ନୂଆଦିଲ୍ଲୀ: ରୂପ ବଦଳାଉଛି କରୋନା । କେତେବେଳେ ବିଟା, ପୁଣି ଡେଲଟା ଓ ଡେଲଟା ପ୍ଲସ । ଏବେ ଲାମ୍ବଡା ଭାରିଏଣ୍ଟକୁ ନେଇ ସାରା ବିଶ୍ୱର ବଢ଼ିଲାଣି ଚିନ୍ତା । କରୋନାର ନୂଆ ଭାରିଏଣ୍ଟ ଲାମ୍ବଡା । ଡେଲଟାଠାରୁ ବି ଅଧିକ ମାରାତ୍ମକ ଓ ପ୍ରାଣଘାତୀ । ଏହି ଭାରିଏଣ୍ଟ ବ୍ରିଟେନରେ ଏବେ ବିସ୍ତାର କରୁଛି । ଡେଲଟାକୁ ଏଯାଏ ସବୁଠୁ ଅଧିକ ସଂକ୍ରାମକ ଭାରିଏଣ୍ଟ ବୋଲି କୁହାଯାଉଥିଲା । କିନ୍ତୁ ଏବେ ଧୀରେ ଧୀରେ ଲାମ୍ବଡା ଭାରିଏଣ୍ଟ ନିଜର ମହାରୂପ ଦେଖାଇବା ଆରମ୍ଭ କଲାଣି ।
ଲାମ୍ବଡା ଭାରିଏଣ୍ଟ ପ୍ରଥମେ ପେରୁରୁ ଚିହ୍ନଟ ହୋଇଥିଲା । ଏବେ ବ୍ରିଟେନ୍ ସମେତ ୩୦ ଦେଶରେ କାୟା ମେଲାଇଲାଣି । ବ୍ରିଟେନର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି, କରୋନାର ଲାମ୍ବଡା ଭାରିଏଣ୍ଟ ମାରାତ୍ମକ ଡେଲଟାଠାରୁ ବି ଅଧିକ ଖତରନାକ । ଗତମାସରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲାମ୍ବଡା ଭାରିଏଣ୍ଟକୁ (C.37) ଭାରିଏଣ୍ଟ ଅଫ୍ କନସର୍ଣ୍ଣ ଘୋଷଣା କରିଥିଲା ।
କିଛି ଦେଶରେ ଲାମ୍ବଡା ଭାରିଏଣ୍ଟ ପାଇଁ ଗୋଷ୍ଠୀ ସଂକ୍ରମଣ ହେଉଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ଅଚାନକ ଦ୍ରୁତ ବୃଦ୍ଧି ହେଉଥିବା ନଜରକୁ ଆସୁଥିବା କହିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଫେନୋଟାଇପିକ ପ୍ରଭାବରେ ଲମ୍ବଡା ଭାରିଏଣ୍ଟର ଅନେକ ମ୍ୟୁଟେସନ୍ ହୋଇଛି । ଏହି ଭାରିଏଣ୍ଟ ମଣିଷ ଦେହରେ ଆଣ୍ଟିବଡିକୁ ନିଷ୍କ୍ରିୟ କରି ଦେଉଛି ।
ଆମେରିକାରେ ଚିଲି, ଇକ୍ୟୁଡେର ଓ ଆର୍ଜେଣ୍ଟିନାରେ ବି ଦ୍ରୁତ ବ୍ୟାପୁଛି । ତେବେ ଲମ୍ବଡା ଭାରିଏଣ୍ଟ ବିରୋଧରେ ଟିକା କେତେ ପ୍ରଭାବୀ ତାହା ଏଯାଏ ସ୍ପଷ୍ଟ ହୋଇନି । ଏଦିଗରେ ବିଶେଷଜ୍ଞ ଅଧିକ ରିସର୍ଚ୍ଚ ଜାରି ରଖିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଜ୍ଞାନିକ ବି ଗବେଷଣା ଜାରି ରଖିଛନ୍ତି ।
Comments are closed.