ଭୁବନେଶ୍ୱର: କମିଶନରେଟ ପୁଲିସ ଅଧୀନରେ ଥିବା ଭୁବନେଶ୍ବର ପୋଲିସ ୨୦୧୫ ମାର୍ଚ୍ଚରେ ଏକ ପଦକ୍ଷେପ ଆରମ୍ଭ କରି ଘର ମାଲିକମାନଙ୍କୁ ସ୍ଥାନୀୟ ଥାନାରେ ଭଡ଼ାଟିଆଙ୍କ ସବିଶେଷ ତଥ୍ୟ ଦାଖଲ କରିବାକୁ କହିଥିଲା। ପରେ ୨୦୧୭ ଜାନୁଆରୀରେ ମହିଳା ହଷ୍ଟେଲ ମାନଙ୍କ ପାଇଁ କୁହାଯାଇଥିଲା। ପ୍ରାରମ୍ଭିକ ଭାବେ ଏହାକୁ ନେଇ ସକାରାତ୍ମକ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ପରେ କିନ୍ତୁ ସଠିକ ଢଙ୍ଗରେ ଏହା ଅନୁପାଳନ ହେଉନଥିବା ଦେଖିବାକୁ ମିଳିଛି।
ଭଡ଼ାଟିଆଙ୍କ ସବିଶେଷ ତଥ୍ୟ ଦେବା ବାଧ୍ୟତାମୂଳକ ନଥିବାରୁ ଘର ମାଲିକମାନେ ଅନିଚ୍ଛା ପ୍ରକାଶ କରୁଥିବା ପୁଲିସ କହିଛି। ସୁରକ୍ଷା ଦୃଷ୍ଟିରୁ ଏହି ବ୍ୟବସ୍ଥା ଏକାନ୍ତ ଆବଶ୍ୟକ ବୋଲି ପୁଲିସ କହିଛି।
ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନାଗରିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା। ସେ କହିଛନ୍ତି, ଆମେ ଭଡ଼ାଟିଆଙ୍କ ଡାଟାବେସ୍ ରଖିବାକୁ ଚାହୁଁଛୁ। ଅତୀତରେ କେତେକ ଭଡ଼ାଟିଆ ସେମାନଙ୍କ ଘର ମାଲିକଙ୍କ ସମ୍ପତ୍ତି ଉପରେ ଅପରାଧ ଘଟାଇବାର ନଜିର ରହିଛି। ମହିଳାଙ୍କ ସୁରକ୍ଷା ପାଇଁ ମହିଳା ହଷ୍ଟେଲର ଅନ୍ତେବାସୀଙ୍କ ଡାଟାବେସ୍ ଆବଶ୍ୟକ, କହିଛନ୍ତି ଜଣେ ବରିଷ୍ଠ ପୁଲିସ ଅଧିକାରୀ।
ଏହାବ୍ୟତୀତ ଭଡ଼ାଟିଆ ଭେରିଫିକେସନ୍ ବ୍ୟବସ୍ଥାର ମଧ୍ୟ ବ୍ୟବସ୍ଥା ରହିଛି ଯେଉଁଥିରେ ଘର ମାଲିକମାନେ କମିସନରେଟ୍ ପୁଲିସକୁ ସର୍ଭିସ୍ ଫି’ ଦେଇପାରିବେ ଏବଂ ଭଡ଼ାଟିଆମାନଙ୍କର ପୃଷ୍ଠଭୂମି ଯାଞ୍ଚ କରିପାରିବେ। ଯଦିଓ ଓଡ଼ିଶା ପୁଲିସ ସିଟିଜେନ ପୋର୍ଟାଲ୍ (https://citizenportal-op.gov.in/citizen/login.aspx) କିମ୍ବା ସହାୟତା ଆପ୍ ଜରିଆରେ ଲୋକେ ଏହି ସେବା ପାଇପାରିବେ, କିନ୍ତୁ ଏହାକୁ ଗ୍ରହଣ କରୁଥିବା ଲୋକ ବହୁତ କମ୍ ଅଛନ୍ତି।
ଗତ 6 ମାସ ମଧ୍ୟରେ ଭଡ଼ାଟିଆ ଭେରିଫିକେସନ୍ ସମ୍ପର୍କରେ ପାଖାପାଖି 10ଟି ଆବେଦନ ଆସିଛି ବୋଲି ଅଧିକାରୀ ଜଣକ କହିଛନ୍ତି।
ଏହି ବ୍ୟବସ୍ଥାର ସମୀକ୍ଷା କରିବେ ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭଡ଼ାଟିଆ ଘୋଷଣା ଫର୍ମ ଦାଖଲ ନ କରିବାର କାରଣ ଖୋଜି ବାହାର କରାଯିବ। ବହୁ ସଂଖ୍ୟକ ଲୋକ, ମୁଖ୍ୟତଃ ଛାତ୍ର ଓ କର୍ମଜୀବୀମାନେ ଭଡ଼ାରେ ରହୁଛନ୍ତି। ଆମେ ଘର ମାଲିକମାନଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ଏହି ଆଦେଶକୁ ପାଳନ କରନ୍ତୁ ଏବଂ ସହରକୁ ସୁରକ୍ଷିତ ରଖିବାରେ ଆମକୁ ସାହାଯ୍ୟ କରନ୍ତୁ।
Comments are closed.