Latest Odisha News

BREAKING NEWS

ସମସ୍ୟା ଭିତରେ ନୂଆଗୁଡ଼ା ଗାଁ

ମାଲକାନଗିରି:  ଗାଁ ଠାରୁ ସହର ପର୍ଯ୍ୟନ୍ତ ଯୋଡିବା ଲାଗି ସରକାରୀ ସ୍ତରରେ ପ୍ରସ୍ତୁତ ହେଉଛି ଅନେକ ଯୋଜନା । ହେଲେ ଉପାନ୍ତ ମାଲକାନଗିରି ଜିଲ୍ଲାରେ କିନ୍ତୁ ସରକାରଙ୍କ ଏହି ସବୁ ଯୋଜନା ଠିକ୍ ଭାବେ ପହଞ୍ଚି ପାରୁନାହି ।  ଜିଲ୍ଲାର କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନୁଆଗୁଡା ଗାଁର ଏକାଧିକ ଲୋକେ ଆଣ୍ଠୁଏ କାଦୁଏ ଭିତରେ ଯିବା ଆସିବା କରୁଛନ୍ତି ।  ଖରା ଦିନ ଯେମିତି ସେମିତି କଟିଯାଏ ହେଲେ ବର୍ଷା ଦିନ ଆସିଲେ ଲୋକଙ୍କୁ ଭୋଗିବାକୁ ପଡେ ଦୁର୍ଦ୍ଦଶା ।

କେବଳ ଗମନା ଗମନ ନୁହେ, ନୁଆଗୁଡା ଗାଁରେ ବାସ କରୁଥିବା ଶହେରୁ ଉର୍ଧ ଆଦିବାସୀ ପରିବାରଙ୍କୁ ପାନିୟ ଜଳ ଠାରୁ ଆରମ୍ଭ କରି ଜଙ୍ଗଲରୁ କାଠ ସଂଗ୍ରହ କରିବା ଓ ଶିକ୍ଷା ସ୍ବାସ୍ଥ୍ୟ ସେବା ପର୍ଯ୍ୟନ୍ତ ସବୁ କାମ ଲାଗି ପ୍ରତିଦିନ ଏହି କାଦୁଅ ପଚ ପଚ ରାସ୍ତା ଉପରେ ହିଁ ନିର୍ଭର କରିବାକୁ ପଡେ । ବର୍ଷ ବର୍ଷ ଧରି ଏଭଳି ରାସ୍ତାରେ ଗାଁ ଲୋକେ ଯିବା ଆସିବା କରୁଥିବା ବେଳେ କାହାରି ନଜର କିନ୍ତୁ ପଡୁନାହି ଏହି ଆଦିବାସୀ ଲୋକଙ୍କ ଉପରେ ।

ନିଜ ଗାଁର ଦୁର୍ଦ୍ଦଶାକୁ ନେଇ ନୁଆଗୁଡା ଗାଁ ଲୋକେ ସ୍ଥାନିୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡିଓଙ୍କ ପର୍ଯ୍ୟନ୍ତ ଅବଗତ କରିଛନ୍ତି ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ସୁଫଳ ମିଳିନାହି । ଭୋଟ ସମୟରେ ନେତାଏ ଗାଁକୁ ଆସନ୍ତି ଆଉ ଗାଁର ବିକାଶ ଲାଗି ଅନେକ ପ୍ରତିଶୃତି ଦିଅନ୍ତି ହେଲେ ଭୋଟ ସରିଗଲେ ଗାଁ ଲୋକଙ୍କୁ ଭୁଲି ଯାଆନ୍ତି ସମସ୍ତେ । ତେବେ ଆମ ଠାରୁ ଏହି ଅସୁବିଧା ସଂପର୍କରେ ଜାଣିବା ପରେ କୋରୁକୋଣ୍ଡା ବିଡିଓ କହିଛନ୍ତି ଯେ ଖୁବ ଶିଘ୍ର ନୁଆଗୁଡା ଗାଁର ରାସ୍ତା ମରାମତି କରାଯିବ ।

ପଛୁଆ ଅଞ୍ଚଳର ବିକାଶ ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସତ ହେଲେ ଗାଁକୁ ଯିବା ଲାଗି ଭଲ ରାସ୍ତାଟିଏ ନଥିବା ଦୁର୍ଭାଗ୍ୟ ଜନକ । ତେବେ କେବେ ନିର୍ମାଣ ହେବ ରାସ୍ତା ଆଉ କେବେ ଆଦିବାସି ଲୋକେ ଭଲ ରାସ୍ତାରେ ଯିବେ ତାହା ଦେଖିବାକୁ ବାକି ରହିଲା ।

 

Leave A Reply

Your email address will not be published.