ନୂଆପଡ଼ା: ନୂଆପଡା ଜିଲ୍ଲାର ସଂରକ୍ଷିତ ଜଙ୍ଗଲରେ ଥିବା ମାଓ କ୍ୟାମ୍ପ । ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ କରି ଏହି ମାଓ କ୍ୟାମ୍ପକୁ ଠାବ କରିଥିବା ବେଳେ ଚକୋଲେଟ୍ ବୋମା ସମେତ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛନ୍ତି ସୁରକ୍ଷା ବାହିନୀ।
ନୂଆପଡା ଜିଲ୍ଲା ଏସପି ଜିଆର ରାଘବେନ୍ଦ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସିନାପାଲି ପୋଲିସ ସୀମା ଅନ୍ତର୍ଗତ ନଙ୍ଗଲାଘାଟ ଗ୍ରାମ ନିକଟସ୍ଥ ପଟାଦରହା ସଂରକ୍ଷିତ ଜଙ୍ଗଲରେ ଏସଓଜି, ଡିଭିଏଫ ଓ ସିଆରପିଏଫ ଯବାନମାନେ ମିଳିତ କମ୍ବିଂ ଅପରେସନ ସମୟରେ ଏକ ମାଓ କ୍ୟାମ୍ପ ଠାବ କରିଛନ୍ତି।
ସୁରକ୍ଷାକର୍ମୀଙ୍କୁ ଦେଖି ମାଓବାଦୀମାନେ କ୍ୟାମ୍ପ ଛାଡ଼ି ପଳାଇଥିଲେ ମଧ୍ୟ ସେମାନେ ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀ ଛାଡ଼ି ପଳାଇଥିଲେ। ସୁରକ୍ଷା ବାହିନୀ ଶିବିରରୁ 5 କେଜି ବିସ୍ଫୋରକ ସାମଗ୍ରୀ, 20ଟି ଚକୋଲେଟ୍ ବୋମା, ଔଷଧ, ଚିପ୍ସ ପ୍ୟାକେଟ୍, କୋଲ୍ଡ ଡ୍ରିଙ୍କସ୍ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଜବତ କରିଛି।
ଏହା ପରେ ଛତିଶଗଡ଼ ସୀମାନ୍ତରେ ଥିବା ଏହି ଅଞ୍ଚଳରେ ଲୁଚି ରହିଥିବା ମାଓବାଦୀଙ୍କୁ ଠାବ କରିବା ପାଇଁ ସୁରକ୍ଷା ବାହିନୀ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ବୋଲି ଏସପି କହିଛନ୍ତି।
ସେପଟେ ଛତିଶଗଡ଼ର ବିଜାପୁର ଜିଲ୍ଲା ଅନ୍ତର୍ଗତ ଭେରାମଗଡ଼ ପୁଲିସ ସୀମାରେ ଥିବା ଜଙ୍ଗଲରେ ମାଓବାଦୀଙ୍କ ଗୁଳିରେ ଜଣେ ଯବାନ ସହିଦ ହୋଇଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରାଯାଇଛି।
Comments are closed.