ମେଲବୋର୍ଣ୍ଣ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୪ର୍ଥ କ୍ରିକେଟ ଟେଷ୍ଟ ମେଲବୋର୍ଣ୍ଣରେ ଖେଳାଯିବ । ୫ ମ୍ୟାଚ ବିଶିଷ୍ଟ ସିରଜ ଏବେ ୧-୧ ସମାନ ସ୍ଥିତିରେ ରହିଛି । ମେଲବୋର୍ଣ୍ଣରେ ବିରାଟ କୋହଲିଙ୍କ ରେକର୍ଡ ଭଲ ଥିବାରୁ ତାଙ୍କଠାରୁ ଏକ ବଡ ଇନିଂସ ପ୍ରଶଂସକ ଆଶା ବାନ୍ଧି ବସିଛନ୍ତି । ୨ ବର୍ଷ ତଳେ ଏଠାରେ ଖେଳାଯାଇଥିବା ଟି୨୦ ବିଶ୍ୱକପରେ ବିରାଟ ପାକିସ୍ତାନ ବିପକ୍ଷରେ ୫୩ ବଲରେ ୮୨ ରନ କରି ଦଳକୁ ବିଜୟୀ କରାଇଥିଲେ । ସେ ଆଲୋଚକଙ୍କ ମୁହଁ ବନ୍ଦ କରିବାର ସଫଳ ହୋଇଥିଲା । ତେବେ ବର୍ଡର-ଗାଭାସ୍କର ଟ୍ରଫିରେ ପର୍ଥରେ ଶତକ ହାସଲ କରିବା ପରେ ବାକି ୫ଟି ଇନିଂସରେ ୨୬ ରନ କରିଛନ୍ତି ।
ମେଲବୋର୍ଣ୍ଣ ଦର୍ଶକ କୋହଲି ବେଶ ପସନ୍ଦ କରନ୍ତି । ଏମସିଜି ସଂଗ୍ରହାଳୟରେ ଏବେ ବି କୋହଲି ସାଥୀ ଖେଳାଳିଙ୍କ ସହ ବିଜୟ ଉତ୍ସବ ମନାଉଥିବା ଫଟୋ ସମ୍ମୁଖରେ ଶୋଭା ପାଉଛି । ୨୦୧୮ରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ବିଜୟୀ ହୋଇଥିଲା । ୨୦୧୧ ବକ୍ସିଂ ଡେ ଟେଷ୍ଟରେ କୋହଲି ୭ ନମ୍ବର ସ୍ଥାନରେ ବ୍ୟାଟିଂ କରି ୧୧ ରନ କରିବା ସହ ୨ କ୍ୟାଚ ନେଇଥିଲେ । ୨୦୧୪ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ କୋହଲି ୪ ନମ୍ବର ସ୍ଥାନରେ ବ୍ୟାଟିଂ କରି ୧୬୯ ରନର ଇନିଂସ ଖେଳିଥିଲେ । ଦ୍ୱିତୀୟ ଇନିଂସରେ ୫୪ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ମଧ୍ୟ ଖେଳିଥିଲେ । ୨୦୧୮ରେ କୋହଲି ପ୍ରଥମ ଇନିଂସରେ ୮୨ ରନ କରିଥିଲେ ।
କୋହଲି ଏଠାରେ ୩ଟି ଟେଷ୍ଟ ଖେଳି ୩୧୬ ରନ କରିଛନ୍ତି । ଏମସିଜିରେ ସଚିନ ତେନ୍ଦୁଲକର ୧୦ ମ୍ୟାଚରେ ୪୪୯ ରନ କରି ଆଗରେ ରହିଛନ୍ତି । ଅଜିଙ୍କ୍ୟ ରାହାଣେ ୩୬୯ ରନ କରିଛନ୍ତି । କୋହଲି ଏମାନଙ୍କ ରେକର୍ଡ ଅତିକ୍ରମ କରିବା ପାଇଁ ଯଥାକ୍ରମେ ୧୩୩ ଓ ୫୩ ରନ ଆବଶ୍ୟକ କରୁଛନ୍ତି । ମେଲବୋର୍ଣ୍ଣ ପିଚ ସର୍ବଦା ଭାରତ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛି । ୧୯୭୮ରେ ଭାରତ ଏଠାରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆକୁ ତାର ମାଟିରେ ପରାଜିତ କରିଥିଲା । ଏହା ପରେ ୭୧ ବର୍ଷ ପରେ ଭାରତ କୋହଲିଙ୍କ ନେତୃତ୍ୱରେ ୨୦୧୮ରେ ସିରିଜ ବିଜୟୀ ହୋଇଥିଲା । ଏବେ କୋହଲି ପୂନର୍ବରେ ଭାରତ ବିଜୟର କର୍ଣ୍ଣଧାର ସାଜିବେ ବୋଲି ଆଶା କରାଯାଉଛି ।