Latest Odisha News

BREAKING NEWS

କିମ୍‍ସରେ ବର୍ଷକର ଶିଶୁର ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ (କିମସ)ରେ ଜଣେ ୧ ବର୍ଷ ବୟସର ଶିଶୁଠାରେ ଜଟିଳ ଓ ବିରଳ ଅସ୍ତ୍ରୋପଚାର ସଫଳ ହୋଇଛି। ଶିଶୁଟିର ମୁଣ୍ଡର ଆକାର ଅସ୍ୱାଭାବିକ ରହିଥିବା ବେଳେ ଆଖି ଫୁଲିବା ସହ ବୃଦ୍ଧିରେ ବିଳମ୍ବ ହେଉଥିଲା।

ପରିବାର ଲୋକେ ପିଲାଟିକୁ କିମ୍‍ସ ନେଇଥିଲେ। ପରୀକ୍ଷା ପରେ ଶିଶୁଟି କ୍ରୁଜନ୍ ସିଣ୍ଡ୍ରୋମ୍‌ରେ ପୀଡିତ ଓ ଖପୁରୀ ଭିତରେ ବିପଜ୍ଜନକ ଭାବରେ ଉଚ୍ଚ ଚାପ ଥିବା ଜଣାପଡିଥିଲା। ଏଭଳି ଅବସ୍ଥାରେ ଚିକିତ୍ସା କରାନଗଲେ ତାହା ଶିଶୁର ମସ୍ତିଷ୍କ ବିକାଶକୁ ଗୁରୁତର ଭାବରେ କ୍ଷତି ପହଞ୍ଚାଇବାର ସମ୍ଭାବନା ଥିଲା। ତୁରନ୍ତ କିମ୍‍ସର ବିଶେଷଜ୍ଞମାନେ ଶିଶୁଠାରେ ସଫଳତାର ସହ କ୍ରାନିଓଫେସିଆଲ୍ ଅସ୍ତ୍ରୋପଚାର କରିଥିଲେ। ଏହା ଏକ ଜଟିଳ ଓ ବିରଳ ଅସ୍ତ୍ରୋପଚାର ହୋଇଥିଲେ ମଧ୍ୟ କିମ୍‍ସ ଡାକ୍ତର ଏଥିରେ ସଫଳ ହୋଇଥିଲେ। ଶିଶୁଟି ଏବେ ସୁସ୍ଥ ଅଛି ଓ ସାଧାରଣ ଜୀବନଯାପନ କରୁଥିବା ଜଣାପଡିଛି।

ଏହା ଏକ ବିରଳ ଜନ୍ମଗତ ରୋଗ ଯେଉଁଥିରେ ଖପୁରିର କିଛି ହାଡ଼ ସମୟ ପୂର୍ବରୁ ଯୋଡ଼ି ହୋଇଯାଏ। ଏହା ମସ୍ତିଷ୍କ ବୃଦ୍ଧି ପାଇବା ସହିତ ଖପୁରୀକୁ ସାଧାରଣ ଭାବରେ ବିସ୍ତାର ହେବାରୁ ବାଧା ଦିଏ। ଫଳରେ ମସ୍ତିଷ୍କ ଉପରେ ଚାପ ବଢ଼ିଯାଏ, ମୁହଁ ବିକୃତ ଦେଖାଯାଏ ଏବଂ ଆଖି ଫୁଲିଯାଏ।

ଏଭଳି ଅସ୍ତ୍ରୋପଚାର ଏକ ବଡ଼ ସଫଳତା। ଭାରତରେ ବହୁତ କମ୍ ଉତ୍ସର୍ଗୀକୃତ କ୍ରାନିଓଫେସିଆଲ୍ କେନ୍ଦ୍ର ଅଛି। ଦେଶର ପୂର୍ବାଞ୍ଚଳରେ ଏଭଳି କେନ୍ଦ୍ର ନଥିବା କୁହାଯାଉଛି। ଏହି ସଫଳତା ସହ କିମସ ବିଭିନ୍ନ କ୍ଷେତ୍ରରେ ଉଚ୍ଚ ପ୍ରଶିକ୍ଷିତ ବିଶେଷଜ୍ଞଙ୍କ ଏକ ଦଳ ଦ୍ୱାରା ପରିଚାଳିତ ବିରଳ ଏବଂ ଜଟିଳ କ୍ରାନିଓଫେସିଆଲ୍ ବ୍ୟାଧିରେ ପୀଡିତ ଶିଶୁଙ୍କ ଚିକିତ୍ସା ପାଇଁ ଏକ ଉତ୍କର୍ଷ କେନ୍ଦ୍ର ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି। କିମସର ପ୍ରଫେସର ସୁନୀଲ କୁମାର ରାଉତ (ପ୍ଲାଷ୍ଟିକ୍ ସର୍ଜରୀ), ପ୍ରଫେସର ଦୀପ୍ତି ରଞ୍ଜନ ସତପଥୀ (ନ୍ୟୁରୋସର୍ଜରୀ), ବରିଷ୍ଠ ଆନାସ୍ଥେସିଓଲୋଜିଷ୍ଟ ଡା ସଞ୍ଜୟ କୁମାର ମାଝୀ ଓ ଶିଶୁ ରୋଗ ବିଶେଷଜ୍ଞ ପ୍ରଫେସର ସେବାରଞ୍ଜନ ବିଶ୍ୱାଳ, ପ୍ରଫେସର ବନ୍ଦ୍ୟା ସାହୁ ଓ ଡା ମୁକେଶ ଜୈନ ପ୍ରମୁଖଙ୍କ ନେଇ ଏକ ବହୁମୁଖୀ କ୍ରାନିଓଫେସିଆଲ୍ ବିଶେଷଜ୍ଞ ଦଳ ଏଥିରେ ସାମିଲ ଥିଲେ। ଡା ଜୟନ୍ତ ଲେଙ୍କା (ପ୍ଲାଷ୍ଟିକ୍ ସର୍ଜରୀ), ଡା ସୌରଭ ଗୁଡିଆ (ନ୍ୟୁରୋସର୍ଜରୀ) ଓ ଶିଶୁ ଆଇସିୟୁ ଦଳ ମଧ୍ୟ ଏଥିରେ ସହାୟତା କରିଥିଲେ।

ଏଭଳି ବିରଳ ଓ ସଫଳ ଚିକିତ୍ସାରେ କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ସଂପୃକ୍ତ ଡାକ୍ତରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ଏକ ଚ୍ୟାଲେଞ୍ଜିଂ ମାମଲା ହୋଇଥିବା ବେଳେ ଦଳର ଉତ୍ସର୍ଗୀକୃତ ପ୍ରୟାସକୁ ସେ ଉଚ୍ଚ ପ୍ରଶଂସା ମଧ୍ୟ କରିଛନ୍ତି।

Leave A Reply

Your email address will not be published.