ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଦୁଇ ସିନିୟର ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଦୀର୍ଘ ସମୟ ହେବ ଆନ୍ତର୍ଜାତୀୟ ମ୍ୟାଚ ଖେଳି ନାହାନ୍ତି । ଉଭୟ ଖେଳାଳି ଟି୨୦ ଓ ଟେଷ୍ଟରୁ ଅବସର ଘୋଷଣା କରି ସାରିଛନ୍ତି । ତେବେ ଦିିନିକିଆ ଖେଳିବା ଜାରୀ ରଖିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପୂର୍ବରୁ ଉଭୟ ପ୍ରତ୍ୟାବର୍ତନ କରିବେ ବୋଲି ପ୍ରଶଂସକମାନେ ଆଶା ବାନ୍ଧି ବସିଛନ୍ତି । ଚୟନ କମିଟି ମୂଖ୍ୟ ଅଜିତ ଅଗରକର ଏହି ଦୁଇ ଖେଳାଳିଙ୍କୁ ଅଷ୍ଟ୍ରେଲିଆ ଏ ବିପକ୍ଷରେ ଖେଳିବା ପାଇଁ କହିଥିବା ରେଭ ସ୍ପୋର୍ଟ୍ସରେ କୁହାଯାଇଛି । ଭାରତ ଏ ଓ ଅଷ୍ଟ୍ରେଲିଆ ଏ ମଧ୍ୟରେ ସୀମିତ ଓଭର ବିଶିଷ୍ଟ ସିରିଜ ଖେଳାଯିବ ।
ରୋହିତଙ୍କ ସହ ଅଗରକରଙ୍କ ଆଲୋଚନା ଠିକ ଥିବା ବେଳେ କୋହଲି କିନ୍ତୁ ଚୁପ ରହିଛନ୍ତି । ସେପ୍ଟମ୍ବର ୩୦ରୁ ଏହି ସିରିଜ ଆରମ୍ଭ ହେବ । ଏବେ କୋହଲି ଇଂଲଣ୍ଡରେ ଅଛନ୍ତି । ସେ ସେଠାରେ ଫର୍ମ ଏବଂ ଫିଟନେସ ନେଇ ଅଭ୍ୟାସ ଜାରୀ ରଖିଛନ୍ତି । ଅପରପକ୍ଷରେ ରୋହିତ ଏନସିଏରେ ଫିଟନେସ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି । କୋହଲିଙ୍କ ଉପରେ ଅଗରକର ଅସନ୍ତୁଷ୍ଟ ଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ଯଦି କୋହଲି ଜିଦରେ ରହିବେ ତେବେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇବା କଷ୍ଟକର ହେବ ବୋଲି ଆଶଙ୍କା କରାଯାଉଛି ।
Comments are closed.