇଆଇଆଇ) ଭଳି ଦୁଇଟି ଗବେଷଣା କେନ୍ଦ୍ର ଉନ୍ମୋଚିତ ହୋଇଥିଲା। ଏହି ଦୁଇ କେନ୍ଦ୍ର ଜରିଆରେ ଜନଜାତି ଓ ଯୁବ ବିକାଶ କାର୍ଯ୍ୟ ଉପରେ ଗବେଷଣା କରାଯିବ।

ଏନେଇ ଜାପାଇଗୋ ସଭାପତି ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଲେସ୍‍ଲି ମାନ୍‍କୁସୋ କହିଛନ୍ତି, ଏହି ବୁଝାମଣା ଫଳରେ ଉଭୟ କିଟ୍‍ ଓ କିସ୍‍ ସହ ଜାପାଇଗୋ ଜନଜାତି ସ୍ୱାସ୍ଥ୍ୟର ବିକାଶ, ଶୈକ୍ଷିକ ଭାଗୀଦାରି ଓ ଦକ୍ଷତା ବୃଦ୍ଧି ଆଦି ଦିଗରେ ମିଳିତ ଭାବେ କାର୍ଯ୍ୟ କରିବେ। ଏହି ବୁଝାମଣା ଏକ ବୈଶ୍ୱିକ ଉଦାହରଣ ହେବ ଓ ଏହା ପରିବର୍ତ୍ତନର ଏକ ମଡେଲ୍‍ ହୋଇପାରିବ।

ଜାପାଇଗୋ ଗ୍ଲୋବାଲ୍‍ ପ୍ରୋଗ୍ରାମର ବରିଷ୍ଠ ଉପସଭାପତି ତଥା ଦେବୋରା ବୋସମେୟର କହିଛନ୍ତି, ଏହି ବୁଝାମଣା ଦ୍ୱାରା ଯୁବଗୋଷ୍ଠୀଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ବିଚାରଗତ କ୍ଷେତ୍ରରେ ଭବିଷ୍ୟତରେ ଆସିବାକୁଥିବା ସମସ୍ୟା ଓ ସମାଧାନ ଏହି କେନ୍ଦ୍ର ଦ୍ୱାରା କରାଯାଇପାରିବ।

ଅପରପକ୍ଷରେ ଡ. ସୋମେଶ କୁମାର କହିଛନ୍ତି, ଏହି ଦୁଇଟି କେନ୍ଦ୍ର ଖୋଲାଯିବା ଦ୍ୱାରା ଜନଜାତି ସମାଜର ବ୍ୟାପକ ବିକାଶ ହୋଇପାରିବ।

Leave A Reply

Your email address will not be published.