Latest Odisha News

ନୂଆ କୃଷି ଆଇନ ବାତିଲ ଦାବିରେ ପଦଯାତ୍ରା

ଭୁବନେଶ୍ୱର: ଦିଲ୍ଲୀ କୃଷକ ଆନ୍ଦୋଳନ ସମର୍ଥନରେ ଏବଂ ୩ କଳା କୃଷି ଆଇନ ବାତିଲ ଦାବିରେ ସିପିଆଇ(ଏମ୍-ଏଲ) ରେଡ଼ ଷ୍ଟାର କେନ୍ଦ୍ରୀୟ କମିଟି ପକ୍ଷରୁ ୨୬ ଡ଼ିସେମ୍ବରରୁ ୧୧ ଜାନୁଆରୀ ଦେଶବ୍ୟାପୀ ଅଭିଯାନ ଡ଼ାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ପାର୍ଟିର ଖୋର୍ଦ୍ଧା ଜିଲ୍ଲା କମିଟି ଆନୁକୂଲ୍ୟରେ ଶତାଧିକ ମହିଳା ପୁରିଷଙ୍କ ଏକ ସୁଶୋଭିତ ପଦଯାତ୍ରା ଆଜି ପୂର୍ବାହ୍ନ ୯ ଘଟିକା ସମୟରେ ସ୍ଥାନୀୟ କ୍ରାଉନ ହୋଟେଲ ନିକଟସ୍ଥ ରେଡ଼ ଷ୍ଟାର ରାଜ୍ୟ କାର୍ଯ୍ୟାଳୟ ଠାରୁ ବାହାରି ଜୟଦେବ ବିହାର, ଶାସ୍ତ୍ରୀ ନଗର, ବୁଦ୍ଧ ମନ୍ଦିର, ରାମ ମନ୍ଦିର ଛକ ଆଦି ଦେଇ ମାଷ୍ଟର କ୍ୟାଣ୍ଟିନ ଛକଠାରେ ପହଞ୍ଚିଥିଲା।

କୃଷିର କର୍ପୋରେଟୀକରଣ ବାତିଲ କର, ନବ୍ୟ ଉଦାରବାଦୀ ନୀତି ପ୍ରତ୍ୟାଖ୍ୟାନ କର, ନବ୍ୟ ଫାସିବାଦୀ ମୋଦି ସରକାରକୁ ଗାଦିଚ୍ୟୁତ କର, କଳା କୃଷି ଆଇନ ବିରୁଦ୍ଧରେ ଓଡିଶା ବିଧାନସଭାରେ ପ୍ରସ୍ତାବ ଗୃହୀତ କର, MSP ଗ୍ୟାରେଣ୍ଟି ଆଇନ ପ୍ରଣୟନ କର, ଜିଓ ସିମ ନଷ୍ଟ କର, ରିଲାଏନ୍ସ ମଲରୁ ଜିନିଷ ଖର୍ଦ୍ଦି ବନ୍ଦ କର, ଆଦାନୀ-ଆମ୍ବାନୀ କମ୍ପାନୀର ସମସ୍ତ ଉତ୍ପାଦନ ଓ ସେବା ବର୍ଜ୍ଜନ କର, ଚାଷୀ ହାତରୁ ଜମି ଛଡାଇ ନେବା ଆଇନ ଚଳିବ ନାହିଁ, ଦରଦାମ ନିୟନ୍ତ୍ରଣ ଆମର ଦାବି, କୃଷକ ବିରୋଧୀ ମୋଦୀ-ନବୀନ ହାଏ ହାଏ ଆଦି ସ୍ଲୋଗାନ ଦେଇ ଆନ୍ଦୋଳନକାରୀମାନେ ଗଗନ ପବନ ପ୍ରକମ୍ପିତ କରିଥିଲେ। ପଦଯାତ୍ରାକାରୀଙ୍କ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଗୋଲେଇ ନିକଟରେ ଏକ ପ୍ରତିବାଦ ସଭା ପାର୍ଟି ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ଶ୍ରମିକ ନେତା କମ୍ରେଡ଼ ରାଜେନ୍ଦ୍ର ପ୍ରସାଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।

ଏହି ସଭାରେ ସିପିଆଇ(ଏମ୍-ଏଲ) ରେଡ଼ ଷ୍ଟାର କେନ୍ଦ୍ରୀୟ କମିଟି ସଦସ୍ୟା କମ୍ରେଡ଼ ପ୍ରମିଳା ବକ୍ତବ୍ୟ ପ୍ରଦାନ କରି ମୋଦି ସରକାରଙ୍କ କର୍ପୋରେଟ ସପକ୍ଷବାଦୀ, କୃଷକ ଓ ଖାଉଟି ବିରୋଧୀ ନୀତିର ତୀବ୍ର ସମାଲୋଚନା କରିଥିଲେ। କ୍ରାନ୍ତିକାରୀ କୃଷକ ସଭାର ନେତା କମ୍ରେଡ଼ ରାକେଶ କାନୁନଗୋ ତାଙ୍କ ବକ୍ତବ୍ୟରେ କୃଷକଙ୍କ ସାଲିସବିହୀନ ଆନ୍ଦୋଳନ ସମ୍ପର୍କରେ ବର୍ଣ୍ଣନା କରିବା ସହିତ କଳା ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରଖାଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।

ସଭା ପ୍ରାରମ୍ଭରେ ୫୭ ଜଣ ଆନ୍ଦୋଳନକାରୀ କୃଷକ ସହିଦଙ୍କ ସ୍ମୃତିରେ ଏକ ମିନିଟ ମୌନ ଧାରଣ କରାଯାଇଥିଲା

Leave A Reply

Your email address will not be published.