Latest Odisha News

BREAKING NEWS

କୋଲକାତା ନାଇଟ୍ ରାଇଡର୍ସକୁ ମିଳିବ ନୂଆ ମାଲିକ! ଜୁହି ଚାୱଲାଙ୍କ ସ୍ୱାମୀ ପାଇବେ ୩,୭୩୯ କୋଟି ଟଙ୍କା

କୋଲକାତା: ଆଇପିଏଲ୍  ଫ୍ରାଞ୍ଚାଇଜ୍ କୋଲକାତା ନାଇଟ୍ ରାଇଡର୍ସର ମାଲିକାନା ସତ୍ତ୍ୱରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଦଳର ସହ-ମାଲିକ ତଥା ବଲିଉଡ୍ ଅଭିନେତ୍ରୀ ଜୁହି ଚାୱଲାଙ୍କ ସ୍ୱାମୀ ଜୟ ମେହେତା କୋଲକାତାରେ ଥିବା ତାଙ୍କର ମୋଟ ୪୫ ପ୍ରତିଶତ ଅଂଶଧନରୁ ଅଧା ଅର୍ଥାତ୍ ୨୨.୫ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ଯାଉଛନ୍ତି । ଜୟ ମେହେତା ତାଙ୍କର ଏହି ଅଂଶଧନ ଆମେରିକାର ପ୍ରସିଦ୍ଧ ନିବେଶ କମ୍ପାନୀ ଏରେସ୍ ମ୍ୟାନେଜମେଣ୍ଟକୁ ବିକ୍ରି କରୁଛନ୍ତି । ସୂଚନାଯୋଗ୍ୟ ଯେ, ଏରେସ୍ ମ୍ୟାନେଜମେଣ୍ଟ ପାଖରେ ଇଂଲିଶ ପ୍ରିମିୟର ଲିଗ୍‌ର ଚେଲସି ଫୁଟବଲ୍ କ୍ଲବ୍ ଏବଂ ମିଆମି ଡଲଫିନ୍ସ ଭଳି ବିଶ୍ୱସ୍ତରୀୟ ସ୍ପୋର୍ଟସ୍ ଟିମ୍‌ର ମାଲିକାନା ମଧ୍ୟ ରହିଛି ।  ଏହି ସମ୍ପୂର୍ଣ୍ଣ ଡିଲ୍ ପ୍ରାୟ ୪୦୦ ମିଲିୟନ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୩,୭୩୯ କୋଟି ଟଙ୍କା) ରେ ହେବାକୁ ଯାଉଛି ।

ଏହି ଚୁକ୍ତି ଅନୁସାରେ କୋଲକାତା ନାଇଟ୍ ରାଇଡର୍ସର ମୋଟ ମୂଲ୍ୟ ୧.୭୮ ବିଲିୟନ ଡଲାର ବା ପ୍ରାୟ ୧୬,୬୩୪ କୋଟି ଟଙ୍କା ଆକଳନ କରାଯାଇଛି । ବିଶେଷ କଥା ହେଉଛି, ଏହି ସମ୍ପୂର୍ଣ୍ଣ କାରବାର ନଗଦ ଆକାରରେ ହେବ । ଅନ୍ୟପଟେ, ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପାଖରେ ପୂର୍ବଭଳି ଦଳର ୫୫ ପ୍ରତିଶତ ମାଲିକାନା ସତ୍ତ୍ୱ ବଜାୟ ରହିବ । ନିୟମ ଅନୁଯାୟୀ, ଏହି ଡିଲ୍ ଚୂଡ଼ାନ୍ତ ହେବା ପୂର୍ବରୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ର ଅନୁମତି ନେବା ଜରୁରୀ । ବିସିସିଆଇ ପ୍ରଥମେ ନୂଆ ନିବେଶକଙ୍କ ବିଷୟରେ ସମ୍ପୂର୍ଣ୍ଣ ଯାଞ୍ଚ କରିବ । ଏହା ସହିତ, ଏହି ମୋଟ କାରବାର ମୂଲ୍ୟର ୫ ପ୍ରତିଶତ ଅର୍ଥାତ୍ ପ୍ରାୟ ୨୦ ମିଲିୟନ ଡଲାର (ପାଖାପାଖି ୨୦୦ କୋଟି ଟଙ୍କା) ବିସିସିଆଇ ଖାତାକୁ ଯିବ ।

Leave A Reply

Your email address will not be published.