Latest Odisha News

୧୬୭୮ ଦିନ ପରେ ବିଦେଶ ମାଟିରେ ଟେଷ୍ଟ ଶତକ ହାସଲ କଲେ କୋହଲି

ପୋର୍ଟ ଅଫ ସ୍ପେନ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ତାଙ୍କର ୫୦୦ତମ ଆନ୍ତର୍ଜାତୀୟ ମ୍ୟାଚରେ ଶତକ ମାରି ଏହାକୁ ସ୍ମରଣୀୟ କରିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଅବସରରେ ସେ ଏହି ସଫଳତା ହାସଲ କରିଛନ୍ତି । ଚଳିତ ବର୍ଷ ଅହମ୍ମଦାବାଦରେ କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରି ଦୀର୍ଘ ଦିନ ପ୍ରତୀକ୍ଷାର ଅନ୍ତ ଘଟାଇଥିଲେ । ଏବେ ସେ ପ୍ରାୟ ୧୬୭୮ ଦିନ ପରେ ବିଦେଶ ମାଟିରେ ଟେଷ୍ଟରେ ଶତକ ହାସଲ କରିଛନ୍ତି । ପର୍ଥରେ ୨୦୧୮ରେ କୋହଲି ଶେଷ ଥର ପାଇଁ ଟେଷ୍ଟରେ ଶତକ ମାରିଥିଲେ । ଏଥିସହ କୋହଲିଙ୍କ ଆନ୍ତର୍ଜାତୀୟସ୍ତରରେ ୭୬ ଶତକ ମାରିଛନ୍ତି । କୋହଲି ୧୮୦ ବଲ ସାମ୍ନା କରି ୧୦ ଚୌକା ସହାୟତାରେ ଶତକ ମାରିଥିଲେ । ୨୦୧୧ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ସେ ଟେଷ୍ଟ ପଦାର୍ପଣ କରିଥିଲେ ।

କୋହଲି ୨୯ ଶତକ ସହ ଡନ ବ୍ରାଡମ୍ୟାନଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ସଚିନ ତେନ୍ଦୁଲକର, ରାହୁଲ ଡ୍ରାଭିଡ ଓ ସୁନୀଲ ଗାଭାସ୍କର କୋହଲିଙ୍କଠାରୁ ଅଧିକ ଶତକ ମାରିଛନ୍ତି । ଏବେ ଖେଳୁଥିବା ଖେଳାଳିଙ୍କ ମଧ୍ୟରେ ଷ୍ଟିଭ ସ୍ମିଥ ଓ ଜୋ ରୁଟ ଯଥାକ୍ରମେ ୩୨ ଓ ୩୦ ଶତକ ସହ କୋହଲିଙ୍କଠାରୁ ଆଗରେ ରହିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ତାଜା ଖବର ଅନୁସାରେ ଭାରତ ୫ ୱିକେଟ ବିନିମୟରେ ୩୫୯ ରନ କରିଛି । ବିରାଟ କୋହଲି ୧୨୧ ରନ କରି ରନଆଉଟ ହୋଇଛନ୍ତି ।

Comments are closed.