Latest Odisha News

ସ୍ପଷ୍ଟ କହିବାରୁ ପୋଲିସ ନୋଟିସ୍?

ନୂଆଦିଲ୍ଲୀ: ପୋଲିସ ଯାଂଚ ନେଇ ପ୍ରଶ୍ନ ଉଠାଇବାରୁ ଫସିଲେ ହସପିଟାଲ ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୋଲିସ ଯାଂଚ ଉପରେ ପ୍ରଶ୍ନ ଉଠାଇଥିବାରୁ ଅଡୁଆରେ ପଡିଛନ୍ତି ମମତାଙ୍କ ତୃଣମୂଳ କଂଗ୍ରେସର ନେତା । ରାଜ୍ୟସଭା ସାଂସଦ ସୁଖେନ୍ଦୁ ଶେଖର ରାୟଙ୍କୁ ସମନ କରିଛି କୋଲକାତା ପୋଲିସ । ଦୁଷ୍କର୍ମ ଓ ହତ୍ୟା ମାମଲା ନେଇ ଶୁଭେନ୍ଦୁ ସୋସିଆଲ ମିଡିଆରେ ଭୁଲ ସୂଚନା ପୋଷ୍ଟ କରିଥିବା କହିଛି ପୋଲିସ। ଏଥିପାଇଁ ଶୁଭେନ୍ଦୁଙ୍କୁ ନୋଟିସ ପଠାଇଛି ପୋଲିସ।

କ’ଣ ପୋଷ୍ଟ କରିଥିଲେ ଶୁଭେନ୍ଦୁ? 

ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ନିରପେକ୍ଷ ଯାଂଚ କରିବା ଦରକାର । ଆରଜି କର ମେଡିକାଲ କଲେଜ ଓ ହସପିଟାଲର ପୂର୍ବତନ ଅଧ୍ୟକ୍ଷ ଓ ପୋଲିସ କମିଶନରଙ୍କୁ ହାଜତକୁ ନେଇ ପଚରାଉଚରା କରିବା ଜରୁରୀ ବୋଲି ମତ ରଖିଥିଲେ ସୁଖେନ୍ଦୁ । ଟ୍ରେନି ଡାକ୍ତର ଆତ୍ମହତ୍ୟା କରିଛନ୍ତି ବୋଲି କିଏ ଆଉ କାହିଁକି ପ୍ରଚାର କରିଥିଲା,ତାହା ଜାଣିବା ପାଇଁ ସିବିଆଇ ଉଭୟଙ୍କୁ ପଚରାଉଚରା କରିବା ଦରକାର ବୋଲି ସୁଖେନ୍ଦୁ ଏକ୍ସରେ ପୋଷ୍ଟ କରିଥିଲେ । ସେମିନାର ହଲର ପ୍ରାଚୀର କାହିଁକି ଭଙ୍ଗା ଯାଇଥିଲା ? ଅଭିଯୁକ୍ତ ସଂଜୟ ରାୟ ଏତେ ଶକ୍ତିଶାଳୀ କରିବାକୁ କିଏ ସଂରକ୍ଷଣ ଦେଇଥିଲା ବୋଲି ଏକ୍ସ ଜରିଆରେ ପ୍ରଶ୍ନ କରିଥିଲେ ଟିଏମସି ସାଂସଦ । ଘଟଣାର ତିନି ଦିନ ପରେ ସନ୍ଧାନୀ କୁକୁର କାହିଁକି ବ୍ୟବହାର କରାଯାଇଥିଲା ବୋଲି ମଧ୍ୟ ପ୍ରଶ୍ନ କରିଥିଲେ ସୁଖେନ୍ଦୁ । ସୋସିଆଲ ମିଡିଆରେ ସୁଖେନ୍ଦୁଙ୍କ ପ୍ରଶ୍ନ ଶାସକ ତୃଣମୂଳ କଂଗ୍ରେସକୁ ଅଡୁଆରେ ପକାଇଥିଲା । ଏପରିକି ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁଖେନ୍ଦୁଙ୍କ ଉପରେ ଖପ୍ପା ହୋଇଥିଲେ।

 କ’ଣ କହୁଛି ପୋଲିସ ?

ଏକ୍ସରେ ପୋଲିସ ଆକ୍ସନ ଉପରେ ପ୍ରଶ୍ନ ଉଠାଇଥିବାରୁ ଏବେ ସୁଖେନ୍ଦୁଙ୍କୁ ମିଳିଛି ନୋଟିସ । ଟ୍ରେନି ଡାକ୍ତରଙ୍କ ହତ୍ୟା ଓ ଦୁଷ୍କର୍ମ ଘଟଣାର ତିନି ଦିନ ପରେ ଘଟଣାସ୍ଥଳରେ ସନ୍ଧାନୀ କୁକୁରଙ୍କ ମୁତୟନ ନେଇ ସୁଖେନ୍ଦୁ ଭୁଲ୍ ସୂଚନା ଦେଇଛନ୍ତି ବୋଲି ପୋଲିସ କହିଛି । ଘଟଣାସ୍ଥଳକୁ ସନ୍ଧାନୀ କୁକୁରଙ୍କୁ ଦୁଇ ଥର ପଠାଯାଇଥିଲା । ଅଗଷ୍ଟ ୯ ଓ ୧୨ ତାରିଖରେ ସନ୍ଧାନୀ କୁକୁରଙ୍କୁ ଘଟଣାସ୍ଥଳକୁ ପଠାଯାଇଥିଲା ବୋଲି କୋଲକାତା ପୋଲିସ ଦାବି କରିଛି । ସୁଖେନ୍ଦୁ ଭୁଲ୍ ସୂଚନା ଦେଇଥିବାରୁ ତାଙ୍କୁ ନୋଟିସ ପଠାଯାଇଥିବା ପୋଲିସ କହିଛି।

ଖୋଲାଖୋଲି କହୁଛନ୍ତି ସୁଖେନ୍ଦୁ- 

ଆରଜି କର ଘଟଣା ପରେ ଏକମାତ୍ର ଟିଏମସି ନେତା ଭାବେ ସୁଖେନ୍ଦୁ ରାୟ ଖୋଲାଖୋଲି ନିଜର ମତ ରଖୁଛନ୍ତି, ଯାହା କି ଦଳ ପାଇଁ ଅସହଜ ସ୍ଥିତି ସୃଷ୍ଟ କରିଛି । କୋଲକାତା ମହିଳାମାନଙ୍କ ପାଇଁ ସୁରକ୍ଷିତ ସହର ବୋଲି ଯାହା କୁହାଯାଉଥିଲା, ତାହା ଆରଜି କର ଟ୍ରେନି ଡାକ୍ତର ଦୁଷ୍କର୍ମ ଘଟଣା ଭୁଲ ସାବ୍ୟସ୍ତ କରିଛି ବୋଲି ଘଟଣା ପରେ କହିଥିଲେ ସୁଖେନ୍ଦୁ । କେବଳ ସେତିକି ନୁହେଁ, ଅଗଷ୍ଟ ୧୪ ତାରିଖରେ ଡାକ୍ତରମାନଙ୍କ ବିକ୍ଷୋଭ ପ୍ରଦର୍ଶନକୁ ମଧ୍ୟ ସମର୍ଥନ କରିଥିଲେ ସୁଖେନ୍ଦ୍‌ୁ । ମହିଳାମାନଙ୍କ ବିରୋଧରେ ବର୍ବରତା ବହୁତ ବଢିଗଲାଣି । ଆମେ ସମସ୍ତେ ଏହାର ମିଳିତ ବିରୋଧ କରିବା ଦରକାର ବୋଲି ସୋସିଆଲ ମିଡିଆରେ କହିଥିଲେ ସୁଖେନ୍ଦୁ । ସେ ବି ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ସହ ସାମିଲ ହେବେ ବୋଲି ଲେଖିଥିଲେ ସୁଖେନ୍ଦୁ । ଯିଏ ବି ଏହି ଅପରାଧରେ ଜଡିତ, ତାକୁ ଫାଶୀ ଦିଆଯିବା ଦରକାର ବୋଲି ସୁଖେନ୍ଦୁ କହିଥିଲେ।

ଆରଜି କର ମାମଲାରେ ପୂର୍ବର ପୋଲିସ ତଦନ୍ତକୁ ପ୍ରଶ୍ନ କରିବା ସହ ବିକ୍ଷୋଭ ପ୍ରଦର୍ଶନକାରୀ ଡାକ୍ତରଙ୍କ ପ୍ରତି ସମର୍ଥନ ଜଣାଇଥିବାରୁ ଟିଏମସି ତାଙ୍କ ଉପରେ ଖପ୍ପା ହୋଇଥିବା ଜଣାପଡୁଛି। ପୋଲିସ ସମନ ତାଙ୍କ ବିରୋଧରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ନୁହେଁ କି ବୋଲି ପ୍ରଶ୍ନ ହେଉଛି।

 

Comments are closed.