ନୂଆଦିଲ୍ଲୀ : ଭାରତ ରାଷ୍ଟ୍ର ସମିତି ନେତା ତଥା ତେଲଙ୍ଗନାର ପୂର୍ବତନ ମନ୍ତ୍ରୀ କେ. ଟି. ରାମାରାଓଙ୍କୁ ଇଡି ସମନ୍ । ୨୦୨୩ରେ ହାଇଦ୍ରାବାଦରେ ହୋଇଥିବା ଫର୍ମୁଲା ଇ (E) ରେସ୍ ଦୁର୍ନୀତି ଅଭିଯୋଗରେ କେଟିଆରଙ୍କୁ ସମନ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କେଟିଆର୍ଙ୍କ ସହ ବରିଷ୍ଠ ଆଇଏସ ଅଧିକାରୀ ଅରବିନ୍ଦ କୁମାର ଓ ହାଇଦ୍ରାବାଦ ମେଟ୍ରୋପଲିଟାନ୍ ଉନ୍ନୟନ ଅଥରିଟି HMDAର ପୂର୍ବତନ ମୁଖ୍ୟ ଯନ୍ତ୍ରୀ ବି. ଏଲ୍. ଏନ୍. ରେଡିଙ୍କୁ ମଧ୍ୟ ସମନ୍ କରାଯାଇଛି।
କେ. ଟି. ରାମାରାଓଙ୍କୁ ଜାନୁଆରି ୭ ରେ ଇଡି ଅଫିସରେ ହାଜର ହେବାକୁ ଇଡି ସମନ୍ କରିଛି । ସେହିଭଳି ଅରବିନ୍ଦ କୁମାରଙ୍କୁ ୨ ତାରିଖରେ ଏବଂ ବି. ଏଲ୍. ଏନ୍. ରେଡିଙ୍କୁ ୩ ତାରିଖରେ ହାଜର ହେବାକୁ କୁହାଯାଇଛି । ଗତବର୍ଷ ହାଇଦ୍ରାବାଦ ଉପକଣ୍ଠରେ ହୋଇଥିବା ଫର୍ମୁଲା E ରେସରେ ଦୁର୍ନୀତି ହୋଇଥିବା ନେଇ ତେଲଙ୍ଗାନା ଆଣ୍ଟି କରପସନ୍ ବ୍ୟୁରୋ ପକ୍ଷରୁ ଅଭିଯୋଗ ହୋଇଥିଲା । ନିର୍ଦ୍ଧାରିତ ଅଟକଳ ବାଦ୍ ଫର୍ମୁଲା E ଅପରେସନ୍ ଲିମିଟେଡକୁ ୫୪ କୋଟି ୮୦ ଲକ୍ଷ ଟଙ୍କା HMDAରୁ ପଠା ଯାଇଥିବା ଅଭିଯୋଗ ହୋଇଥିଲା । କେସିଆରଙ୍କ ପରିବାର ପାଇଁ ଏହା ଦ୍ବିତୀୟ ମନି ଲଣ୍ଡରିଂ ମାମଲା । ପୂର୍ବରୁ ଦିଲ୍ଲୀ ଅବକାରୀ ଦୁର୍ନୀତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇ ଜେଲ ଯାଇଥିଲେ ଭାରତ ରାଷ୍ଟ୍ର ସମିତି ମୁଖ୍ୟ ତଥା ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କେ. କବିତା ।
ଅନ୍ୟପଟେ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି କେଟିଆର । ସେ କହିଛନ୍ତି ଏଥିରେ କେମିତି ଦୁର୍ନୀତି ହୋଇପାରିବ, ଆମେ ଦେୟ କରିଥିବା ୫୫ କୋଟି ଟଙ୍କାକୁ ଫର୍ମିୁଲା-ଇ ସ୍ୱୀକାର କରିଛି । ଏହା ଏକ ସିଧା ନେଣଦେଣ ରହିଥିଲା। କେଟିଆର ଆହୁରି କହିଛନ୍ତି, ହାଇଦ୍ରାବାଦ ମେଟ୍ରୋପଲିଟାନ୍ ଉନ୍ନୟନ ଅଥରିଟିର ଏକ ଆକାଉଣ୍ଟ ଓଭରସିଜ ବ୍ୟାଙ୍କରେ ରହିଛି। ଏହି ଆକାଉଣ୍ଟକୁ ପୂରା ଟଙ୍କା ଯାଇଛି।