Latest Odisha News

ଅସୁନ୍ଦର ଦେଖାଯିବାକୁ କଲେ ସର୍ଜରୀ : ପାଣି ପରି ଖର୍ଚ୍ଚ କଲେ ଟଙ୍କା

ନ୍ୟୁୟର୍କ: ଭଗବାନ ସମସ୍ତଙ୍କୁ ନିଜ ଅନୁଯାୟୀ ଗଢିଛନ୍ତି । କାହାକୁ କଳା ତ କାହାକୁ ଗୋରା କରିଥାନ୍ତି । ଆଉ କାହାକୁ ସୁନ୍ଦର ତ ଆଉ କାହାକୁ ଅସୁନ୍ଦର କରିଥାନ୍ତି । ଭଗବାନଙ୍କ ସୃଷ୍ଟି ଭାବି ସମସ୍ତେ ଜୀବନ ଜିଇଁଥାନ୍ତି । ତଥାପି କିଛି ଲୋକ ନିଜ ଚେହେରାକୁ ନେଇ ସନ୍ତୁଷ୍ଟ ହୋଇ ନ ଥାନ୍ତି । ଏହାକୁ ଆହୁରି ଉନ୍ନତ କରିବା ପାଇଁ ସେମାନେ ନିଜର ଚେହେରା ପରିବର୍ତ୍ତନ କରିବା ଆରମ୍ଭ କରନ୍ତି । ଏଥିପାଇଁ ବିଭିନ୍ନ ପ୍ରକାରର କସମେଟିକ୍ ସର୍ଜରୀ କରିବାକୁ ମଧ୍ୟ ପଛାନ୍ତି ନାହିଁ । କିନ୍ତୁ ଜଣେ ଯୁବତୀ ଅଛନ୍ତି ଯିଏ ସୁନ୍ଦର ଦେଖାଯିବା ଅପେକ୍ଷା ଅସୁନ୍ଦର ହେବାକୁ ପସନ୍ଦ କରନ୍ତି । ସେଥିଲାଗି ସେ ଲକ୍ଷ ଲକ୍ଷ ଟଙ୍କା ପାଣି ପରି ଖର୍ଚ୍ଚ କରିଛନ୍ତି ।

୨୭ ବର୍ଷ ବୟସ୍କା ଜେସି ନାମକ ଜଣେ ଯୁବତୀ ଆମେରିକାର କାନସାସ୍ ସିଟିରେ ରୁହନ୍ତି । ଦେଖିବାକୁ ସେ ବହୁତ ସୁନ୍ଦର । କିନ୍ତୁ ତାଙ୍କ ସୌନ୍ଦର୍ଯ୍ୟକୁ ନେଇ କେହି ପ୍ରଶଂସା କଲେ ସେ ପସନ୍ଦ କରନ୍ତି ନାହିଁ । ସେ ତାଙ୍କ ଚେହେରାକୁ ନେଇ ଆଦୌ ସନ୍ତୁଷ୍ଟ ନ ଥିଲେ । ତାଙ୍କୁ ଲାଗୁଥିଲା ଯେ ସେ ବହୁତ ସାଧାରଣ ଦେଖାଯାଉଛନ୍ତି । ଏହି କାରଣରୁ, ନିଜ ଚେହେରା ସର୍ଜରୀ ଜରିଆରେ ପରିବର୍ତ୍ତନ କରିବାକୁ ସ୍ଥିର କଲେ । ସର୍ଜରୀ ପରେ ତାଙ୍କ ଲୁକ୍ ପୁରା ବଦଳିଗଲା । ଲୋକେ ତାଙ୍କ ଚେହେରାକୁ ପସନ୍ଦ କଲେ ନାହିଁ । କିନ୍ତୁ ଜେସି ତାଙ୍କ ଚେହେରାକୁ ନେଇ ଖୁବ୍ ଖୁସି ହେଲେ । ତାଙ୍କରଏହି ନୂଆ ଲୁକ୍‌ରେ ଆତ୍ମବିଶ୍ୱାସ ବଢିଲା ବୋଲି ସେ ଅନୁଭବ କରୁଥିବା କୁହନ୍ତି ।

ଜେସି ସର୍ଜରୀ ଜରିଆରେ ତାଙ୍କ କପାଳର ଦୁଇ ପଟରେ ଶିଙ୍ଗ ତିଆରି କଲେ । ଏହା ସହିତ ତାଙ୍କ କାନକୁ ମଝିରେ ଗୋଟେ ବଡ଼ କଣା କରି ଲମ୍ବାଇ ଦେଲେ । ମୁହଁରେ ଟାଟୁ କରିବା ସହ ମୁହଁର ବିଭିନ୍ନ ସ୍ଥାନରେ ଛୋଟ ଛୋଟ କାନଫୁଲ ମଧ୍ୟ ଲଗାଇଲେ । ନିଜ ଚେହେରାକୁ ଅସୁନ୍ଦର କରିବାକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଲେ । ତଥାପି ଜେସି ତାଙ୍କ ଅସୁନ୍ଦର ଲୁକରେ ବି ସନ୍ତୁଷ୍ଟ ନୁହଁନ୍ତି । ତଥାପି ଅସୁନ୍ଦର ଦେଖାଯିବାରେ ଅଭାବ ରହିଛି ବୋଲି ଜେସି ଅନୁଭବ କରିଥାନ୍ତି । ଆଗକୁ ଆହୁରି ସର୍ଜରୀ କରିବାକୁ ଚିନ୍ତା କରୁଛନ୍ତି ।

Comments are closed.