Latest Odisha News

କୋଣାର୍କ ଉତ୍ସବରେ ଓଡ଼ିଶୀ ଓ ମୋହିନୀ ଆଟ୍ଟମ; ନୃତ୍ୟାଙ୍ଗନାଙ୍କ ନୃତ୍ୟରେ ଝୁମିଲେ ବିଭୋର ଦର୍ଶକ…

କୋଣାର୍କ: ଅର୍କକ୍ଷେତ୍ର କୋଣାର୍କର ସୂର୍ଯ୍ୟମନ୍ଦିର ପାଦଦେଶରେ ଓଡିଶା ପର୍ଯ୍ୟଟନ ବିଭାଗ ଆୟୋଜିତ କୋଣାର୍କ ଉତ୍ସବର ତୃତୀୟ ସଂଧ୍ୟା ପୁରାଣ ପ୍ରସଙ୍ଗ ଓ ଜୀବନ ଦର୍ଶନକୁ ଶାସ୍ତ୍ରୀୟ ନୃତ୍ୟରେ ପ୍ରକ୍ଷାପିତ କରିଥିଲା । ସୁଦୃଶ୍ୟ ଆଲୋକର ସାଜସଜ୍ଜା ଓ ଭରପୁର ଦର୍ଶକ ଗ୍ୟାଲେରୀ ମଧ୍ୟସ୍ଥ ମୁକ୍ତାକାଶ ମଂଚରୁ ଓଡିଶୀ ଏବଂ ମୋହିନୀ ଆଟ୍ଟମ୍ର ନୃତ୍ୟାୟିତ ଛନ୍ଦ ସହ ନୂପୁରର ଝଙ୍କାର ଝରି ଆସିଥିଲା ।

ଗୁରୁ ସ୍ୱପ୍ନାରାଣୀ ସିହ୍ନା ଓ ନୃତ୍ୟନିଳୟ ଅନୁଷ୍ଠାନର ଶିଳ୍ପୀଗଣ ମଂଚ ପ୍ରବେଶ କରିଥିଲେ ବେଦର ଅଗ୍ନିସୁକ୍ତ ଆଧାରିତ ଅଗ୍ନିସ୍ତୁତି କୁ ନେଇ । ପରେ ପରେ ନୃତ୍ୟ ନାଟିକା ତ୍ରିବେଣୀ ସଂଗମ ପବିତ୍ର ଗଙ୍ଗା, ଯମୁନା, ସରସ୍ୱତୀ ନଦୀର ମହିମା ସହ ଆଧ୍ୟାମô୍ିକ ପୃଷ୍ଠଭୂମି ସମ୍ବଳିତ ଧର୍ମୀୟ ବିଶ୍ୱାସର ଭାବଧାରାକୁ ତୋଳି ଧରିଥିଲେ । ଗୁରୁ ରାମହରି ଦାସଙ୍କ ରଚନା ଓ ସଂଗୀତ ସଂଯୋଜନାକୁ ନେଇ ପ୍ରସ୍ତୁତ ତ୍ରିବେଣୀ ସଂଗମରେ ଗୀତ-ବାଦ୍ୟ ଓ ନୃତ୍ୟର ସଂଗମ ମଧ୍ୟ ପରିଲିକ୍ଷିତ ହୋଇଥିଲା ।

ଦ୍ୱିତୀୟ ଚରଣରେ ମୋହିନୀ ଆଟ୍ଟମ୍ ର ସୁପ୍ରସିଦ୍ଧ ଗୁରୁ ଜୟପ୍ରଭା ମେନନ୍ ଓ ସାଥୀ ଶିଳ୍ପୀ ଶ୍ରୀଜୟଦେବ କୃତ ଗୀତ ଗୋବିନ୍ଦମର ଚର୍ଚ୍ଚିତ ଅଷ୍ଟପଦୀ ଚନ୍ଦନ ଚର୍ଚ୍ଚିତ ନୀଳ କଳେବର ର ଉପସ୍ଥାପନା କରିଥିଲେ । ଗୁରୁ ମେନନ୍ ଙ୍କ ଦ୍ୱିତୀୟ ଅର୍ଘ୍ୟରେ ଜୀବନର ଉଛ୍ୱାସ ଅତି ନିଖୁଣ ଭାବେ ମଚଂସ୍ଥ ହୋଇଥିଲା । ପ୍ରକୃତି ଓ ପୁରୁଷ ର ମିଳନ ରୁ ସଂଜାତି ସୃଷ୍ଟି ଜୀବନର ଆନନ୍ଦ ତତ୍ୱକୁ ପ୍ରକାଶ କରି ଆସିଛି ଓ ଏହି ଉପଲବ୍ଧି ହିଁ ଜୀବନ ଜିଜ୍ଞାସାର ମୂଳତତ୍ୱ ଯାହା ଶାସ୍ତ୍ରୀୟ ନୃତ୍ୟରେ ପ୍ରତିଭାତ ହୋଇଥିଲା । ମୋହିନୀ ଆଟ୍ଟମର ଅନ୍ତିମ ପ୍ରସ୍ତୁତିରେ ଜୀବ, ମୋକ୍ଷ ଓ ଉପସଂହାରର ଆବେଗକୁ ପ୍ରକାଶ କରିଥିଲା ।

ସଂଧ୍ୟାର ଅତିଥି ଭାବେ ପ୍ରିନ୍ସିପାଲ ଏ. ଜି. ଯଶୋଧାରା ରାୟ ଚୈଧୁରୀ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ୍, ସଂଗୀତ ନାଟକ ଏକାଡେମୀ ସଚିବ ଡ. ବିଜୟ କୁମାର ଜେନା, ଓଡିଶୀ ଗବେଷଣା କେନ୍ଦ୍ର ମୁଖ୍ୟ ଡ.ସଂଗୀତା ଗୋସାଇଁ ଯୋଗ ଦେଥ ପ୍ରଦୀପ ପ୍ରଜ୍ୱଳନ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଡ. ମୃତ୍ୟୁଞ୍ଜୟ ରଥ ଓ ଡ. ସାଧନା ଶ୍ରୀବାସ୍ତବ, ମଂଚ ସଂଚାଳନା କରିଥିବା ବେଳେ ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ ଉତ୍ପଳ କୁମାର ପତି, ଡ. ରତିକାନ୍ତ ପଟ୍ଟନାୟକ, ବିଜୟ କୁମାର ଜେନା, ସରୋଜ କାନ୍ତ ପ୍ରଧାନ ପ୍ରଭୁତି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ ଏବଂ ଗଣ ମାଧ୍ୟମକୁ ତଥ୍ୟ ଯୋଗାଇବାରେ ସହଯୋଗ କରିଥିଲେ ସୁଶାନ୍ତ କୁମାର ପାଣିଗ୍ରାହୀ ଓ ବିଷ୍ଣୁ ପ୍ରସାଦ ସିଂହ ।

Comments are closed.