Latest Odisha News

BREAKING NEWS

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଖୋଲିଲା କୂଳଡିହା ଅଭୟାରଣ୍ୟ

ବାଲେଶ୍ଵର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜିଠୁ ଖୋଲିଲା ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡର ସୌନ୍ଦର୍ଯ୍ୟମୟୀ କୁଲଡିହା ଅଭୟାରଣ୍ୟ । ଏନେଇ ବନବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଅଭୟାରଣ୍ୟ ଖୋଲିବାର ପ୍ରଥମ ଦିନରେ ପର୍ଯ୍ୟଟକମାନଙ୍କୁ ସ୍ଵାଗତ କରିବାର ବିଭିନ୍ନ ବ୍ୟବସ୍ଥା କରାଯାଇଛି । ଏହି ଏପଲକ୍ଷେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ମାନ ମଧ୍ୟ କରାଯାଇଛି । ତେବେ ଗତ ଜୁନ ମାସରୁ ବର୍ଷାଦିନ ପାଇଁ ବନ୍ଦ ଥିବା ଏହି ୨୭୨.୭୫ ବର୍ଗ କିଲୋମିଟର ବିଶିଷ୍ଟ କୁଲଡିହା ଅଭୟାରଣ୍ୟ ପୁଣି ଚଳଚଞ୍ଚଳ ହୋଇଉଠିଛି । ଚଳିତବର୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବନ ବିଭାଗ ପକ୍ଷରୁ ଗୋହିରାଭୋଳଠାରେ ଥିବା ନେଚର୍ସ ପାର୍କକୁ ଅଧିକ ଆକର୍ଷଣୀୟ କରାଯାଇଛି। ରାତି ରହଣୀ ନିମନ୍ତେ ”ରିସିଆ ପ୍ରକୃତି ନିବାସ“ରେ ୯ଟି ତମ୍ବୁଘର, ପିଇବା ପାଣି, ଶୌଚାଳୟ ଏବଂ ଆଲୋକ ବ୍ୟବସ୍ଥା, ରୁଚିକର ଖାଦ୍ୟ ସହ ନେଚର୍ସ କ୍ୟାମ୍ପ ପାଖରେ ପର୍ଯ୍ୟଟକଙ୍କ ପାଇଁ ରିଷିୟା ଡ୍ୟାମରେ ବୋଟିଂର ସୁବିଧା ମଧ୍ୟ କରାଯାଇଛି ।

ଚଳିତବର୍ଷ ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ପୁଣି ଦେଖିବାକୁ ପାଇବେ ପର୍ଯ୍ୟଟକ । ଅଭୟାରଣ୍ୟରେ ହାତୀ, ହରିଣ, ସମ୍ବର, ଗୟଳ, ଠେକୁଆ, ବେଲରା ମୂଷା, ନୀଳଗାଈ ସମେତ ବିଭିନ୍ନ ପ୍ରକାରର ପକ୍ଷୀ ମଧ୍ୟ ଦେଖିବାକୁ ପାଇବେ ଦର୍ଶକ । କୁଲଡିହା ଅଭୟାରଣ୍ୟର ଅପରୂପ ସୌନ୍ଦର୍ଯ୍ୟ ସହ ପର୍ଯ୍ୟଟକମାନେ ବୁଲିବା ସମୟରେ ୪ଟି କୃତ୍ରିମ ସଲ୍ଟପିଟ, ୫ଟି ୱାଚ ଟାୱାର ସହ ଅତି ନିକଟରୁ ଅଭୟାରଣ୍ୟ ପଶୁପକ୍ଷୀଙ୍କୁ ଦେଖିବାର ବେବସ୍ଥା ରହିଛି । ଭ୍ରମଣ ନିମନ୍ତେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସମୟ ର୍ନିଦ୍ଧାରିତ ହୋଇଛି। ଏଠାରେ ଜଣେ ବ୍ୟକ୍ତି ପାଇଁ ୪୦ଟଙ୍କା, କ୍ୟାମେରା ପାଇଁ ୫୦ଟଙ୍କା, ଚାରିଚକିଆ ଯାନ ପାଇଁ ୧୦୦ ଟଙ୍କା ଓ ନେଚର୍ସ କ୍ୟାମ୍ପରେ ରାତ୍ରିଯାପନ ପାଇଁ ୩ହଜାର ୮୫୪ ଟଙ୍କା ଧାର୍ଯ୍ୟ ସହ ଅନଲାଇନରେ ବୁକିଂ ଓ ୱେବ ସାଇଟ ଖୋଲାଯାଇଛି। ତେବେ ଏଥର ପୂର୍ବ ବର୍ଷ ତୁଳନାରେ ବହୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସିବେ ବୋଲି ଆଶା ରଖିଛନ୍ତି କୁଲଡ଼ିହା ଅଭୟାରଣ୍ୟ କର୍ତ୍ତୃପକ୍ଷ ।

ବାଲେଶ୍ଵର ଜିଲା ନୀଳଗିରି ଅଞ୍ଚଳରେ ଅବସ୍ଥିତ କୁଲଡ଼ିହା ଅଭୟାରଣ୍ୟରେ ଭାରି ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟ। ୨୭୨.୭୫ ବର୍ଗ କିଲୋମିଟର ପରିଧି ବିଶିଷ୍ଟ କୁଲଡିହା ଅଭୟାରଣ୍ୟରେ ରହିଛି ଝରଣା ସମେତ ଆହୁରି ଅନେକ ସୌନ୍ଦର୍ଯ୍ୟ ରହିଛି। ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ସମେତ ଦେଶୀ ଓ ବିଦେଶୀ ପ୍ରଜାତିର ପକ୍ଷୀ ମଧ୍ୟ ଦେଖିବାକୁ ମିଳିଥାଏ। ହାତୀ, ହରିଣ, ସମ୍ବର, ଗୟଳ, ଝିଙ୍କ, ଭାଲୁ, ବେଲୋରା ମୂଷା, ମାଙ୍କଡ଼, ଠେକୁଆ, ବାରହା ସମେତ ବହୁ ପ୍ରଜାତିର ଜୀବଜନ୍ତୁ ଦେଖିବାର ମଜା ଉଠାଇଥାନ୍ତି ପର୍ଯ୍ୟଟକ। ସେହିପରି ଗୋହିରାଭୋଳ ଠାରେ ଥିବା ନେଚର୍ସ କ୍ୟାମ୍ପରେ ଥିବା ତମ୍ବୁ ଘରେ ପର୍ଯ୍ୟଟକମାନଙ୍କ ପାଇଁ ରାତ୍ରୀ ରହଣୀର ବ୍ୟବସ୍ଥା କରାଯାଇଛି । ଖାଲି ସେତିକ ନୁହେଁ ପର୍ଯ୍ୟଟକ ଝରଣାକୁ ହାତୀ ପାଣି ପିଇବାକୁ ଆସିବା ଓ ଜଳ କ୍ରୀଡା କରିବାର ନିଆରା ମଜା ଉଠାଇଥାନ୍ତି । ଋଷିଆ ନିକଟ ଝରଣା ଓ ଡ୍ୟାମରେ ବୋଟିଂର ମଜା ପର୍ଯ୍ୟଟକ ନେଇଥାନ୍ତି ।

Leave A Reply

Your email address will not be published.