ବେଙ୍ଗାଲୁର: ଆଇପିଏଲ ୨୦୨୬ ଆରମ୍ଭ ହେବା ପୂର୍ବରୁ ବିରାଟ କୋହଲିଙ୍କୁ ନେଇ ଗୁଜବ ସୃଷ୍ଟି ହୋଇଛି । ରିପୋର୍ଟ ଅନୁସାରେଲଣ୍ଡନରୁ ଯିବା ଆସିବା ପାଇଁ କୋହଲି ତାଙ୍କ ଫ୍ରାଂଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରକୁ ଚାର୍ଟଡ ଫ୍ଲାଇଟ ଯୋଗାଇ ଦେବା ପାଇଁ କହିଥିଲେ । ଏ ନେଇ କୋହଲି ପ୍ରତିକ୍ରିୟା ଦେଇଛନ୍ତି । ସେ ଏକ ନ୍ୟୁଜ ରିପୋର୍ଟର ସ୍କ୍ରିନ ଶଟ ତାଙ୍କ ସୋସିଆଲ ମିଡିଆ ଆକାଂଉଟର ଷ୍ଟୋରୀରେ ରଖିବା ସହ ହସ ଇମୋଜି ଦେଇଛନ୍ତି । ଏଥିରୁ ଏହି ଖବର ଭିିତିହୀନ ବୋଲି ଜଣାପଡିଛି । ଉକ୍ତ ରିପୋର୍ଟରେ କୋହଲି ମ୍ୟାଚ ମଧ୍ୟରେ ୩ ଦିନରୁ ଅଧିକ ବ୍ୟବଧାନ ରହିଥିଲେ ଲଣ୍ଡନ ଫେରିବା ପାଇଁ ଚାର୍ଟଡ ଫ୍ଲାଇଟର ବ୍ୟବସ୍ଥା କରିବାକୁ କହିଥିଲେ ।
କୋହଲି ଏବେ କିଛି ଦିନ ହେବ ପରିବାର ସହ ଲଣ୍ଡନରେ ସମୟ କାଟୁଛନ୍ତି । ମାର୍ଚ୍ଚ ୨୮ରେ ଆଇପିଏଲ ୨୦୨୬ ସଂସ୍କରଣ ଆରମ୍ଭ ହେବ । ଆରସିବି ତାର ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ । କୋହଲି ୨୬୭ ମ୍ୟାଚରେ ୮୬୬୧ ରନ କରିଛନ୍ତି । ସେ ପ୍ରଥମ ଖେଳାଳି ଭାବେ ୯୦୦୦ କ୍ଲବରେ ସାମିଲ ହେବା ପାଇଁ ଉଦ୍ୟମ କରିବେ । ଟି୨୦ ଫର୍ମାଟରେ ସେ ୫ମ ଖେଳାଳି ଭାବେ ୧୪୦୦୦ ରନ ସଂଗ୍ରହ କରିବାର ନିକଟତର ହୋଇଛନ୍ତି ।