ଭୁବନେଶ୍ୱର: ଆଜି କୁମାର ପୂର୍ଣ୍ଣିମା । କୁମାରୀଙ୍କ ହସ ଉଲ୍ଲାସରେ ପୂରି ଉଠିବ ଘରଅଗଣା । ସାରା ଦିନ ଯେମିତି ଏକ ମହୋତ୍ସବର ଦିନ । ସକାଳୁସକାଳୁ ଗାଧୋଇ ନୂଆ ପୋଷାକ ପିନ୍ଧି ଆଞ୍ଜୁଳା ଟେକିବେ କୁଆଁରୀ ଝିଅମାନେ । ସନ୍ଧ୍ୟାରେ ତୁଳସୀ ଚଉରାମୂଳେ ଚନ୍ଦ୍ରପୂଜା । ଓଡ଼ିଶାର ଏକ ସ୍ୱତନ୍ତ୍ର ପର୍ବ କୁମାର ପୂର୍ଣ୍ଣିମା । ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ପଡିଥାଏ ଏହି ପର୍ବ । ଏହାକୁ ଶରତ ପୂର୍ଣ୍ଣିମା ବୋଲି ମଧ୍ୟ କୁହାଯାଏ। ଏହି ପର୍ବକୁ ସାଧରଣତଃ କୁମାରୀମାନଙ୍କର ପର୍ବ ବୋଲି ବିବେଚନା କରାଯାଇଥାଏ ।
ବିଶ୍ୱାସ ରହିଛି, ଏହି ଦିନ ଚାନ୍ଦପୂଜା କଲେ କୁମାରୀମାନଙ୍କୁ ସୁନ୍ଦର ବର ପାଇଥାନ୍ତି । ପୁରାଣ ବର୍ଣ୍ଣନା ଅନୁଯାୟୀ, ତୁଳସୀ ଜଣେ ପରମ ପତିବ୍ରତା ନାରୀ ଥିଲେ । ତାଙ୍କର ପତିବ୍ରତା ଗୁଣ ଯୋଗୁ ତାଙ୍କୁ ବୃକ୍ଷ ଭାବେ ପୂଜା କରିବାର ବର ମିଳିଥିଲା । ତେଣୁ କୁମାରୀମାନେ ସୁନ୍ଦର ଓ ଉତ୍ତମ ବର ପାଇବା ପାଇଁ ତଥା ବିବାହିତ ମହିଳାମାନେ ଘରର ସୁଖଶାନ୍ତି ପାଇଁ ଏହି ଦିନ ତୁଳସୀ ଚଉରା ମୂଳେ ପୂଜା କରିଥାନ୍ତି ।
ଓଡ଼ିଆ ବିଧି ଅନୁସାରେ, କୁମାରୀମାନେ ସକାଳୁ ଉଠି ସୂର୍ଯ୍ୟଙ୍କୁ ଆଞ୍ଜୁଳା ଟେକିଥାନ୍ତି । ୭ ପ୍ରକାର ଫଳ ସହ ଖଈ ସୂ୍ର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥାନ୍ତି । ଏହାକୁ ଆଞ୍ଜୁଳା ଟେକା ବିଧି କୁହାଯାଇଥାଏ । ବାଳ ସୂର୍ଯ୍ୟଙ୍କୁ ଏହି ଆଞ୍ଜୁଳା ଟେକା ଯାଇଥାଏ । ଏହା ପରେ ଚଉରାକୁ ଭଲଭାବେ ଧୋଇ ରଙ୍ଗବେରଙ୍ଗ ମୁରୁଜ ଓ ଫୁଲରେ ସଜା ଯାଇଥାଏ । ବିଶେଷକରି ଏହି ପର୍ବରେ କଇଁଫୁଲରେ ତୁଳସୀ ଚଉରା ସଜା ଯାଇଥାଏ । ଚଉରାକୁ ସାଲୁ କନା ଏବଂ ନୂଆ ଶଙ୍ଖା ପିନ୍ଧା ଯାଇଥାଏ । ଚଉରା ଆଗରେ ପିଢା ଉପରେ ଗୁଆ, ଦୁବ,ବରକୋଳି ପତ୍ର ଦେଇ ସଜା ଯାଇଥାଏ ।ଚଉରା ପାଖରେ କଳସ ସ୍ଥାପନ କରାଯାଇଥାଏ ।
ଖଇ,ନଡିଆ, କଦଳୀ, ଛେନା,ଦହି,କ୍ଷୀର, କାକୁଡ,ମହୁ, ଘିଅ,ଅଦା,ଆଖୁ ଆଦି ବିଭିନ୍ନ ଫଳମୂଳ ଦେଇ ଏକ ଚକଟା ପ୍ରସ୍ତୁତ କରାଯାଇଥାଏ । ଏହାକୁ ଚାନ୍ଦ ଚକଟା କୁହାଯାଏ । ଏହା ବ୍ୟତୀତ ଘରେ ମଣ୍ଡା,କାକରା ଆଦି ଘିଅ ଛଣା ପିଠା ମଧ୍ୟ ହୋଇଥାଏ । ଏହି ଚାନ୍ଦଚକଟାକୁ ଏକ ଥାଳିରେ ଚନ୍ଦ୍ର ଆକାରରେ ସଜା ଯାଇଥାଏ । ତୁଳସୀ ଚଉରା ମୂଳେ ଏହି ଚାନ୍ଦ ସହ ପିଠା ପୂଜା କରାଯାଇଥାଏ । ପୂଜା ସରିବା ପରେ କୁମାରୀ ଝିଅମାନେ ଏହି ଚାନ୍ଦ ଖାଇଥାନ୍ତି ।
ଏହି ଦିନ ଗଜଲକ୍ଷ୍ମୀ ପୂଜା ମଧ୍ୟ ହୋଇଥାଏ । ବିଭିନ୍ନ ସ୍ଥାନରେ ମା‘ ଗଜଲକ୍ଷ୍ମୀ ପୂଜା ଧୂମଧାମରେ ପାଳନ କରାଯାଇଥାଏ । ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜା ଓଡ଼ିଶାରେ ବେଶ ପ୍ରସିଦ୍ଧି ଲାଭ କରିଛି ।
ଏହି ଦିନ ଗାଁଗହଳିରେ ପାଶ ବା ତାସ ଖେଳିବାର ପରମ୍ପରା ରହିଛି । ଜୁଆ ଖେଳିବାର ପରମ୍ପରା ମଧ୍ୟ କେତେକ ସ୍ଥାନରେ ରହିଛି । ଇନ୍ଦୁ ପୂର୍ଣ୍ଣିମାଠାରୁ କୁମାରୀ କନ୍ୟାମାନେ ଏକାଠି ହୋଇ ଜହ୍ନିଓଷା କରିଥାନ୍ତି । କୁମାରପୂ୍ର୍ଣ୍ଣିମା ଦିନ ଏହା ଉଦଯାପିତ ହୋଇଥାଏ ।
ତେବେ ଏଥର ଗ୍ରହଣ ପଡୁଥିବାରୁ ବିଧିରେ ସାମାନ୍ୟ ପରିବର୍ତ୍ତନ କରାଯିବ । ଚନ୍ଦ୍ରପୂଜା ସନ୍ଧ୍ୟାରେ କରା ନ ଯାଇ ଅପରାହ୍ନ ୪ଟା ପୂର୍ବରୁ କରାଯିବ ବୋଲି କୁହାଯାଇଛି ।
BREAKING NEWS
- ଡକ୍ଟର ପ୍ରତିଭା ରାୟଙ୍କୁ ଭାରତର ସର୍ବୋଚ୍ଚ ସାହିତ୍ୟ ସମ୍ମାନ ସାହିତ୍ୟ ଅକାଦେମୀ ଫେଲୋସିପ୍ ପ୍ରଦାନ
- ଭୁବନେଶ୍ୱରବାସୀଙ୍କ ମୌଳିକ ସମସ୍ୟା ପ୍ରତି ଚରମ ଅବହେଳା ପ୍ରତିବାଦରେ ବି.ଏମ୍.ସି. ଘେରିଲା ଓଜେସି
- Odisha Orangutan Rescue:ବିଦେଶୀ ବନ୍ୟପ୍ରାଣୀଙ୍କ ଅବୈଧ ଚାଲଣ ପାଇଁ ଓଡ଼ିଶାକୁ ଟ୍ରାଞ୍ଜିଟ୍ ପଥ ହେବାକୁ ଦିଆଯିବ ନାହିଁ: ମୁଖ୍ୟମନ୍ତ୍ରୀ
- ଏଥର ଆଗୁଆ ଆସିପାରେ ଖରାଦିନ, ଶୀଘ୍ର ସମାପ୍ତ ହୋଇପାରେ ମୌସୁମୀ: ପ୍ରସ୍ତୁତି ହେଲେଣି ରାଜ୍ୟ ସରକାର
- ଓରାଙ୍ଗ ଉଟାନ ଚାଲାଣରେ ସମ୍ପୃକ୍ତି ଥିବା ବ୍ୟକ୍ତି ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ନେସନାଲ ଜୁ ଅଥରିଟିକୁ ଚିଠି
- ଟି ସର୍ଟ ମାଧ୍ୟମରେ ଅଗରକରଙ୍କୁ ଟାର୍ଗେଟ କରିଛନ୍ତି କି ରୋହିତ
- Operation Anweshan:ଓଡ଼ିଶା ପୋଲିସକୁ ବଡ ସଫଳତା;୧୦୧ ଶିଶୁ ଉଦ୍ଧାର,ସର୍ବାଧିକ ୩୦ ଶିଶୁ ପଶ୍ଚିମବଙ୍ଗରୁ…
- ପ୍ରଶଂସକଙ୍କୁ ନିରାଶ କରିଛି ବିଶ୍ୱକପ ଖେଳିବା ନେଇ ରୋହିତଙ୍କ ବୟାନ
- ଭାରତରେ କାହିଁକି ଶସ୍ତା ହେଉନି ଆପଲ୍ ଫୋନ୍?
- ଦୀର୍ଘ ୧୪ ବର୍ଷ ପରେ ଦୁଲୀପ ଟ୍ରଫି ଚାମ୍ପିୟନ୍ ହେଲା ଇଷ୍ଟ ଜୋନ୍

Comments are closed.