Latest Odisha News

BREAKING NEWS

ନକଲି ସାର୍ଟିଫିକେଟ ମାମଲାରେ ଗଞ୍ଜାମରେ ଆଉ ଜଣେ ମହିଳା ଶିକ୍ଷୟତ୍ରୀ ନିଲମ୍ବିତ

ବ୍ରହ୍ମପୁର: ଆଉ ଜଣେ ନକଲି ସାର୍ଟିଫିକେଟ୍ ମାମଲାରେ ନିଲମ୍ବିତ। ଗଞ୍ଜାମ ଜିଲ୍ଲାରେ ଜଣେ ଠିକା କନିଷ୍ଠ ଶିକ୍ଷକଙ୍କୁ ଏହି ମାମଲାରେ ଚାକିରିରୁ ନିଲମ୍ବିତ କରାଯାଇଛି।

ସୂଚନା ଅନୁଯାୟୀ, ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡ଼ାଠାରେ ଥିବା ଏନବି ବିଦ୍ୟାପୀଠରେ ୨୦୧୨ ମସିହାରେ ଠିକା କନିଷ୍ଠ ଶିକ୍ଷୟିତ୍ରୀ ଭାବେ ମନ୍ଦାକିନୀ ନାହାକଙ୍କୁ ନିଯୁକ୍ତି ମିଳିଥିଲା।

ମନ୍ଦାକିନୀ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଚାକିରି ନିୟମିତ କରିବା ପାଇଁ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିଥିଲେ। ତାଙ୍କ ଆବେଦନକୁ ଗ୍ରହଣ କରି ଚାକିରିରେ ଯୋଗ ଦେବା ସମୟରେ ସେ ପ୍ରସ୍ତୁତ କରିଥିବା ପ୍ରମାଣପତ୍ରକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପକ୍ଷରୁ ଯାଞ୍ଚ କରାଯାଇଥିଲା।

ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା ସମୟରେ ସିଏଚଏସଇ ଅଧିକାରୀମାନେ ଜାଣିବାକୁ ପାଇଥିଲେ ଯେ, ପ୍ଲସ୍ ଟୁ ପରୀକ୍ଷାରେ ମନ୍ଦାକିନୀ ଫେଲ୍ ହୋଇଥିଲେ ମଧ୍ୟ ସେ ସାର୍ଟିଫିକେଟ୍ ଓ ମାର୍କସିଟ୍ ପ୍ରସ୍ତୁତ କରି ଏହାକୁ ପାସ୍ କରିଥିବା ଦର୍ଶାଇଛନ୍ତି। ଅଧିକ ଯାଞ୍ଚ ପରେ ଅଧିକାରୀମାନେ ତାଙ୍କ ପ୍ଲସ୍ ଟୁ ସାର୍ଟିଫିକେଟ୍ ଓ ମାର୍କସିଟ୍ ନକଲି ବୋଲି ନିଶ୍ଚିତ ହୋଇଥିଲେ।

ଏହା ପରେ ଗଞ୍ଜାମ ଜିଲ୍ଲାପାଳ ମନ୍ଦାକିନୀଙ୍କୁ ଚାକିରିରୁ ନିଲମ୍ବିତ କରିବା ସହ ପାଟପୁର ଥାନାରେ ଅଭିଯୋଗ କରିଥିଲେ। ଇତିମଧ୍ୟରେ ମନ୍ଦାକିନୀ ସ୍କୁଲକୁ ନ ଯାଇ ଫେରାର ହୋଇଯାଇଥିବା ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ।

ସୂଚନାଯୋଗ୍ୟ ଯେ, ଗତ ମାସରେ ବଲାଙ୍ଗୀର ଜିଲ୍ଲାରେ ନିଯୁକ୍ତି ପାଇବା ପାଇଁ ତିନି ଜଣ ସ୍କୁଲ ଶିକ୍ଷକ ନକଲି ସାର୍ଟିଫିକେଟ୍ ଦେଇଥିବା ଜଣାପଡ଼ିଥିଲା। ୬ ମାସ ତଳେ ସଙ୍ଗଠିତ ନକଲି ସାର୍ଟିଫିକେଟ୍ ରାକେଟ୍ ଧରାପଡ଼ିବା ପରେ କର୍ତ୍ତୃପକ୍ଷ ଶିକ୍ଷକ ଓ ଅନ୍ୟମାନେ ଦାଖଲ କରିଥିବା ସାର୍ଟିଫିକେଟ୍ଗୁଡ଼ିକର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରୁଛନ୍ତି।

Comments are closed.