Latest Odisha News

୧୦ ବର୍ଷ ପରେ ପୁଣି ପଡିଆରେ ଦେଖିବାକୁ ମିଳିଲା କୋହଲି-ଗମ୍ଭୀରଙ୍କ ଅଶାନ୍ତି

ଲକ୍ଷ୍ନୌ: ଚଳିତ ଆଇପିଏଲରେ ସୋମବାର ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଏବେ ଚର୍ଚ୍ଚାର କାରଣ ସାଜିଛି । ୧୦ ବର୍ଷ ପରେ ଭାରତର ଏହି ଦୁଇ ମହାନ ଖେଳାଳି ମୁହାଁମୁହିଁ ହେବା ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି । ମ୍ୟାଚ ପରେ ଉଭୟ ଦଳର ଖେଳାଳି ହାତ ମିଳାଉଥିବା ବେଳେ ନବୀନ ଉଲ ହକ ଓ ବିରାଟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ବାଙ୍ଗାଲୋର ଖେଳାଳି ବିରାଟଙ୍କୁ ନେଇ ପଳାଇ ଯାଇଥିଲେ । ଏହା ପରେ ଲକ୍ଷ୍ନୌର ଅଲରାଉଣ୍ଡର କାୟଲ ମେୟର୍ସଙ୍କ ସହ ବିରାଟ ଆଲୋଚନା କରୁଥିବା ବେଳେ ଗମ୍ଭୀର ଆସି ତାଙ୍କ ଖେଳାଳିଙ୍କୁ ନେଇ ଯାଇଥିଲେ । ଏହି ସମୟରେ ଗମ୍ଭୀର କିଛି କହିଥିଲେ । କୋହଲି ଏହାର ଜବାବ ଦେବା ପରେ ଦୁଇ ଖେଳାଳି ମୁହାଁ ମୁହିଁ ହୋଇ ଯାଇଥିଲେ । ଅମ୍ପାୟର୍ସ ଓ ଅନ୍ୟ ଖେଳାଳିମାନେ ଦୁଇଜଣଙ୍କୁ ଅଲଗା କରିଥିଲେ ।

ପରେ ଆଇପିଏଲ ଆଚରଣ ସଂହିତା ଉଲ୍ଲଂଘନ କରିବା ନେଇ ଉଭୟଙ୍କ ମ୍ୟାଚ ଫିର ୧୦୦ ପ୍ରତିଶତ ଓ ନୀବନଙ୍କ ୫୦ ପ୍ରତିଶତ ମ୍ୟାଚ ଫି କଟା ଯାଇଥିଲା । ପରେ କୋହଲି ଇନଷ୍ଟାଗ୍ରାମରେ ଲେଖିଥିଲେ ନା ତଥ୍ୟ, ନା ସତ୍ୟ । ନବୀନ ଲେଖିଥିଲେ ଆପଣଙ୍କୁ ତାହା ମିଳେ ଯାହା ଡିଜର୍ଭ କରନ୍ତି । ମ୍ୟାଚର ୪ର୍ଥ ଓଭରରେ ଗ୍ଲେନ ମ୍ୟାକ୍ସୱେଲଙ୍କ ବଲରେ କୃଣାଳ ପାଣ୍ଡ୍ୟା ବଡ ଶଟ ଖେଳିଥିଲେ । ତେବେ କୋହଲି ଆକର୍ଷଣୀୟ କ୍ୟାଚ ନେଇଥିଲେ । ସେ ଷ୍ଟାଣ୍ଡସକୁ ଦେଖି ଛାତିରେ ହାତ ବାଡେଇବା ସହ ଚୁପ ରହିବାକୁ ଇଶାରା କରିଥିଲେ ।

୧୬ତମ ଓଭରରେ କୌଣସି କାରଣ ନେଇ ନବୀନ ଏବଂ ବିରାଟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ବିରାଟ ତାଙ୍କ ଜୋତା କାଢ଼ି ଇଶାରା କରିଥିଲେ । ଖେଳାଳିମାନେ ଉଭୟଙ୍କୁ ଅଲଗା କରୁଥିବା ବେଳେ କୋହଲି ସ୍ପିନର ଅମିତ ମିଶ୍ରଙ୍କ ସହ ଯୁକ୍ତି କରିଥିଲେ । ୨୦୧୩ ଆଇପିଏଲ ସିଜନରେ ଉଭୟ ମୁହାଁ ମୁହିଁ ହୋଇଥିଲେ । ଏକଦା ଗମ୍ଭୀର ନିଜ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର କୋହଲିଙ୍କୁ ଦେଇ ଦେଇଥିଲେ । ସେମାନଙ୍କ ମଧ୍ୟରେ ଅଶାନ୍ତି କ୍ରିକେଟପ୍ରେମୀଙ୍କୁ ଆଘାତ ଦେଇଛି ।

Comments are closed.