Latest Odisha News

ରାଷ୍ଟ୍ର ନିର୍ମାଣରେ ଶିକ୍ଷାର ଭୂମିକା ଶୀର୍ଷରେ: ରାଜ୍ୟପାଳ

ଭୁବନେଶ୍ୱର : ରାଷ୍ଟ୍ର ନିର୍ମାଣରେ ଶିକ୍ଷାର ଗୁରୁତ୍ୱ ସବୁଠୁ ଉପରେ ବୋଲି ଓଡ଼ିଶା ରାଜ୍ୟପାଳ ରଘୁବର ଦାସ କହିଛନ୍ତି । ଶନିବାର କିସ୍ ବିଶ୍ୱବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଦାସ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇ କହିଲେ, କୌଣସି କାମ ମନୋବଳଠାରୁ ବଡ଼ ନୁହେଁ । ଯଦି ନିଜ ଭିତରେ ଦୃଢ଼ ମନୋବଳ ଓ ପ୍ରବଳ ଇଚ୍ଛାଶକ୍ତି ରହିଛି ତେବେ ଯେ କୌଣସି କାମରେ ସଫଳତା ହାସଲ କରିହେବ । କିସ୍ ଭଳି ଅନୁଷ୍ଠାନ ଥିବାରୁ ଓଡ଼ିଶା ଓ ଝାଡ଼ଖଣ୍ଡର ଜନଜାତି ସଂପ୍ରଦାୟର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଶିକ୍ଷା ଲାଭ କରି ସଶକ୍ତ ହେବା କିମ୍ କଥା ନୁହେଁ ବୋଲି ସେ କହିଥିଲେ ।

ସେ ଆହୁରି କହିଥିଲେ ଯେ, ଯୁବଶକ୍ତି ହେଉଛନ୍ତି ଏକବିଂଶ ଶତାବ୍ଦୀର ଭାରତର ବିକାଶର ପ୍ରେରଣାର ଉତ୍ସ । ଯୁବଗୋଷ୍ଠୀ ନିକଟରେ ତିନୋଟି ଜିନିଷ ରହିଛି ସର୍ଜନା ଓ ପରିକଳ୍ପନା, ନିଷ୍ପତ୍ତି ନେବାର ଶକ୍ତି ଓ କାମ କରିବାର ଜିଦ୍ ରହିଛି । ଏହି ତିନୋଟି ଜିନିଷ ଯାହା ନିକଟରେ ରହିଛି ସେ ସବୁ କାମରେ ସଫଳତା ହାସଲ କରିଥାଏ ବୋଲି ରାଜ୍ୟପାଳ କହିଥିଲେ । ସମାବର୍ତ୍ତନରେ ଦୀକ୍ଷାନ୍ତ ଅଭିଭାଷଣ ଦେଇ ନୀତି ଆୟୋଗର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଜି-୨୦ ସେରପା ଅମିତାଭ କାନ୍ତ କହିଲେ, ଏଠାରୁ ଆଜି କୃତୀତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀମାନେ ଆହରଣ କରିଥିବା ଜ୍ଞାନକୁ ସମାଜ ଓ ରାଷ୍ଟ୍ର ନିର୍ମାଣରେ ବିନିଯୋଗ କରିବା ଉଚିତ । ସେ ଦେଶ ବିଦେଶର ବହୁ ଅନୁଷ୍ଠାନ ପରିଦର୍ଶନ କରିଥିଲେ ମଧ୍ୟ କିଟ୍ ଓ କିସ୍ ଭଳି ଅନୁଷ୍ଠାନ ସେ କେଉଁଠି ଦେଖିନାହାନ୍ତି । ବିଶ୍ୱରେ ବିରଳ ଏଭଳି ଅଭିନବ ଚିନ୍ତାଧାରା ପାଇଁ ସେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସେ ପ୍ରଶଂସା କରିଥିଲେ ।

ବିଶିଷ୍ଟ ଅତିଥି ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ସମ୍ମାନସୂଚକ ଡକ୍ଟୋରେଟ୍ ଡିଗ୍ରୀ ଗ୍ରହଣ କରି ସମାଜର ଅବହେଳିତ, ଦଳିତ ଓ ନିଷ୍ପେସିତଙ୍କ ପାଇଁ ତୁମମାନଙ୍କର ଗୁରୁ ଦାୟିତ୍ୱ ରହିଛି । ସେମାନେ ସମସ୍ତଙ୍କ ଭଳି କିଭଳି ସବୁ କ୍ଷେତ୍ରରେ ସମାନ ଅଧିକାର ଓ ଆଇନଗତ ସୁରକ୍ଷା ପାଇ ପାରିବେ ସେଥିପାଇଁ ତୁମମାନଙ୍କ କର୍ତ୍ତବ୍ୟ ରହିଛି । ଋଷିକେଶ ପରମାର୍ଥ ନିକେତନ ଆଶ୍ରମର ଅଧ୍ୟକ୍ଷ ତଥା ଆଧ୍ୟାତ୍ମିକ ମୁଖ୍ୟ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ସମ୍ମାନସୂଚକ ଡକ୍ଟୋରେଟ୍ ଡିଗ୍ରୀ ଗ୍ରହଣ କରି ଛାତ୍ରଛାତ୍ରୀଙ୍କୁ କହିଲେ ମେଡାଲ ଜିତ କିନ୍ତୁ ସମସ୍ତଙ୍କ ପାଇଁ ମଡେଲ ହୁଅ । ସମ୍ମାନୀୟ ଅତିଥି ଭାବେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଭାରତୀୟ ସଂଗୀତଜ୍ଞ । ରିକି କେଜ୍ ଯୋଗଦେଇଥିଲେ ।

କାର୍ଯ୍ୟକ୍ରମରେ କିସ୍ ବିଶ୍ୱବିଦ୍ୟାଳୟର କୁଳାଧିପତି ସତ୍ୟ ଏସ୍ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ । କୁଳପତି ପ୍ରଫେସର ଦୀପକ କୁମାର ବେହେରା ବିଶ୍ୱବିଦ୍ୟାଳୟର ବାର୍ଷିକ ରିପୋର୍ଟ ଉପସ୍ଥାପନ କରିଥିଲେ । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣପଦକ, କୁଳାଧିପତି ସ୍ୱର୍ଣ୍ଣପଦକ, କୁଳପତି ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା । ଏହା ବ୍ୟତୀତ ୩୦୨ ସ୍ନାତକୋତ୍ତର, ଏମ୍‌ଫିଲ୍‌, ପିଏଚ୍‌ଡି ଡିଗ୍ରୀରେ କୃତକାର୍ଯ୍ୟ ହୋଇଥିବା କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍ ଓ କିସ୍ ସଭାପତି ଶାଶ୍ୱତୀ ବଳ, ଉପସଭାପତି ଉମାପଦ ବୋଷ, ସମ୍ପାଦକ ଆର ଏନ୍ ଦାଶ, କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.