Latest Odisha News

BREAKING NEWS

ଅବସର ଆଲୋଚନା ମଧ୍ୟରେ ଲର୍ଡସରେ ଅଭ୍ୟାସ ଆରମ୍ଭ କଲେ କୋହଲି

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଅବସର ନେଇଯିବେ ବୋଲି ଖବରମାନ ପ୍ରକାଶ ପାଇଥିଲା । ତେବେ ଏହି ଖବର ଧୀରେ ଧୀରେ ମିଥ୍ୟା ପ୍ରମାଣିତ ହେବାରେ ଲାଗିଛି । ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ବିରାଟ କୋହଲି ପ୍ରସ୍ତୁତି ଆରମ୍ଭ କରିଛନ୍ତିି । ସେ ଲର୍ଡସରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି । ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଚାମ୍ପିୟନ ହେବା ପରେ କୋହଲି ବ୍ରେକରେ ଅଛନ୍ତି । ପୂର୍ବରୁ ଟେଷ୍ଟ ଏବଂ ଆନ୍ତର୍ଜାତୀୟ ଟି୨୦ରୁ କୋହଲି ଅବସର ଘୋଷଣା କରି ସାରିଛନ୍ତି । ଲର୍ଡସରେ ଅଭ୍ୟାସ କରିବା ଅବସରରେ ସେ ପ୍ରଶଂସକଙ୍କ ସହ ଭେଟ କରିଥିଲେ ଏବଂ ଫଟୋ ମଧ୍ୟ ଉଠାଇଥିଲେ ।

ଅଗଷ୍ଟରେ ବାଂଲାଦେଶ ଗସ୍ତରେ ଭାରତୀୟ ଟିମ ଯାଇଥାନ୍ତା । ଏହି ଗସ୍ତ ବାତିଲ ହେବା ପରେ ଭାରତୀୟ କ୍ରିକେଟର ଦୁଇ ଭେଟେରାନ ରୋହିତ ଶର୍ମା ଓ କୋହଲି ଏବେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ୨୦୨୭ ବିଶ୍ୱକପ ଖେଳିବା ଲକ୍ଷ୍ୟରେ ଏହି ଦୁଇ ମହାନ ବ୍ୟାଟ୍ସମ୍ୟାନ ରହିଛନ୍ତି । ଅକ୍ଟୋବର ୧୯ରୁ ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବ । ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି ବୋର୍ଡ କେବେ ବି ତରବରିଆ ଭାବେ କୌଣସି ନିଷ୍ପତି ନିଏ ନାହିଁ । ଏହି ଦୁଇ ଖେଳାଳି ଭାରତୀୟ କ୍ରିକେଟ ପାଇଁ ଅନେକ କିଛି କରିଛନ୍ତି । ସେମାନଙ୍କୁ ନେଇ ଭାବିଚିନ୍ତି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

Comments are closed.