Latest Odisha News

BREAKING NEWS

ରାଚେଲ୍‍ ରୁଟୋଙ୍କୁ ମିଳିଲା ଦ୍ୱାଦଶ ‘କିସ୍ ହ୍ୟୁମାନିଟାରିଆନ୍ ସମ୍ମାନ’

ଭୁବନେଶ୍ୱର: କେନିୟାର ବିଶିଷ୍ଟ ସମାଜସେବୀ ତଥା ଫାର୍ଷ୍ଟ ଲେଡି ରାଚେଲ୍‍ ରୁଟୋଙ୍କୁ ଦ୍ୱାଦଶ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ-୨୦୨୨ ପ୍ରଦାନ କରାଯାଇଛି । ଶନିବାର ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଚେଲ୍‌ଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । ସମାଜସେବା ବିଶେଷ କରି ଗ୍ରାମାଞ୍ଚଳ ମହିଳାଙ୍କୁ ଆର୍ଥିକ ଦୃଷ୍ଟିରୁ ଆତ୍ମନିର୍ଭରଶୀଳ କରିବା ସହ  ପରିବେଶ ଓ ଜଳବାୟୁ ଉପରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ କିସ୍‍ ପକ୍ଷରୁ ରାଚେଲ୍‍ଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଏହି ସମ୍ମାନ ଗ୍ରହଣ କରି ରାଚେଲ କହିଥିଲେ, ‘କିଟ୍‍ ଓ କିସ୍‍ର ସର୍ବୋଚ୍ଚ ସମ୍ମାନ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ’ ଗ୍ରହଣ କରିବା ପାଇଁ ମୁଁ ବହୁ ଦୂରରୁ ଓଡ଼ିଶା ଆସିଛି । ମୁଁ କରିଥିବା କାର୍ଯ୍ୟକୁ ଏଠାରେ ସ୍ୱୀକୃତି ମିଳିଥିବାରୁ ସମ୍ମାନ ଚୟନ କମିଟି, କିସ୍‍ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ତଥା ସମସ୍ତ କର୍ମଚାରୀଙ୍କୁ ମୁଁ ମୋର ଆନ୍ତରିକ ଧନ୍ୟବାଦ ଜଣାଉଛି ।‘

ସେ ଆହୁରି କହିଥିଲେ, ଏହି ସମ୍ମାନ କେବଳ ଯେ ମୋ ପ୍ରୟାସକୁ ସ୍ୱୀକୃତି ତା ନୁହେଁ, ଏହା କେନିଆବାସୀ ବିଶେଷ କରି କେନିଆର ମହିଳାମାନଙ୍କ ସହନଶୀଳତା ଓ ସାହସର ସ୍ୱୀକୃତି ବୋଲି ସେ କହିଥିଲେ ।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଲେ , ଏହି ସମ୍ମାନ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ । ଏହି ସମ୍ମାନ ହେଉଛି ଏକ ସାଧାରଣ ଆତ୍ମା ଏକ ବିଶୁଦ୍ଧ ଆତ୍ମାକୁ ଭଲପାଇବାର ନିଦର୍ଶନ । ମାନବକୈନ୍ଦ୍ରିକ ବିଶ୍ୱକୁ ମାନବିକତାର ସ୍ଥାନରେ ପରିଣତ କରିବାରେ ଯେଉଁମାନେ କାର୍ଯ୍ୟ କରୁଛନ୍ତି ସେମାନଙ୍କ ପାଇଁ ଏହି ସମ୍ମାନ ଉତ୍ସର୍ଗୀକୃତ । ଏହି ସମ୍ମାନ ହେଉଛି ମାନବବାଦର ଶ୍ରେଷ୍ଠ ସ୍ୱୀକୃତି ବୋଲି ରାଜ୍ୟପାଳ କହିଥିଲେ ।

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରି କହିଲେ, ଆମେ ଦୁଇଟି ଭିନ୍ନ ଦେଶର ଲୋକ ହୋଇଥିଲେ ମଧ୍ୟ ଆମର କାର୍ଯ୍ୟ ଆମ ଦୁହିଁଙ୍କୁ ଏକାଠି କରିପାରିଛି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ଓ କିସ୍‍ ସଭାପତି ଶାଶ୍ୱତୀ ବଳ, କିସ୍‍ ବିଶ୍ୱବିଦ୍ୟାଳୟ କୁଳାଧିପତି ସତ୍ୟ ଏସ୍‍ ତ୍ରିପାଠୀ, ଭାରତରେ ଅବସ୍ଥାପିତ କେନିୟା ଉଚ୍ଚାୟୁକ୍ତ ଉଇଲି କେ ବେଟ୍‍, କିଟ୍‍ ଓ କିସ୍‍ ଉପସଭାପତି ଉମାପଦ ବୋଷ, ସମ୍ପାଦକ ଆର ଏନ୍‍ ଦାଶଙ୍କ ସମେତ କେନିୟାର ୨୫ ଜଣିଆ ପ୍ରତିନିଧି ଦଳ ଓ କିଟ୍‍ ଓ କିସ୍‍ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.