Latest Odisha News

BREAKING NEWS

ପ୍ଲାଷ୍ଟିକ ସର୍ଜରୀ କ’ଣ ? ଜାଣନ୍ତୁ, ଏହାର ବିଶେଷତ୍ଵ

ଭୁବନେଶ୍ୱର: ପ୍ରତ୍ୟେକ ବର୍ଷ ଜୁଲାଇ ୧୫ ତାରିଖକୁ ‘ଜାତୀୟ ପ୍ଲାଷ୍ଟିକ ସର୍ଜରୀ’ ଦିବସ ରୂପେ ପାଳନ କରାଯାଇଥାଏ ।

ବର୍ତମାନ ପରିସ୍ଥିତିରେ ପ୍ଲାଷ୍ଟିକ ସର୍ଜରୀର ଗୁରୁତ୍ୱକୁ ନେଇ ଜନସାଧାରଣଙ୍କୁ ସଚେତନ କରାଇବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ।

ଯଦିଓ ପ୍ଲାଷ୍ଟିକ୍ ସର୍ଜରୀ କ୍ଷେତ୍ରରେ ଅନେକ ଆଖିଦୃଶିଆ ଉନ୍ନତି ଘଟିଛି। ତେବେ ସାଧାରଣ ଲୋକଙ୍କ ମଧ୍ୟରେ ଏ ନେଇ ଖୁବ୍ କମ୍ ଜ୍ଞାନ ରହୁଛି।ଏପରିକି ଡାକ୍ତରୀ ପେସାରେ ଥିବା ବ୍ୟକ୍ତି ବିଶେଷ ମଧ୍ୟ ପ୍ଲାଷ୍ଟିକ ସର୍ଜରୀ ସମ୍ପର୍କରେ ବିଶେଷ ଅବଗତ ନୁହଁନ୍ତି।

ପ୍ଲାଷ୍ଟିକ୍ ସର୍ଜରୀକୁ ନେଇ ଖୁବ୍ କମ୍ ଜ୍ଞାନ ରହିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ଲାଷ୍ଟିକ୍ ସର୍ଜରୀ ଓଫ୍‌ଥାମୋଲୋଜି, ଇଏନ୍‌ଟି କିମ୍ବା ଥୋରାକିକ୍ ସର୍ଜରୀ ଭଳି ଆନାଟୋମିକ ଏରିୟା କିମ୍ବା ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି,ୟୁରୋଲୋଜି ଭଳି ଅର୍ଗାନ୍ ସିଷ୍ଟମ୍ ଅଥବା ପେଡିଆଟ୍ରିକ୍ସ, ଆଡୋଲେସେନ୍‌ଟ ମେଡିସିନ୍ କିମ୍ବା ଜେରିଆଟିକ୍ସ ଭଳି ପେସେଂଟ ଏଜ୍ ଗ୍ରୁପ୍ ବିଭାଗରେ ଅନ୍ତର୍ଭୁକ୍ତ ନୁହେଁ।

ଯଦିଓ ପ୍ଲାଷ୍ଟିକ ସର୍ଜରୀ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ କାର୍ଯ୍ୟକାରୀ ହୋଇପାରିବ ତେବେ ଏହା ସାଧାରଣ ମଣିଷ ଅଥବା ଡାକ୍ତରୀ ସେବା କ୍ଷେତ୍ରରେ ଏତେ ମାତ୍ରାରେ ଆଦୃତ ହୋଇପାରିନାହିଁ।

ଡାକ୍ତରୀ ବିଜ୍ଞାନ କ୍ଷେତ୍ରରେ ପ୍ଲାଷ୍ଟିକ୍ ସର୍ଜରୀ ସବୁଠାରୁ ପୁରାତନ ବିଭାଗ। କୁହାଯାଏ ଆଚାର୍ଯ୍ୟ ସୁଶ୍ରୁତ ହେଉଛନ୍ତି ବିଶ୍ୱର ପ୍ରଥମ ସର୍ଜନ୍ ଯିଏକି ଖ୍ରୀଷ୍ଟପୂର୍ବ ୬୦୦ରେ ରାଇନୋପ୍ଲାଷ୍ଟି ସର୍ଜରୀରେ ସଫଳ ହୋଇଥିଲେ।

ଅନେକ ଭାବନ୍ତି ପ୍ଲାଷ୍ଟିକ୍ ସର୍ଜରୀରେ ପ୍ଲାଷ୍ଟିକ ପଦାର୍ଥ
ବ୍ୟବହାର କରାଯାଇଥାଏ । ପ୍ରକୃତରେ ପ୍ଲାଷ୍ଟିକ ସର୍ଜରୀ ନାମଟି ଗ୍ରୀକ୍ ଶବ୍ଦ ‘ପ୍ଲାଷ୍ଟିକୋସ୍‌’ରୁ ଉଦୃତ । ଏହାର ଅର୍ଥ ହେଉଛି କିଛି
ଅଂଶର ନିର୍ମାଣ କରିବା । ତେଣୁ ପ୍ରକୃତ ଅର୍ଥ ପ୍ଲାଷ୍ଟିକ୍ ସର୍ଜରୀ ହେଉଛି ଶରୀର କିଛି ତ୍ରୁଟିପୂର୍ଣ୍ଣ ଅଂଶକୁ ନୂଆ କରି ପ୍ରସ୍ତୁତ କରିବା।

ସାଧାରଣତଃ ପ୍ଲାଷ୍ଟିକ ସର୍ଜରୀ ତିନି ପ୍ରକାର ହୋଇଥାଏ – ବର୍ନ୍‌ସ, ରିକନ୍‌ଷ୍ଟ୍ରକ୍ଟିଭ୍ ସର୍ଜରୀ ଏବଂ କସ୍‌ମେଟିକ୍ ସର୍ଜରୀ।

ଶରୀରର କୌଣସି ଅଂଶ ପୋଡି ହୋଇଗଲେ ଅଥବା ପୋଡି ହୋଇଯାଇଥିବା ସ୍ଥାନ ଓ କ୍ଷତକୁ ପ୍ଲାଷ୍ଟିକ୍ ସର୍ଜରୀ ମାଧ୍ୟମରେ ଠିକ୍ କରିବାକୁ ବର୍ନ ସର୍ଜରୀ କୁହାଯାଏ।

ସେହିପରି ସଡକ ଦୁର୍ଘଟଣା, ଡାଇବେଟିକ୍ ଫୁଟ୍ ବେଡ୍‌ସୋର୍‌, ଜନ୍ମଗତ ତ୍ରୁଟି ଅଥବା କ୍ୟାନ୍ସର ଜନିତ ସର୍ଜରୀ ଯୋଗୁଁ ହୋଇଥିବା କ୍ଷତ ସ୍ଥାନକୁ ସର୍ଜରୀ ମାଧ୍ୟମରେ ପୁଣି ଥରେ ସଜାଡିବାକୁ ରିକନ୍‌ଷ୍ଟ୍ରକ୍ଟିଭ୍ ସର୍ଜରୀ କୁହାଯାଏ।

ସୌନ୍ଦର‌୍ୟ୍ୟକୁ ସର୍ଜରୀ ମାଧ୍ୟମରେ ଉଜ୍ଜୀବିତ କରିବା ପାଇଁ କରାଯାଉଥିବା ସର୍ଜରୀକୁ କସ୍‌ମେଟିକ୍ ସର୍ଜରୀ କୁହାଯାଇଥାଏ । ଏଭଳି ସର୍ଜରୀ ମଣିଷ ଶରୀରର ମୁଣ୍ଡରୁ ପାଦ ପର୍ଯ୍ୟନ୍ତ କରାଯାଇଥାଏ । ବିଶେଷ ଭାବେ କେଶ ପ୍ରତ୍ୟାରୋପଣ, ବ୍ଲେଫାରୋପ୍ଲାଷ୍ଟି, ରାଇନୋପ୍ଲାଷ୍ଟି (ନାକ), ମୁହଁ ଏବଂ ବେକର ପ୍ଲାଷ୍ଟିକ ସର୍ଜରୀ , ମହିଳାମାନଙ୍କର ସ୍ତନରେ ପ୍ଲାଷ୍ଟିକ ସର୍ଜରୀ, ପୁରୁଷଙ୍କ କ୍ଷେତ୍ରରେ ବ୍ରେଷ୍ଟ ରିଡକ୍ସନ୍ (ଗାଇନାକୋମାଷ୍ଟିଆ), ଶରୀରରେ ଥିବା ଅଧିକ ଚର୍ବିକୁ ବାହାର କରିବା ନିମନ୍ତେ ଲିପୋସକ୍ସନ୍‌, ଆବଡୋମିନୋପ୍ଲାଷ୍ଟି ଏବଂ ଜେନିଟାଲ୍ ରିଜୁଭେନେସନ୍ ଭଳି ସର୍ଜରୀ କସ୍‌ମେଟିକ୍ ସର୍ଜରୀର ଅଂଶ ବିଶେଷ ।

ବିଶେଷ ଭାବେ ସିନେମା ଏବଂ ମିଡିଆ ଜଗତ ସହିତ ଜଡିତ ବ୍ୟକ୍ତିବିଶେଷ ମାନେ ଏଭଳି ସର୍ଜରୀ କରିଥାନ୍ତି । ଏହାଦ୍ୱାରା ମଣିଷର ଆତ୍ମବିଶ୍ୱାସ ବଢ଼ିଥାଏ।

ପ୍ଲାଷ୍ଟିକ୍ ସର୍ଜରୀ ଡାକ୍ତରୀ ବିଜ୍ଞାନୀ କ୍ଷେତ୍ରରେ ଏକ ଆହ୍ୱାନ ଭାବେ ବିବେଚନା କରାଯାଏ କାରଣ ଏହାଦ୍ୱାରା ରୋଗୀ ଏବଂ ଲୋକମାନଙ୍କ ଶରୀରରେ ଏହାର ପ୍ରତିଫଳନ ଦେଖାଯାଇଥାଏ । ପ୍ଲାଷ୍ଟିକ୍ ସର୍ଜରୀକୁ ନେଇ ଲୋକମାନଙ୍କର ଖୁବ୍ ଉଚ୍ଚ ଆକାଂକ୍ଷା ରହିଥାଏ । ସବୁବେଳେ ସେମାନଙ୍କ ସ୍ୱପ୍ନ ରହିଥାଏ ଯେ ସର୍ଜରୀର ଫଳ ଯେପରି ପ୍ରାକୃତିକ, ଅକ୍ଷତ ଏବଂ ସାଧାରଣ ଭାବେ ହେଉ।

ପ୍ଲାଷ୍ଟିକ୍ ସର୍ଜରୀ ନିମନ୍ତେ ଆସୁଥିବା ରୋଗୀମାନଙ୍କୁ ବୁଝାଇବା ସହିତ ସେମାନଙ୍କର ଯେପରି କୌଣସି ପ୍ରକାର ନକରାତ୍ମକ ମନୋଭାବ ନରହୁ ସେ ଦିଗରେ ଦୃଷ୍ଟି ଦେବା ନିହାତି ଜରୁରୀ।

(ଲେଖକ ଜଣକ ସିନିୟର୍ କନ୍‌ସଲ୍‌ଟାଂଟ ତଥା ପ୍ଲାଷ୍ଟିକ୍ ଆଣ୍ଡ କସ୍‌ମେଟିକ୍ ସର୍ଜରୀ, ସମ୍ ଅଲ୍ଟିମେଟ୍ ମେଡିକେୟାର
ବୋର୍ଡ ସାର୍ଟିଫାଏଡ୍ ଆଣ୍ଡ ଆଇଏସ୍‌ଏପିଏସ୍‌ ସର୍ଜନ୍ସ)

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି www.odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

 

Leave A Reply

Your email address will not be published.