କୋଲକାତା: ଆଉ କେତେ ଘଂଟା ପରେ ଆରମ୍ଭ ହୋଇଯିବ ଆଇପିଏଲର ୧୮ତମ ସଂସ୍କରଣ । ଗତ ସଂସ୍କରଣର ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଏଥିପାଇଁ ପ୍ରଶଂସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ଅବଶ୍ୟ ଇଡେନଗାର୍ଡେନ କେକେଆରର ଦୁର୍ଗ ହୋଇଥିବାରୁ ଦଳ ଏଠାରେ ସର୍ବଦା ଭଲ ପ୍ରଦର୍ଶନ କରି ଆସିଛି । ଅପରପକ୍ଷରେ ବିରାଟ କୋହଲି ଏହି ପିଚରେ ଭଲ ପ୍ରଦର୍ଶନ କରୁଥିବାରୁ ଉଭୟ ଦଳ ମଧ୍ୟରେ ଏକ ରୋମାଂଚକ ମୁକାବିଲା ଦେଖିବାକୁ ମିଳିବ । କେକେଆର ଏଠାରେ ୯୦ରୁ ୫୨ ମ୍ୟାଚରେ ବିଜୟ ହାସଲ କରିଛି । ଆରସିବି ୧୩ରୁ ୫ରେ ମ୍ୟାଚରେ ଜିତିଛି । ଇଡେନର ପିଚ ସ୍ପିନରଙ୍କୁ ସୁହାଉଥିବାରୁ ଆରସିବିର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବଂ କେକେଆରର ସ୍ପିନରଙ୍କ ମଧ୍ୟରେ ଏକ ସୁସ୍ଥ ମୁକାବିଲା ଦେଖିବାକୁ ମିଳିବ ।
ଆନ୍ଦ୍ରେ ରସେଲ, ସୁନୀଲ ନାରିନ ଓ କ୍ୱିଂଟନ ଡି କକଙ୍କ ଅଭିଜ୍ଞତା ଦଳକୁ ଫାଇଦାରେ ରଖିବ ବୋଲି ଆଶା କରାଯାଉଛି । କୋହଲିଙ୍କ ପ୍ରଦର୍ଶନ ଉପରେ ଆରସିବି ସମ୍ପୂର୍ଣ୍ଣ ଭାବେ ନିର୍ଭର କରିବ । ଟିମ ଡେଭିଡ, ଲିୟାମ ଲିଭିଂଷ୍ଟୋନଙ୍କ ପରି ବିସ୍ଫୋରକ ବ୍ୟାଟ୍ସମ୍ୟାନ ରହିଛନ୍ତି । ସେହିପରି ଜୋଶ ହାଜେଲଉଡ, ଭୁବନେଶ୍ୱର କୁମାରଙ୍କ ଉପରେ ବୋଲିଂ ଦାୟିତ୍ୱ ରହିବ । ନାରିନ ଓ ବରୁଣ ଚକ୍ରବର୍ତିଙ୍କ ବିପକ୍ଷରେ କୋହଲି ଏବଂ ଅନ୍ୟମାନଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ଟି୨୦ ସମ୍ପୂର୍ଣ୍ଣ ଭାବେ ଅନିଶ୍ଚିତତାର ଖେଳ ହୋଇଥିବାରୁ କିଏ ଜିିତବ ଭବିଷ୍ୟବାଣୀ କରିବା କଷ୍ଟକର ହେବ । ତଥାପି ଘରୋଇ ପରିବେଶରେ କେକେଆର ପଲା ନିଶ୍ଚିତ ଭାବେ ଭାରୀ ରହିବ ।