Latest Odisha News

କୁଳମଣି ବିଶ୍ଵାଳଙ୍କର ଏକକ ଚିତ୍ରକଳା ପ୍ରଦର୍ଶନୀ “ପ୍ରତିବିମ୍ବ” ଉଦଘାଟିତ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ହାବିଟାଟ୍ ସେଣ୍ଟର ସ୍ଥିତ ଓପନ ପାମ କୋର୍ଟ ଗ୍ୟାଲେରୀ ଠାରେ ବରିଷ୍ଠ ପ୍ରଶାସକ କୁଳମଣି ବିଶ୍ଵାଳଙ୍କ ଦ୍ଵାରା ଆୟୋଜିତ “ପ୍ରତିମ୍ବିବ” ଶୀର୍ଷକ ଚିତ୍ର ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । ଅଗଷ୍ଟ ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରଦର୍ଶନୀରେ ଶ୍ରୀ ବିଶ୍ବାଳଙ୍କ ଦ୍ଵାରା ଅଙ୍କା ଯାଇଥିବା ୪୦ ଟି ବଛା ବଛା ଛବି ପ୍ରଦର୍ଶନ କରାଯାଉଛି ।

ବହୁବିଧ ବିଷୟ ବସ୍ତୁକୁ ଆଧାର କରି ଅଙ୍କାଯାଇ ଥିବା ଏହି ଚିତ୍ର ଗୁଡ଼ିକ ମଧ୍ୟରେ ଶାନ୍ତି ଦୂତ ଗୌତମ ବୁଦ୍ଧ, ନ୍ୟାୟର ସର୍ବୋଚ୍ଚ ମନ୍ଦିର ସୁପ୍ରିମ କୋର୍ଟ, ମାନବବାଦୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରାଚୂର୍ଯ୍ୟ ଭରା ପ୍ରକୃତି ଏବଂ ସର୍ବଗୁଣ ସମ୍ପନ୍ନା ନାରୀ ଆଦି ପ୍ରସଙ୍ଗକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥିବା ଲକ୍ଷ୍ୟ କରାଯାଇଥିଲା । ଅଗଷ୍ଟ ୧ ରେ ପ୍ରଦର୍ଶନୀର ଉଦଘାଟନୀ ଅଧିବେଶନରେ ଉଦ୍ୟୋଗ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି, ସାଂସଦ, ସୁନାମଧନ୍ୟ ଚିତ୍ରକାର ବୃନ୍ଦ ଏବଂ ଶତାଧିକ କଳା ପ୍ରଶଂସକ ଯୋଗ ଦେଇଥିବା ଦେଖା ଦେଇଥିଲା ।

ଜାତୀୟ ରାଜଧାନୀର ପ୍ରତିଷ୍ଠିତ ସାଂସ୍କୃତିକ ସମାଲୋଚକ ଏବଂ ଚିତ୍ର କଳା କ୍ଷେତ୍ରର ଜଣାଶୁଣା ବିଶେଷଜ୍ଞମାନେ ଶ୍ରୀ ବିଶ୍ଵାଳଙ୍କର “ପ୍ରତିମ୍ବିବ” ପ୍ରଦର୍ଶନୀକୁ ବେଶ ଉଚ୍ଚ କୋଟିର ମାନ୍ୟତା ପ୍ରଦାନ କରୁଥିବା ଜଣାଯାଇଛି ।

ଜଣେ ବହୁ ଗୁଣ ସମ୍ପନ୍ନ ବ୍ୟକ୍ତିତ୍ୱର ଅଧିକାରୀ କୁଳମଣି ବିଶ୍ଵାଳ ତାଙ୍କର ଜୀବନ ଯାତ୍ରାରେ ବେଶ ପ୍ରସିଦ୍ଧି ଓ ପ୍ରଶସ୍ତି ଲାଭ କରିଛନ୍ତି । ପେଶାରେ ଜଣେ କଷ୍ଟ ଏକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ଶ୍ରୀ ବିଶ୍ଵାଳ, ଏମ.ସି.ଏଲ ଓ ଏନ.ଟି.ପି.ସି ଭଳି ବୃହତ୍ ସରକାରୀ ସଂସ୍ଥାନ ମାନଙ୍କର ବିତ୍ତ ନିର୍ଦ୍ଦେଶକ ପରି ଉଚ୍ଚ ପଦବୀରେ ଆସୀନ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ନିଜର ବୃତ୍ତିରେ ଉଲ୍ଲେଖଯୋଗ୍ୟ ସାଫଲ୍ୟ ଅର୍ଜନ କରିବା ସାଙ୍ଗକୁ ଶ୍ରୀ ବିଶ୍ଵାଳ ଜଣେ ସ୍ଵଭାବ କବି, ସରସ ଚିତ୍ରକାର ଏବଂ ସୁମଧୁର କଣ୍ଠଶିଳ୍ପୀ ଭାବେ ମଧ୍ୟ ବେଶ ପ୍ରତିଷ୍ଠା ଅର୍ଜନ କରିଛନ୍ତି ।

ପ୍ରଦର୍ଶନୀ ବାବଦରେ ଗଣମାଧ୍ୟମକୁ ସୂଚନା ଦେବାକୁ ଯାଇ ଶ୍ରୀ ବିଶ୍ଵାଳ କହିଛନ୍ତି ଯେ, ” ଫାଇନାନ୍ସ ଓ ମ୍ୟାନେଜମେଣ୍ଟ ମୋର ପେଶା ହୋଇଥିବା ବେଳେ ଚିତ୍ରକାରିତା ଓ ପଦ୍ୟ ଲିଖନ ପ୍ରତି ମୋର ବହୁତ ବଡ ସୌକ ରହିଛି । ମୁଁ ସଦାସର୍ବଦା ମୋର ପେଶା କ୍ଷେତ୍ରରେ ଉତ୍କୃଷ୍ଟତା ହାସଲ କରିବା ଦିଗରେ ଧ୍ୟାନ ଦେଉଥିଲେ ହେଁ, ମୋର ବ୍ୟସ୍ତ ବହୁଳ ଜୀବନ ମଧ୍ୟରୁ କିଛି ସମୟ ବାହାର କରି ଚିତ୍ର ଆଙ୍କିବା ଓ କବିତା ଲେଖିବା ଦିଗରେ ମନୋନିବେଶ କରିଥାଏ । ପିଲା ବେଳରୁ ହିଁ ଚିତ୍ର ଆଙ୍କିବା ଏବଂ ଓଡ଼ିଆ ସାହିତ୍ୟ ପ୍ରତି ମୋର ଆଗ୍ରହ ରହି ଆସିଛି ।

ସେ ଆହୁରି କହିଛନ୍ତି ଯେ, ବିଶେଷ କରି ବିଖ୍ୟାତ ଓଡ଼ିଆ କବି ମାନଙ୍କର କାଳଜୟୀ କବିତା ଓ କାବ୍ୟ ଗୁଡ଼ିକୁ ପଢିବାକୁ ମତେ ବହୁତ୍ ଭଲ ଲାଗେ । ପ୍ରାକୃତିକ ପରିବେଶର ସୋନ୍ଦର୍ଯ୍ୟକୁ ଆଧାର କରି ଚିତ୍ର ଆଙ୍କିବାକୁ ମୁଁ ଖୁବ ପସନ୍ଦ କରେ । ଗୌତମ ବୁଦ୍ଧ, ମହାତ୍ମାଗାନ୍ଧୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମହିମା ମଣ୍ଡିତ ବ୍ୟକ୍ତିତ୍ଵ ଦ୍ଵାରା ମୁଁ ବିଶେଷ ଭାବେ ପ୍ରଭାବିତ ହୋଇଛି । ଏଣୁ ସ୍ଵାଭାବିକ ଭାବେ ମୋର ଅଧିକାଂଶ ଚିତ୍ର ଏହି ମହାପୁରୁଷ ମାନଙ୍କର ନୀତି ଓ ଆଦର୍ଶକୁ କେନ୍ଦ୍ର କରି ହିଁ ଅଙ୍କା ଯାଇଛି ବୋଲି ସେ କହିଛନ୍ତି ।

ଶ୍ରୀ ବିଶ୍ଵାଳ କହିଛନ୍ତି ଯେ, “ମୁଁ ପ୍ରଚଳିତ ସାମାଜିକ ବ୍ୟବସ୍ଥା ଉପରେ ମଧ୍ୟ ଚିତ୍ର ଆଙ୍କିଛି । ବୁଦ୍ଧମ୍ ଶରଣଂ ଗଛାମି, ଅଭିସାରିକା, ପ୍ରତିମ୍ବିବ, ନୈନିତାଲ ଓ ଅଂଶୁପା ଆଦି ମୋର କିଛି ଚିତ୍ରର ସାଜ୍ଞା । ମୋର ଦୃଢ଼ ବିଶ୍ୱାସ ଯେ ଉତ୍ସର୍ଗୀକୃତ ସାଧନା ଏବଂ ଗଭୀର ଇଚ୍ଛାଶକ୍ତି ବଳରେ ଜଣେ ସାଧାରଣ ମଣିଷ ଯାହା ବି ଚାହିଁବ ତାହା କରି ପାରିବ । ଏକଲବ୍ୟଙ୍କ ଭଳି କୌଣସି ଆନୁଷ୍ଠାନିକ ତାଲିମ ନଥାଇ ବି ଜଣେ ପକ୍କା ଅର୍ଥ ବିଶେଷଜ୍ଞଙ୍କ ପକ୍ଷରେ ଜଣେ ଆଗଧାଡିର ଚିତ୍ରକାର ବା ଉଚ୍ଚ କୋଟୀର କବି ବନିବା କିଛି ଅସମ୍ଭବ ବ୍ୟାପାର ନୁହେଁ।”

ଶ୍ରୀ ବିଶ୍ବାଳଙ୍କର ଅନନ୍ୟ ଓ ଅସାମାନ୍ୟ କଳାକୃତିର ସ୍ତୁତି ଗାନ କରି ପ୍ରଦର୍ଶନୀର ଉଦଘାଟକ ଓ ମୁଖ୍ୟ ଅତିଥି ଆଇ.ସି.ସି. ଆର ର ଉପସଭାପତି ଅଦ୍ଵୈତ ଗଡ଼ନାୟକ, ଶ୍ରୀ ବିଶ୍ଵାଳଙ୍କ ଅଙ୍କନରେ ପ୍ରକୃତି ଏବଂ ମାନବର ଭାବ ଭଙ୍ଗୀକୁ ବେଶ ଜୀବନ୍ତ ଓ ପ୍ରାଞ୍ଜଳ ଭାବରେ ଦର୍ଶାଯାଇଛି ବୋଲି ଉଲ୍ଲେଖ କରିଥିଲେ ।

ପ୍ରଦର୍ଶନୀର ଅଦ୍ଭୁତପୂର୍ବ ଲୋକପ୍ରିୟତା ନେଇ ନିଜର କୃତଜ୍ଞତା ପ୍ରକାଶ କରି କୁଳମଣି ବିଶ୍ଵାଳ, ଏକ ମହତ୍ ଉଦ୍ଦେଶ୍ୟରେ ଏହାକୁ ଆୟୋଜନ କରାଯାଇଥିବା ଦର୍ଶାଇଥିଲେ। ଏଠାରେ ପ୍ରଦର୍ଶିତ ଚିତ୍ର ଗୁଡ଼ିକର ବିକ୍ରୟରୁ ହେବାକୁ ଥିବା ଆୟ କୁ ସେ ପୋଷ୍ୟ ଭାବେ ଗ୍ରହଣ କରିଥିବା ନିଜ ଗ୍ରାମର ଏକ ବିଦ୍ୟାଳୟର ବିକାଶ ଓ ଗରିବ ମେଧାବୀ ବିଦ୍ୟାର୍ଥୀ ମାନଙ୍କୁ ବୃତ୍ତି ପ୍ରଦାନ କରାଯିବାରେ ବିନିଯୋଗ କରାଯିବ ବୋଲି ଶ୍ରୀ ବିଶ୍ଵାଳ କହିଥିଲେ ।

Comments are closed.