Latest Odisha News

BREAKING NEWS

ଦେଶ ବିଦେଶରେ ମହକିବ କୋରାପୁଟ କଫି

ଭୁବନେଶ୍ବର : ଆଦିବାସୀ ଚାଷୀଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିକୁ ସୁଦୃଢ଼ କରିବାରେ ବେଶ ସହାୟକ ହୋଇଛି ‘କୋରାପୁଟ କଫି’ । ନିଜ ସ୍ୱତନ୍ତ୍ରତା ଯୋଗୁଁ ଏହାର ଚାହିଦା ବଢ଼ିବାରେ ଲାଗିଥିବା ବେଳେ ଏହାକୁ ଚାଷ କରି ଆଦିବାସୀ ସମ୍ପ୍ରଦାୟ ଚାଷୀମାନେ ରୋଜଗାରକ୍ଷମ ହୋଇପାରିଛନ୍ତି । କୋରାପୁଟ ଜିଲ୍ଲାର ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ଉତ୍ପାଦନ ହେଉଥିବା କୋରାପୁଟ କଫି ଦେଶ ବିଦେଶର କୋଣ ଅନୁକୋଣରେ ନିଜର ଉପସ୍ଥିତି ଜାହିର କରିବାକୁ ଯାଉଛି । ରାଜ୍ୟର କଫି ଚାଷୀଙ୍କ ଉନ୍ନତି ଓ ସମୃଦ୍ଧି ପାଇଁ ଟିଡିସିସିଓଏଲର ପ୍ରୟାସରେ କୋରାପୁଟ କଫିର ବିକ୍ରିବଟା ପାଇଁ ଟାଟା କଫି ସହମତି ପ୍ରକାଶ କରିଛି । ଏହାର ସ୍ବତନ୍ତ୍ରତାକୁ ବଜାୟ ରଖିବା ଉପରେ ଗୁରୁତ୍ବ ଦେଇ ଟାଟା କଫି ପ୍ରଥମ ଥର ପାଇଁ ଓଡ଼ିଶାରୁ କଫି କ୍ରୟ କରିବାକୁ ଯାଉଛି ।

କୋରାପୁଟରେ କଫି ଚାଷକୁ ବ୍ୟାପକ ଏବଂ ସମୃଦ୍ଧ କରିବାରେ କଫି ଚାଷୀଙ୍କ ଅବଦାନକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କସମପଦର ଗାଁର ସୁଲୋଚନା ଖରଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି । କହିଛନ୍ତି, ଟିଡିସିସିଓଏଲକୁ ୨୦୦ କେଜିରୁ ଊର୍ଦ୍ଧ୍ଵ କଫି ଫଳ ବିକ୍ରି କରି ସୁଲୋଚନା ଖର ସଫଳ କଫି ଚାଷୀ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି । କୋରାପୁଟ କଫିର ଚାହିଦା ପୂରଣରେ ତାଙ୍କ ପରି ଚାଷୀଙ୍କ ନିଷ୍ଠା ଓ ପ୍ରତିବଦ୍ଧତା ଅତ୍ୟନ୍ତ ପ୍ରଶଂସନୀୟ। ।

କଫି ଚାଷୀଙ୍କ ଆର୍ଥିକ-ସାମାଜିକ ଉନ୍ନତି ପାଇଁ ରାଜ୍ୟ ସରକାର କରୁଥିବା ପ୍ରୟାସରେ ‘ଟାଟା କଫି’ର ସହଯୋଗ ସେମାନଙ୍କ କଲ୍ୟାଣରେ ସହାୟକ ହେବ । କୋଭିଡ ସଙ୍କଟ ସମୟରେ ଆଦିବାସୀଙ୍କ ଜୀବନ ଜୀବିକା ସୁରକ୍ଷିତ କରିବାରେ ଏହା ବଡ଼ ଗୁରୁତ୍ୱ ବହନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କୋରାପୁଟ କଫି ଜରିଆରେ ଆଦିବାସୀଙ୍କ ଜୀବିକା ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି । ଜୁନ ୨୦୨୧ ସୁଦ୍ଧା ୩୦ ହଜାର ପରିବାରକୁ ୪୬ ହଜାର ଏକରର ଜଙ୍ଗଲ ଜମି ଅଧିକାର ପ୍ରଦାନ କରାଯାଇଛି । ୨୦୨୦-୨୧ରେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର, କାଶିପୁର, ଦଶମନ୍ତପୁର, ନନ୍ଦପୁର, ଲମତାପୁଟ, କୋରାପୁଟ ଓ ପଟ୍ଟାଙ୍ଗି ବ୍ଲକର ୧୯୩ ଜଣ ଆଦିବାସୀ କଫି ଚାଷୀଙ୍କଠାରୁ ଟିଡିସିସିଓଏଲ ୨୮ ହଜାର ୭୯୦ କେଜି କଫି ଚେରୀ ସଂଗ୍ରହ କରିଛି । ୨୧-୨୨ ବର୍ଷରେ ଅଧିକ ୮୦ ହେକ୍ଟର ଜମିରେ କଫି ଉତ୍ପାଦନ ପାଇଁ ଲକ୍ଷ୍ୟ ରହିଛି । ଚଳିତ ବର୍ଷ କଫି ଉତ୍ପାଦନକାରୀଙ୍କୁ ଦକ୍ଷତା ବୃଦ୍ଧି ତାଲିମ ଦିଆଯାଇଥିବାରୁ ଗତ ବର୍ଷ ଅପେକ୍ଷା ଅଧିକ କଫି ଉତ୍ପାଦନ ହେବ ବୋଲି ଆଶା କରାଯାଉଛି ।

Comments are closed.